କଟକ : ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ବିଭାଜନ ରେଖା ଟଣାଯାଉଛି। ଏହା ଆମ ଶିକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଦିଗରୁ ଦୁର୍ବଳ କରୁଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନଗଶପୁର ଜୟନ୍ତୀ ବିଦ୍ୟାପୀଠରେ ଆୟୋଜିତ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।

ଶ୍ରୀ ପଟ୍ଟନାୟକ ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୁଧୀର ଚନ୍ଦ୍ର ଷଡଙ୍ଗୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନାଗରିକ ସମାଜ ଓ ମଧ୍ୟବିତ୍ତ ବୁଦ୍ଧିଜୀବୀଙ୍କ ନିଷ୍କ୍ରିୟତା ପାଇଁ ଗଣତନ୍ତ୍ର ପ୍ରଭାବଶାଳୀ ହୋଇପାରୁନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଜୟନ୍ତୀ ବିଦ୍ୟାପୀଠର ସୁନ୍ଦର ପରିବେଶ, କଠୋର ଶୃଙ୍ଖଳା ଓ ଅନନ୍ୟ ଶିକ୍ଷାଦାନ ଶୈଳୀକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଜୀବନ ଗଠନରେ ବ୍ରତୀ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏଥିସହିତ, ବୃତ୍ତିଗତ ଜୀବନରୁ ଅବସରଗ୍ରହଣ କରୁଥିବା ଶିକ୍ଷିତ ବ୍ୟକ୍ତିମାନେ ସେମାନଙ୍କ ଅଭି‌ଜ୍ଞତା ଓ ଅନୁଭବକୁ ସମାଜର ଗଠନମୂଳକ କ୍ଷେତ୍ରରେ ଉପଯୋଗ କରିବାକୁ ସେ ଆହ୍ବାନ ‌ଦେଇଥିଲେ।

ଜୟନ୍ତୀ ବିଦ୍ୟାପୀଠର ପ୍ରତିଷ୍ଠାତା ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ପ୍ରତିଷ୍ଠାର ଇତିହାସ ବିଷୟରେ କହିଥିଲେ। ଶିକ୍ଷକ ଶିବପ୍ରସାଦ ଭୂୟାଁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଛାତ୍ରୀ ବର୍ଷା ଦାସ ଓ ପ୍ରାକ୍ତନ ଛାତ୍ର ଆଇନଜୀବୀ ଇଂ. ଆକାଶ ଭୂୟାଁ ପ୍ରଧାନଶିକ୍ଷକ ଶ୍ରୀ ଷଡଙ୍ଗୀଙ୍କ ସଂପର୍କରେ ଆଲୋକପାତ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ଅସୁରେଶ୍ବର ସୁଭଦ୍ରା ମହତାବ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଉମାନାଥ ମହନ୍ତ, ସମାଜସେବୀ ନାରାୟଣ ଦ୍ବିବେଦୀ ଯୋଗ ଦେଇଥିଲେ।

ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ତଥା ତିର୍ତ୍ତୋଲ ବ୍ଲକ୍ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୂୟାଁ, ନିଶ୍ଚିନ୍ତକୋଇଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ମହାପାତ୍ର, ନେମାଳ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଦେ, ଶିକ୍ଷକ ନେତା ନିରଞ୍ଜନ ଭୂୟାଁ, ସିଆର୍‌ସିସି ରବେୟା ସରୱାର, ପ୍ରାକ୍ତନ ପ୍ରଧାନଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସ, ପ୍ରାକ୍ତନ ପ୍ରଧାନଶିକ୍ଷକ ଭବାନୀ ପ୍ରସାଦ ପଣ୍ଡା, ବଟକୃଷ୍ଣ ସ୍ବାଇଁ, ସରପଞ୍ଚ ଶେଖ୍ ମୁକ୍ତାର ଅଲ୍ଲୀ, ପ୍ରାକ୍ତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ଦାସ, ଶିକ୍ଷୟିତ୍ରୀ ମାନସୀ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଇଞ୍ଜିନିୟର ଆଲୋକ ଭୂୟାଁ ଓ ତ୍ରୈଲୋକ୍ୟ ସ୍ବାଇଁଙ୍କ ନେତୃତ୍ବରେ ପ୍ରଧାନଶିକ୍ଷକ ଶ୍ରୀ ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଶକ୍ତିପ୍ରସାଦ ଜେନା ମାନପତ୍ର ପାଠ କରିଥିବା ବେଳେ ମୀର୍‌ ଅନ୍‌ସାର ଅଲ୍ଲୀ ଧନ୍ୟବାଦ ଦେଇଥିଲେ।

The post ବିଭାଜନ ରେଖା ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରୁଛି: ସୌମ୍ୟ first appeared on Sambad.

from ଜିଲ୍ଲା | Sambad https://ift.tt/3d618hB