
କଟକ : ନ୍ୟାୟିକ ପ୍ରକ୍ରିୟାରେ ମଧ୍ୟସ୍ଥତାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମଧ୍ୟସ୍ଥି ପ୍ରକ୍ରିୟା ବହୁ କାଳରୁ ଆମ ସମାଜରେ ରହି ଆସିଛି। ପଞ୍ଚାୟତସ୍ତରରେ ହେଉଥିବା ନ୍ୟାୟିକ ବୈଠକରେ ମଧ୍ୟସ୍ଥତା ଏକ ଉଦାହରଣ। ରାଜ୍ୟ ଆଇନ ସେବା ଭବନରେ ଓଡିଶା ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରକୁ ଉଦ୍ଘାଟନ କରିବା ଅବସରରେ ଆୟୋଜିତ ଏକ ସଭାରେ ଉଦ୍ବୋଧନ ଦେଇ ସୁପ୍ରିମକୋର୍ଟ ବିଚାରପତି ତଥା ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଜଷ୍ଟିସ ଏ.ଏମ୍. ଖାନୱିଲକର ଏହା କହିଛନ୍ତି।
ଓଡିଶା ଜୁଡିସିଆଲ ଏକାଡେମି ଠାରେ ଆୟୋଜିତ ଉଦ୍ଘାଟନୀ ସଭାରେ ଯୋଗ ଦେଇ ସେ କହିଥିଲେ ଯେ, ଏହି କେନ୍ଦ୍ର ଦ୍ବାରା ପଡି ରହିଥିବା ବହୁ ପୁରୁଣା ମାମଲାର ଶୀଘ୍ର ଫଇସଲା ହୋଇପାରିବ। ଏବେ ୧୫ଲକ୍ଷରୁ ଅଧିକ ମାମଲା ବିଭିନ୍ନ ନିମ୍ନ ଅଦାଲତରେ ଓ ୧ ଲକ୍ଷ ୮୮ହଜାରରୁ ଅଧିକ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିବାବେଳେ ମଧ୍ୟସ୍ଥତା କେନ୍ଦ୍ର ଏ ଗୁଡ଼ିକର ଫଇସଲା ଦିଗରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ .ଏସ୍. ବୋପନ୍ନା ଯୋଗଦେଇ ମଧ୍ୟସ୍ଥତା କେନ୍ଦ୍ର ମାମଲା ବୋଝ କମାଇବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଉଭୟ ପକ୍ଷ ସନ୍ତୁଷ୍ଟ ଓ ସମ୍ମତ ନହେଲେ କୌଣସି ମାମଲାର ଫଏସଲା ସମ୍ଭବ ହୋଇ ନଥାଏ । ତେଣୁ ମଧ୍ୟସ୍ଥତା କେନ୍ଦ୍ର ଏ ଦିଗରେ ବଡ଼ ଭୂମିକା ନେବ। ନିକଟରେ ରେକର୍ଡ ରୁମ ଡିଜିଟାଇଜେସନ କରାଯାଇଥିବା ବେଳେ ମଧ୍ୟସ୍ଥତା କେନ୍ଦ୍ର ବିଚାର ବ୍ୟବସ୍ଥାରେ ବେଶ ଉପାଦେୟ ହୋଇ ପାରିବ ।
ସେହିପରି ହାଇକୋର୍ଟଙ୍କ ପକ୍ଷରୁ ସ୍ଥାୟୀ ଲୋକ ଅଦାଲତ ମଧ୍ୟ ଆସନ୍ତା ୨୨ ତାରିଖରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଜଷ୍ଟିସ ମୁରଲୀଧର ଅବଗତ କରାଇଥିଲେ। ଏହି ଉତ୍ସବରେ ହାଇକୋର୍ଟ ବିଚାରପତି ତଥା ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ଯଶୱନ୍ତ ସି˚ହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ହାଇକୋର୍ଟ ମଧ୍ୟସ୍ଥତା କମିଟିର ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୩୦ ଜଣ ଆଇନ୍ଜୀବୀଙ୍କୁ ନେଇ ଆୟୋଜିତ ହେଉଥିବା ମଧ୍ୟସ୍ଥତା ସ˚କ୍ରାନ୍ତୀୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରାଯାଇଥିଲା। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବେ ଏ.ଜେ ଜାୱାଦ, ରିତା ଦାସ ମଜୁମଦାର, ସୁମନ ଶର୍ମା ପ୍ରମୁଖ ଯୋଗ ଦେଇଛନ୍ତି।
The post ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ର ଉଦ୍ଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/3nzCqvY
0 Comments