
ବଲାଙ୍ଗୀର : ବଲାଙ୍ଗୀରର ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତ ଜେଲ୍ ଯାଇଥିଲା। ଗତ ୨୦୧୬ ମସିହାର ଏହି ମାମଲା ମାନ୍ୟବର ଫାଷ୍ଟଟ୍ରାକ ସ୍ପେସାଲ କୋର୍ଟ ପୋକ୍ସୋରେ ବିଚାରାଧୀନ ଥିଲା। ଏହି ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। ଆଡିସିନାଲ ଡିଷ୍ଟ୍ରିକ୍ଟ ସେସନ୍ ଜଜ୍ ବିରଞ୍ଚି ନାରାୟଣ ମିଶ୍ର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସୁମିତ ମଲ୍ଲିକକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଜରିମାନା ଆଦାୟ କରିବାକୁ ରାୟ ଶୁଣାଇଛନ୍ତି। ଉଭୟ ଅଲଗା ଅଲଗା କେସ୍ରେ ସମାନ ଦଣ୍ଡାଦେଶ ହୋଇଛି।
ଗତ ୨୦୧୬ ମସିହା ଏପ୍ରିଲ ୭ ତାରିଖରେ ବଲାଙ୍ଗୀର ଟାଉନ ଥାନାରେ ରୁଜୁ ହୋଇଥିବା ଦୁଷ୍କର୍ମ ମାମଲା ସେ ସମୟରେ ହଇହଇ ସୃଷ୍ଟି କରିଥିଲା। ସୁମିତ ମଲ୍ଲିକ (୨୨) ବାରମ୍ବାର ନିଜର ଦୁଇ ସଂପର୍କୀୟ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଦୁଇ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ପର ଘରେ କାମ କରି ପରିବାର ଚଳାଉଥିଲେ। ମା’ କାମକୁ ଯାଇଥିବା ସମୟରେ ସୁମିତ ଘରକୁ ଆସି ୧୦ ବର୍ଷ ଏବଂ ୮ ବର୍ଷର ଦୁଇ ସଂପର୍କୀୟ ଭଉଣୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା। ଏହା ଜାଣିବାପରେ ନାବାଳିକାଙ୍କ ମା ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଅଧାର କରି ପୁଲିସ ଅଭିଯୁକ୍ତକୁ ସୁମିତକୁ ଗିରଫ କରି ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଥିଲା। ସେ ସମୟରୁ ଅଭିଯୁକ୍ତ ବଲାଙ୍ଗୀର ଜେଲରେ ବିଚାରଧୀନ କଏଦୀ ଭାବରେ ଥିଲା। ତତ୍କାଳୀନ ଟାଉନ ଥାନା ଏସ୍ଆଇ ତପସ୍ୱିନୀ ସେଠୀ ମାମଲାର ଚାର୍ଜସିଟ ଦାଖଲ କରିଥିଲେ। ଏହି ମାମଲାରେ ବିଚାର କରି ବଲାଙ୍ଗୀର ଫାଷ୍ଟଟ୍ରାକ୍ ଏବଂ ପୋକ୍ସୋ କୋର୍ଟରେ ବିଚାରପତି ବିରଞ୍ଚିନାରାୟଣ ମିଶ୍ର ଅଭିଯୁକ୍ତ ସୁମିତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି। ଉଭୟ ଭଉଣୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେସାଲ ପବ୍ଲିକ ପ୍ରସିକ୍ୟୁଟର ନିତ୍ୟାନନ୍ଦ ବରାଇ ମାମଲାର ପରିଚାଳନା କରୁଥିଲେ।
The post ସଂପର୍କୀୟ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ first appeared on Sambad.from ଜିଲ୍ଲା | Sambad https://ift.tt/3d5EJRv
0 Comments