ବାରିପଦା: ଦୁଇଟି ଭିନ୍ନ ଦୁଷ୍କର୍ମ ମାମଲାର ବିଚାର କରି ବୁଧବାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର ରାୟ ଶୁଣାଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ମରୋଡା ଥାନା ଅଞ୍ଚଳର ଜନୈକା ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ପରିବାରର ଏତଲାକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ଚିତ୍ରଡ଼ା ଗ୍ରାମର ବୁଚା ଓରୋଫ ଉଗ୍ରେସ ମହାନ୍ତ (୫୫)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବୁଚା ୨୦୧୬ ଜୁଲାଇ ୧୩ ତାରିଖରୁ ବାରିପଦା ଜେଲରେ ବିଚାରାଧୀନ କଏଦୀ ଥିଲେ। ଏହି ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ଅଦାଲତର ବିଚାରପତି ଶ୍ରୀ ସୂତ୍ରଧର ୧୬ ସାକ୍ଷୀ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତିକରି ବୁଚାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ପୋକ୍ସୋ ଧାରା ଅନୁସାରେ ତାଙ୍କୁ ୫ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଏଥି ସହ ୩୫୪ ଦଫାରେ ବର୍ଷେ ଜେଲ ଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ୩ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଉ ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ବୈଶିଙ୍ଗା ଥାନା ଗଡଦେଉଳିଆ ଗ୍ରାମର ଆସାମୀ ବରଜୁ ସିଂ(୩୦)ଙ୍କୁ ପୋକ୍ସୋ ଧାରାରେ ୫ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ୩୫୪ ଧାରାରେ ଏକ ବର୍ଷ ଜେଲଦଣ୍ଡ ସହ ଏକ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟ ଅଧିକ ୩ମାସ ଜେଲଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ୧୭ ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ସ୍ୱତନ୍ତ୍ର ବିଚାରପତି ଶ୍ରୀ ସୂତ୍ରଧର ଏଭଳି ଦଣ୍ଡବିଧାନ କରିଛନ୍ତି। ଉଭୟ ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

The post ୨ ନାବାଳିକା ଦୁଷ୍କର୍ମକାରୀଙ୍କୁ ଜେଲଦଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3kpCYmg