
ସମ୍ବଲପୁର/ବୁର୍ଲା : କିଛି କାମ ମାସ ତଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରୁ ବିନା ଅନୁମତିରେ ଗଛ କଟାଯିବା ଏବଂ କିଛି ଗଛ ପୋଡ଼ାଯିବାକୁ କେନ୍ଦ୍ର କରି ବଡ଼ ଅଘଟଣ ଘଟିଥିବା ବେଳେ ଏବେ ପୁଣି ଲାଇବ୍ରେରିରୁ ବହି ପୋଡ଼ି ଦିଆଯିବା ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରିରେ ହଜାର ହଜାର ବହି ଏଣେତେଣେ ପଡ଼ି ରହିଥିବା ଚିତ୍ର ସାମ୍ନାକୁ ଆସିଥିଲା। ଏବେ ପୁଣି ଲାଇବ୍ରେରି ପଛପଟେ ବ୍ୟାପକ ବହି ପୋଡ଼ି ଦିଆଯାଇଥିବା ଅଭିଯୋଗ ଆସିଛି। ବିଶ୍ୱବିଦ୍ୟାଳୟ ଭଳି ବିଦ୍ୟାର ମନ୍ଦିରରେ ବହି ପୋଡ଼ାଯିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବହି ପୋଡ଼ାଯାଇଥିବାର ଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।
କିଛି ମାସ ତଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବହି କିଣାଯାଇଥିବା କୁହାଯାଉଛି। ଲାଇବ୍ରେରି ପାଇଁ ଅଣାଯାଇଥିବା ଏହି ବହିଗୁଡ଼ିକ ମଧ୍ୟରୁ କେତେକ ଉପଯୋଗୀ ବହି ତାହା ସ୍ପଷ୍ଟ ହୋଇନଥିବା ବେଳେ ବିଭାଗୀୟ ମୁଖ୍ୟମାନଙ୍କ ଅନାଗ୍ରହ ସତ୍ତ୍ବେ ବାଧ୍ୟବାଧକତାରେ ବହି ଅଣାଯାଇଥିବା ଚର୍ଚ୍ଚା ହେଉଛି। କିଛିଦିନ ତଳେ ପୁରୁଣା ବହିଗୁଡ଼ିକୁ ଫିଙ୍ଗି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେହି ବହିଗୁଡ଼ିକୁ ପୋଡ଼ି ଦିଆଯାଇଥିବା କୁହାଯାଉଛି।
ଘଟଣା ସମ୍ପର୍କରେ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେ ଏହି ବିଷୟରେ କିଛି ଜାଣି ନଥିବା କହି ପାଠାଗାରର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରିବା ପାଇଁ କହିଥିଲେ।
ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ଲାଇବ୍ରିଆନ୍ଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଲେ, ଲାଇବ୍ରେରି କର୍ମଚାରୀମାନଙ୍କ ଅଭାବ ରହିଛି। ଲାଇବ୍ରେରି ଉପର ମହଲାର ଏକ ପ୍ରକୋଷ୍ଠରେ ବହୁ ସଂଖ୍ୟାରେ ପୁରୁଣା ବହି ରହିଥିଲା। ଉକ୍ତ ପ୍ରକୋଷ୍ଠଟି ବହୁ ବର୍ଷ ହେଲା ବନ୍ଦ ପଡ଼ିଥିଲା। ସେହି ପ୍ରକୋଷ୍ଠରେ ଷ୍ଟାର୍ଟଅପ୍ ଓଡ଼ିଶାର ଏକ ପ୍ରକଳ୍ପ କାର୍ଯ୍ୟାଳୟ ଖୋଲିବା ପାଇଁ ଯୋଜନା ଥିବାରୁ ବହିଗୁଡ଼ିକୁ ବାହାର କରି ଡିଜିଟାଇଜେସନ୍ କରି ଅନ୍ୟ ବିଭାଗଗୁଡ଼ିକୁ ପଠାଇବାର ଥିଲା। କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ନିର୍ଦ୍ଦେଶ କ୍ରମେ ସେହି ପ୍ରକୋଷ୍ଠରୁ ନୂଆ ପାଠାଗାରକୁ ବହିଗୁଡ଼ିକ ସ୍ଥାନାନ୍ତରିତ କରିଥିଲୁ। କିନ୍ତୁ, ପ୍ରଫେସର ମିତ୍ତଳ ନିଜ ତତ୍ତ୍ବବାଧାନରେ ୨୦ ଜଣ ଶ୍ରମିକଙ୍କୁ ଆଣି ଯଥାଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ କହିଥିଲେ। ତେଣୁ କରି ତରବରରେ ଶ୍ରମିକମାନେ ବହି ଗୁଡ଼ିକ ଏଣେତେଣେ ଫିଙ୍ଗି ଦେଇଥିଲେ ବୋଲି ସେ କହିଛନ୍ତି। ତେବେ, ବହି ପୋଡ଼ାଯିବା ସଂକ୍ରାନ୍ତରେ ପ୍ରଶ୍ନ ହେବାରୁ ସେ ସ୍ପଷ୍ଟ ଉତ୍ତର ରଖିନଥିଲେ। ଆସିଷ୍ଟାଣ୍ଟ ଲାଇବ୍ରିଆନ୍ କହିଥିଲେ, ବହି ପୋଡ଼ା ହୋଇଛି ନା’ ଅନ୍ୟ କିଛି ପୋଡ଼ାଯାଇଛି, ତାହା ସେ କହିପାରିବେ ନାହିଁ। ସେ ଛୁଟିରେ ଥିବା ସମୟରେ କିଛି ପୋଡ଼ାଯାଇଥିବା ସେ କହିଛନ୍ତି। ଅନ୍ୟ ପଟେ କିଛି ଦିନ ପୂର୍ବରୁ ପାଠାଗାରରୁ ଟ୍ରାକ୍ଟର ଯୋଗେ ନିଆଯାଇଥିବା ବହି ଗୁଡିକ କେଉଁଠି ଫିଙ୍ଗା ଯାଇଛି ତାହାର ଉତ୍ତର କାହାରି ପାଖରେ ନାହିଁ। ଅପରପକ୍ଷରେ ପୂର୍ବତନ ସିଣ୍ଡିକେଟ୍ ସଦସ୍ୟ ତଥା ଆଇନଜୀବୀ ଦୁର୍ଗା ପାଢ଼ୀ ବହି ପୋଡ଼ା ଯିବା ଘଟଣା ପାଇଁ କୁଳପତିଙ୍କୁ ଦାୟୀ କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
The post ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବ୍ୟାପକ ବହି ପୋଡ଼ି ଦିଆଯାଇଥିବା ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3xu7gtr
0 Comments