
ବାଲେଶ୍ୱର:୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ଅଭୂତପୂର୍ବ ବିଜୟକୁ ସ୍ମରଣୀୟ କରିବା ପାଇଁ ଚଳିତ ବର୍ଷ ସମଗ୍ର ଦେଶରେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଏକ ବିଜୟ ମଶାଲ ଶୋଭାଯାତ୍ରା ଦେଶର ବିଭିନ୍ନ ରାଜ୍ୟ ପରିଭ୍ରମଣ କରୁଛି। ଗତ ଅକ୍ଟୋବର ୨୦ ତାରିଖରୁ ଏହି ସ୍ୱର୍ଣ୍ଣିମ ବିଜୟ ମଶାଲ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରିଥିବା ବେଳେ ଆଜି ଏହା ବାଲେଶ୍ୱରରେ ପହଞ୍ଚିଥିଲା। ଆଜି ମଧ୍ୟାହ୍ନରେ ସ୍ଥାନୀୟ ରିଜର୍ଭ ପୁଲିସ ପରେଡ୍ ପଡ଼ିଆଠାରେ ଏହାକୁ ଭବ୍ୟ ସ୍ବାଗତ କରାଯାଇଥିଲା। ପୁଲିସ ବ୍ୟାଣ୍ଡ୍ର ତାଳେ ତାଳେ ବିଜୟ ମଶାଲକୁ ଆନୁଷ୍ଠାନିକ ସ୍ବାଗତ ସହ ମଞ୍ଚ ଉପରକୁ ନିଆଯାଇଥିଲା। ପ୍ରତିରକ୍ଷା ବିଭାଗ ଅଧିକାରୀଙ୍କ ପାଖରୁ ଏହାକୁ ଆଣି ମଞ୍ଚ ଉପରେ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯିବା ପରେ ପୁଲିସ ବାହିନୀ ପକ୍ଷରୁ ବିଜୟ ମଶାଲକୁ ସାଲ୍ୟୁଟ୍ ଏବଂ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

ପୂର୍ବାଂଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଏସ୍ପି ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଭବେଶ କୁମାର ନାୟକଙ୍କ ସମେତ ପ୍ରତିରକ୍ଷା ବିଭାଗ ଅଧିକାରୀ, ପୁଲିସ ବିଭାଗ ଅଧିକାରୀ ଏବଂ ଅନ୍ୟମାନେ ମଞ୍ଚ ଉପରେ ଉପସ୍ଥିତ ରହି ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ ସହ ପୁଷ୍ପ ଅର୍ପଣ କରିଥିଲେ। ଏହା ପରେ ପୁଲିସ ବାହିନୀ ଦ୍ୱାରା ବିଜୟ ମଶାଲକୁ ପ୍ରତିରକ୍ଷା ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀ, ଏନସିସି, ସ୍କାଉଟ୍, ଏନ୍ଏସ୍ଏସ୍ କ୍ୟାଡେଟ୍ମାନେ ରାସ୍ତାପାର୍ଶ୍ୱରେ ଉପସ୍ଥିତ ରହି ପୁଷ୍ପବୃଷ୍ଟି ସହ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୂତାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ଡିଏସପି ମାନସ ଦେଓ, ସର୍ଜେଂଟ ରାଜୀବ ମାର୍ଣ୍ଡିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହା ପରେ ପରେ ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରିଥିଲା ଚାନ୍ଦିପୁର ସ୍ଥିତ ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂସ୍ଥା) କ୍ୟାମ୍ପସକୁ। ଅପରାହ୍ନ ୨ଘଟିକାରେ ସେଠାରେ ବିଜୟ ମଶାଲ ପହଞ୍ଚିବା ପରେ ଡିଆରଡିଓ ଏବଂ ପ୍ରତିରକ୍ଷା ବିଭାଗର ବାଲେଶ୍ୱର ଷ୍ଟେସନ ହେଡକ୍ୱାର୍ଟର ଦ୍ୱାରା ସ୍ବର୍ଣ୍ଣିମ ବିଜୟ ମଶାଲକୁ ଆନୁଷ୍ଠାନିକ ଭାବେ ସ୍ବାଗତ ଓ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

ପ୍ରତିରକ୍ଷା ବିଭାଗ ବ୍ୟାଣ୍ଡ ଟ୍ରୁପ୍ ଦ୍ୱାରା ଉଚ୍ଚକୋଟୀର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡିଆରଡିଓ ପ୍ରେକ୍ଷାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧ ଉପରେ ପ୍ରସ୍ତୁତ ଏକ କ୍ଷୁଦ୍ର ପ୍ରାମାଣିକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମେତ କାରଗିଲର ଅପରେସନ ବିଜୟ, ଜାମ୍ମୁ କାଶ୍ମୀରର ଆତଙ୍କବାଦ ବିରୋଧୀ ଅପରେସନ ରକ୍ଷକ, ଗତବର୍ଷ ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷ ଓ ସେନା ଅପରେସନ୍ରେ ଭାଗ ନେଇଥିବା ଏବଂ ସହିଦ୍ ହୋଇଥିବା ବୀର ଯବାନ, ବୀରନାରୀ(ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପତ୍ନୀ)ଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଉତ୍ତର ଓଡ଼ିଶାର ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝରର ୩୦ଜଣ ବୀର ଯବାନ ଏବଂ ବୀର ନାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧରେ ଭାଗ ନେଇଥିବା ମେଜର ଜେନେରାଲ ଆରକେ ସାହୁ, ଚାନ୍ଦିପୁର ଆଇଟିଆର ନିର୍ଦ୍ଦେଶକ ଏଚକେ ରଥ, ଚାନ୍ଦିପୁର ପିଏକ୍ସଇ ନିର୍ଦ୍ଦେଶକ ଡିକେ ଯୋଶୀ, ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଭବେଶ କୁମାର ନାୟକ, ବାଲେଶ୍ୱର ଷ୍ଟେସନ ହେଡକ୍ୱାର୍ଟର ଏଡିଏମ, କମାଣ୍ଡାଂଟ୍ କର୍ଣ୍ଣେଲ ସତୀଶ କୁମାର, ପିଏକ୍ସଇ ଅତିରିକ୍ତ ନିର୍ଦ୍ଦେଶକ(ଏମଏ) କର୍ଣ୍ଣେଲ ସୁମନ କୁମାର ଦତ୍ତ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଲେଫ୍ଟନାଂଟ କର୍ଣ୍ଣେଲ ଆର ନାଗର, ଲେଫ୍ଟନାଂଟ କର୍ଣ୍ଣେଲ ଏସ ରୋହିଲା, ଲେଫ୍ଟନାଂଟ କର୍ଣ୍ଣେଲ ଆରକେ ବଳ, ଲେଫ୍ଟନାଂଟ କର୍ଣ୍ଣେଲ ଇମ୍ରାନ ଖାନ, ଲେଫ୍ଟନାଂଟ କର୍ଣ୍ଣେଲ ବିନୟ ଗମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା କାଲି ଏହି ସ୍ୱର୍ଣ୍ଣିମ ବିଜୟ ମଶାଲ ବାଲେଶ୍ୱରରୁ ବାହାରି ଜାମସେଦପୁର ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
The post ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ: ବାଲେଶ୍ୱରରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ, ୪ ଜିଲ୍ଲାର ୩୦ ଜଣ ବୀର ଯବାନ ଓ ବୀର ନାରୀଙ୍କୁ ସମ୍ମାନିତ first appeared on Sambad.from ଜିଲ୍ଲା | Sambad https://ift.tt/3bNbSAN
0 Comments