
କେନ୍ଦୁଝର/ଆନନ୍ଦପୁର/ଘଟଗାଁ: କେନ୍ଦୁଝର ଜିଲ୍ଲାର ନିଜସ୍ବ ପାଣ୍ଠି ଡିଏମ୍ଏଫ୍ର ଦୁରୁପୋଯୋଗ ହେଉଛି। ଜିଲ୍ଲାରେ ଯେଉଁ ବିକାଶମୂଳକ କାର୍ଯ୍ୟ ହେଉଛି ରାଜ୍ୟ ସରକାର ତାଙ୍କ ନିଜ ଅଂଶ ଦେଉ ନାହାନ୍ତି। ଡିଏମ୍ଏଫ୍ ଅର୍ଥ ଖର୍ଚ୍ଚ କରି ବାହାବା ନେଉଛନ୍ତି। ତେଣୁ ଜିଲ୍ଲାର ବିକାଶ ପରିବର୍ତ୍ତେ ଗରିବି ବଢ଼ି ଚାଲିଛି। ଖଣିଜ ବହୁଳ ଏହି ଜିଲ୍ଲାରେ ବର୍ତ୍ତମାନ ଗରିବଙ୍କ ମାତ୍ରା ୪୨ ପ୍ରତିଶତ ଛୁଇଁଛି ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରକାଶ କରିଛନ୍ତି।
କେନ୍ଦୁଝର ଗସ୍ତ ବେଳେ ସର୍କିଟ ହାଉସ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ତିନିଟି ପ୍ରମୁଖ ପ୍ରସଙ୍ଗ ଉପରେ ସେ ଗୁରୁତ୍ବ ଦେଇ ସେ କହିଲେ ଯେ, ରାଜ୍ୟରେ ଏବେ ପ୍ରତି ୩ ଜଣରେ ଜଣେ ଲୋକ ଗରିବ। ସେହିପରି ଖଣିଜ ବହୁଳ କେନ୍ଦୁଝର ଜିଲ୍ଲାରେ ୪୨ ପ୍ରତିଶତ ଲୋକ ଗରିବ। ଆର୍ଥିକ ଦୃଷ୍ଟିକୋଣରୁ ସମୃଦ୍ଧ ଥାଇ ଜିଲ୍ଲାରେ କାହିଁକି ଏତେ ଗରିବ ଲୋକ ରହିଛନ୍ତି ସେନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। କେନ୍ଦୁଝର ଜିଲ୍ଲାରେ ବହୁବର୍ଷ ଧରି ନିର୍ମାଣ ହେଉଥିବା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ସେ କହିଲେ ଯେ, ଦୀର୍ଘଦିନ ଧରି ଏହି ପ୍ରକଳ୍ପ କାମ ସରୁନାହିଁ। ଏହି ପ୍ରକଳ୍ପ ପ୍ରତି ସରକାରଙ୍କ ଇଚ୍ଛା ନାହିଁ ବୋଲ ଭାବିବାକୁ ହେବ।
ଏହି ପ୍ରକଳ୍ପ ଶେଷ କରିବା ପାଇଁ କାହିଁକି ଏବଂ କାହା ଚାପରେ ରାଜ୍ୟ ସରକାର ଆଗ୍ରହ ଦେଖାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଜିଲ୍ଲାରେ ବେରୋଜଗାର ସମସ୍ୟା ସୀମା ଟପିଛି। କରୋନା ସମୟରେ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରିଥିଲେ। ସରକାର କାମଧନ୍ଦା ଯୋଗାଇ ନଦେବାରୁ ପୁଣି ସେମାନେ ଫେରି ଯାଇଛନ୍ତି। ଜିଲ୍ଲାରେ ବହୁ ଲୋକ ଟ୍ରକ୍ ବ୍ୟବସାୟ ଉପରେ ନିର୍ଭରଶୀଳ। ହେଲେ ଟ୍ରକ୍ରେ ଲୁହାପଥର ପରିବହନକୁ ପ୍ରାଧାନ୍ୟ ଦିଆଯାଉ ନାହିଁ। ଦୀର୍ଘ ୨୧ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟର ଅବସ୍ଥା ସୁଧୁରି ନଥିବାରୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟ କିଭଳି ଚାଲୁଛି ତାହା ସହଜେ ଅନୁମେୟ। ମା’ତାରିଣୀ ପୀଠକୁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସୁଥିଲେ ହେଁ ଏଠାକୁ ରେଳ ସଂଯୋଗ ହୋଇନି। ଶ୍ରଦ୍ଧାଳୁମାନେ ୧୫ କିଲୋମିଟର ଦୂର ହରିଚନ୍ଦନପୁର ଏବଂ ନୀଳକଣ୍ଠେଶ୍ୱର ଷ୍ଟେସନ୍ରେ ଓହ୍ଲାଇ ଘଟଗାଁ ଆସୁଛନ୍ତି। ଘଟଗାଁକୁ ରେଳ ସଂଯୋଗ କରିବା ପାଇଁ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ରଖିବେ। ମା’ତାରିଣୀଙ୍କ ନାମରେ ରେଳ ଷ୍ଟେସନ କରିବାକୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି।
