
ଖୋର୍ଦ୍ଧା: ୫୦ଗ୍ରାମ ବ୍ରାଉନସୁଗାର ସହ ୩ ଗିରଫ। ବ୍ରାଉନସୁଗାର କାରବାର ବେଳେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ାଉ ବେଳେ ୫୦ ଗ୍ରାମ ବ୍ରାଉନସୁଗାର, ୮ଟି ମୋଟର ସାଇକଲ ସହ ୩ଜଣଙ୍କୁ ଗିରଫ କରିଛି ପୁଲିସ।
ମିଳିଥିବା ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ବିଡିଏ କଲୋନୀର କ୍ୱାଟର ନମ୍ବର ଏମ୍ ୧୭ରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଏସ୍ଆଇ ବିଜୟ କେତନ ବେହେରା କୌଣସି ସୂତ୍ରରୁ ସୂଚନା ପାଇଥିଲେ । ଏନେଇ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କୁ ସୂଚନା ଦେବା ପରେ ସେ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରିଥିଲେ । ଏହି ଟିମରେ ଏସ୍ଆଇ ଶ୍ରୀ ବେହେରା, ଏସ୍ଆଇ ସ୍ୱାଗତିକା ଦାସ, ବି କେ ପ୍ରତାପସିଂହ, କନଷ୍ଟେବଳ ଏମ୍ଏମ୍ ଖାଁ, ଏମ୍ ସେଠୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ । ଘଟଣାସ୍ଥଳରେ ୮ରୁ ଉର୍ଦ୍ଧ୍ବ ଯୁବକ ଏକଯୁଟ ହୋଇ ବ୍ରାଉନସୁଗାର କାରବାର କରୁଥିବା ବେଳେ ପୁଲିସକୁ ଦେଖି ୫ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ହେଲେ ପୁଲିସ ହାତରୁ ଖସି ଯାଇପାରିନଥିଲେ ଟାଙ୍ଗିସାହି-ଭାଲିଆବାଡ଼ିର ସୋମନାଥ ବରାଳ (୨୦), ଭାଲିଆବାଡ଼ି-ସଅରସାହିର ଅବିନାଶ ପାତ୍ର (୨୦), ସାମନ୍ତରାପୁରର ଆର୍ତତ୍ରାଣ ବେହେରା (୨୦) । ସେମାନଙ୍କ ନିକଟରୁ ୫୦.୦୫ ଗ୍ରାମ ବ୍ରାଉନସୁଗାର ସହ ୧ ଲକ୍ଷ ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।
ଏହା ସହ ୫ଟି ମୋଟର ସାଇକଲ ଓ ୩ଟି ମୋବାଇଲ୍ ମଧ୍ୟ ଜବତ କରିଛି ପୁଲିସ। ଜବତ ସାମଗ୍ରୀର ମୂଲ୍ୟ ଆନୁମାନିକ ୯ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଥାନା ସୂତ୍ରରୁ ଜଣାଯାଇଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ମାମଲାର ଅଧିକ ତଦନ୍ତ ପାଇଁ ଏସ୍ଆଇ ମନୋଜ କୁମାର ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି ।
The post ୯ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3xiCOCx
0 Comments