ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଧାନଶୋଳ ଲୋଧାବସ୍ତିର ଜଣେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ମୃତକ ଦୁଇଜଣ ସମ୍ପର୍କୀୟ ଭାଇଭଉଣୀ ବୋଲି ସୂଚନା ମିଳିଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଛି, ତାହା ଏଯାଏ ସ୍ପଷ୍ଟ ହୋଇନି। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ଛାନ୍‌ଭିନ୍‌ କରୁଛି। ମୃତକ ହେଲେ ସନା ନାଏକଙ୍କ ପୁଅ ରାଜୁ (୧୭) ଓ ବିଶ୍ବ ଭକ୍ତାଙ୍କ ଝିଅ ସୀମା (୧୫)। ରାଜୁର ମା’ ଚାନ୍ଦ ଓ ସୀମାର ମା’ ମନ୍ଦ ଦୁଇ ଭଉଣୀ। ଉଭୟ ପରିବାର ମଧ୍ୟରେ ସମ୍ପର୍କ ଖୁବ୍‌ ଭଲ ଥିଲା। ରାଜୁ ଓ ସୀମା ଭାଇଭଉଣୀ ହୋଇଥିବାରୁ ପିଲାଟି ଦିନୁ ସାଙ୍ଗସାଥୀ, ଖେଳକୁଦ କରି ବଡ଼ ହୋଇଥିଲେ। ପାଖ ପଡ଼ୋଶୀ ଓ ପରିବାର ଲୋକଙ୍କ କହିବା ଅନୁଯାୟୀ ଦୁହିଁଙ୍କ ଭିତରେ କୌଣସି ମନୋମାଳିନ୍ୟ ନଥିଲା। ନିକଟରେ ରାଜୁ ଏକ ନୂଆ ମୋବାଇଲ୍‌ କିଣିଥିବା ବେଳେ ଦୁହେଁ ବହୁ ସମୟ ଧରି ସାଙ୍ଗରେ ମୋବାଇଲ୍‌ ବ୍ୟବହାର କରୁଥିଲେ। ତେବେ ଆଜି ସକାଳ ହଠାତ୍‌ ଉଭୟଙ୍କ ମୃତଦେହ ଗାଁ ପାଖ ଗଛରେ ଝୁଲୁଥିବା ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ। ସୀମାର ମୃତଦେହ ଓଢ଼ଣୀରେ ଝୁଲୁଥିବା ବେଳେ ରାଜୁର ମୃତଦେହ ଏକ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଏଥିସହ ସୀମା ହାତରେ କିଛି ଗୁଟ୍‌କା ପ୍ୟାକେଟ୍‌ ଥିବାର ଦେଖାଯାଇଥିଲା। ଖବର ପାଇ ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ, ଏସ୍‌ଆଇ ମମତା ମିଶ୍ର, କୃଷ୍ଣଚନ୍ଦ୍ରପୁର ଫାଣ୍ତି ଅଧିକାରୀ ପିସି ପଣ୍ତା, ସାଇଣ୍ଟଫିକ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ଏ ନେଇ ବେତନଟୀ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ସବୁ ଦିଗକୁ ଧ୍ୟାନରେ ରଖି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଥାନା ଆଇଆଇସି।

The post ଗଛରେ ଝୁଲିପଡ଼ିଲେ ଭାଇଭଉଣୀ; ହତ୍ୟା ନା ଆତ୍ମହତ୍ୟା? କାରଣ ଖୋଜୁଛି ପୁଲିସ first appeared on Sambad.

from ଜିଲ୍ଲା | Sambad https://ift.tt/3p6R8ue