ସେହିପରି ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ, ଶୀତଳଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା ହେବା ଜରୁରୀ। କେନ୍ଦୁଝରରେ ଶୀତଳଭଣ୍ଡାର ନଥିବାରୁ ଫଳ, ପନିପରିବା ନଷ୍ଟ ହେଉଛି। ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଓଏସ୍ଆର୍ଟିସି ଦ୍ୱାରା ପରିଚାଳିତ ବସ୍ଷ୍ଟାଣ୍ଡର ଉନ୍ନତୀକରଣ ଏବଂ ପୌରପାଳିକା ଦ୍ୱାରା ପରିଚାଳିତ ବସ୍ଷ୍ଟାଣ୍ଡକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାପାଇଁ ସେ ଦାବି କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ସାଙ୍ଗକୁ ଡ୍ୟୁଟି ସମୟରେ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ସେ ଉଦ୍ବେଗ ପ୍ରକାଶ କରିଥିଲେ।
କେନ୍ଦୁଝର ସହରର ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସେ ଚିନ୍ତାବ୍ୟକ୍ତ କରିଥିଲେ। ଉପଯୁକ୍ତ ଯୋଜନା କରି ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ଗୁରୁତ୍ୱ ଦେଇଥିଲେ। ସେହିପରି ବ୍ୟବସାୟୀଙ୍କୁ ଥଇଥାନ ପାଇଁ ସ୍ୱତନ୍ତ୍ର ଭେଣ୍ଡିଂଜୋନ୍ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଏହା ନହେଲେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ବୋଲି କହିଥିଲେ। କେନ୍ଦୁଝର ଜିଲ୍ଲାରେ ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ରହିଛି। ଏସବୁର ଉପଯୁକ୍ତ ବିକାଶ କରାଗଲେ ଦେଶ ବିଦେଶରୁ ଅଧିକ ପର୍ଯ୍ୟଟକ ଆସିବେ। ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ହୋଇପାରିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ବିଭୂତି ପ୍ରଧାନ ଓ ଅଶ୍ୱିନୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହାପରେ ସେ ପଦଯାତ୍ରାରେ ଯାଇ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ପୂର୍ବରୁ ସେ କେନ୍ଦୁଝର ପୁରୁଣାବଜାରସ୍ଥିତ ବଳଦେବଜିଉଙ୍କୁ ଦର୍ଶନ କରି ଏକ ବାଇକ୍ ରାଲିରେ ସହର ପରିକ୍ରମା କରିଥିଲେ।
The post ଡିଏମଏଫ୍ ଦୁରୁପଯୋଗରୁ କେନ୍ଦୁଝର ଜିଲ୍ଲାରେ ୪୨ ପ୍ରତିଶତ ଲୋକ ଗରିବ first appeared on Sambad.from ଜିଲ୍ଲା | Sambad https://ift.tt/3xwQxWm
0 Comments