ଭଞ୍ଜନଗର : ଭଞ୍ଜନଗରରେ ଖୋଲିଛି ରାଜସ୍ଥାନୀ ଶୀତବସ୍ତ୍ର ବଜାର। ସୁଦୂର ରାଜସ୍ଥାନରୁ ଆସିଥିବା ଏହି ବ୍ୟବସାୟୀମାନେ ଭଞ୍ଜନଗର ଭେଜିପୁଟ ଶିବମନ୍ଦିର ନିକଟରେ ଡେରା ପକାଇଛନ୍ତି।
ଗତବର୍ଷ କରୋନା ମହାମାରୀର ପ୍ରାଦୁର୍ଭାବ ପ୍ରକୋପ ଏବଂ ଶୀତ କମ୍ ରହିଥିବାରୁ ଭଲ ବ୍ୟବସାୟ ହୋଇ ନଥିଲା। ତେବେ ଚଳିତବର୍ଷ ଭଲ ଦୁଇ ରୋଜଗାର ହେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ବର୍ତ୍ତମାନ ପ୍ରାୟ ୨୦ରୁ ଅଧିକ ବ୍ୟବସାୟୀ ସପରିବାର ସହ ଆସି ଏଠାରେ ଷ୍ଟଲ୍ ଖୋଲିଛନ୍ତି। ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ପୁରୁଷ, ମହିଳା ଓ ପିଲା ମାନଙ୍କ ପାଇଁ ସ୍ବଟେର୍, ଜ୍ୟାକେଟ, ବିଭିନ୍ନ ରକମର କ୍ୟାପ୍, ମଫଲର୍, ସାଲ, କମ୍ବଳ, ଗ୍ଲୋବ୍ସ୍ ଓ ସକ୍ସ୍ ଆଦି ରଖାଯାଇଥିବା ବ୍ୟବସାୟୀ ସାହିବ ସିଂହ ପ୍ରକାଶ କରିଛନ୍ତି। ଦୀର୍ଘ ୧୫ ହେଲା ଏହି ବ୍ୟବସାୟୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ବୁଲି ବ୍ୟବସାୟ କରିଆସୁଛନ୍ତି। ତେବେ ଭଞ୍ଜନଗର ସହର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ମଧ୍ୟବର୍ତ୍ତୀ ଇଲାକା ହୋଇଥିବାରୁ କିଛି ବର୍ଷ ହେଲା ଶୀତ ପୂର୍ବରୁ ଏଠାକୁ ଆସୁଥିବା ସେ କହିଛନ୍ତି। ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେଇ ଆବଶ୍ୟକ ଅର୍ଥ ପୈଠ କରି ଷ୍ଟଲ୍ ଖୋଲାଯାଇଛି।
ଆଉ କିଛି ବ୍ୟବସାୟୀ କହିଛନ୍ତି, ସେମାନେ ପଞ୍ଜାବର ପାନିପଥରୁ ବିଭିନ୍ନ ଶୀତବସ୍ତ୍ର ଆଣି ଦେଶର ବିଭିନ୍ନ ରାଜ୍ୟରେ ବିକ୍ରି କରିଥାନ୍ତି। ବର୍ତ୍ତମାନ ଓଡ଼ିଶାରେ ଶୀତର ଆଗମନକୁ ଦେଖି ବିଭିନ୍ନ ସ୍ଥାନରେ ସେମାନେ ବଜାର ଖୋଲିଛନ୍ତି। ସେହିପରି ବିଭିନ୍ନ ଡିଜାଇନର ଶୀତବସ୍ତ୍ର ଏଠାରେ ଗଚ୍ଛିତ ଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଭଞ୍ଜନଗରରେ ଶୀତର ମାତ୍ରା ବୃଦ୍ଧି ପାଇନାହିଁ। କେବଳ ସକାଳ ଓ ସନ୍ଧ୍ୟାରେ ଥଣ୍ଡା ଅନୁଭୂତ ହେଉଛି। ଭୋରରେ ସହର ସମେତ ଆଖପାଖ ଇଲାକାରେ ପ୍ରବଳ କୁହୁଡ଼ି ହେଉଥିବା କିଛି ସ୍ଥାନରେ କାକର ବି ପଡ଼ୁଛି। ପ୍ରାୟତଃ ଅକ୍ଟୋବର ମାସ ବେଳକୁ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଏବେ ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମଧ୍ୟ ଆଶାନୁରୂପ ଶୀତ ଅନୁଭୂତ ହେଉନାହିଁ।
The post ଭଞ୍ଜନଗରରେ ଖୋଲିଲା ରାଜସ୍ଥାନୀ ଶୀତବସ୍ତ୍ର ବଜାର, ଏଥର ଭଲ ବେପାର ଆଶା first appeared on Sambad.from ଜିଲ୍ଲା | Sambad https://ift.tt/3C4USAw
0 Comments