
ଭର୍ଚୁଆଲ୍ ମୋଡ୍ରେ ସ୍ମାର୍ଟକାର୍ଡ ବଣ୍ଟନ ଆରମ୍ଭ
୪୭୯ କୋଟି ୮୯ ଲକ୍ଷ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ମିନି ଷ୍ଟାଡିୟମ୍ରେ ସୋମବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବରେ ଯୋଗଦେଇଥିଲେ। ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡ଼ା ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହି ଜିଲ୍ଲା ଆଜି ତାର ପରିଚୟ ନେଇ ଧିରେଧିରେ ଅଗ୍ରଗତି କରୁଛି। ଜିଲ୍ଲାରେ ଆଜି ସୁଦ୍ଧା ୮୦ ପ୍ରତିଶତ ପରିବାର ନିକଟରେ ପିଇବା ପାଣି ଦିଆଯାଇଛି ବୋଲି କହିଥିଲେ। ସଭାରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମଞ୍ଚାସୀନ ଥିଲେ।
ଏହି ଅବସରରେ ଖଡ଼ିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ନୂଆପଡ଼ା ଜିଲ୍ଲା ପାଇଁ ଆଜି ଏକ ଖୁସିର ଦିନ। ସ୍ମାର୍ଟକାର୍ଡ ଦ୍ବାରା ଜିଲ୍ଲାର ବୁହ ଗରିବ ଲୋକ ବିନା ଟଙ୍କାରେ ଚିକିତ୍ସିତ ହୋଇପାରିବେ। କିନ୍ତୁ ଖଡ଼ିଆଳ ମିସନ ଡାକ୍ତରଖାନାକୁ ସ୍ମାର୍ଟକାର୍ଡରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଅତିଥିମାନେ ଜିଲ୍ଲାର ୧୦ ଜଣ ମହିଳା ଭାରତୀ ମାଝୀ, ବାସନ୍ତୀ ସହିଶ, ରେଣୁକା ସହିଶ, ଜଗଧାତ୍ରୀ ବାଗ, ଦ୍ରୋପଦୀ କାଣ୍ଡ, ଅନବାଇ ସହିଶ, ପାର୍ବତୀ ମାଝୀ, ବିଶ୍ବାସୀ ମଞ୍ଜ, ଫୁଲ ଟୋପା, ପ୍ରେମାବାଇ ପାଣ୍ଡେଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରିଥିଲେ। ଜିଲ୍ଲାରେ ୧,୭୨,୬୪୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ। ଗ୍ରାମାଞ୍ଚଳରେ ୧,୬୩,୭୦୬ ଜଣ ଓ ସହରାଞ୍ଚଳରେ ୮,୯୩୪ ଜଣଙ୍କୁ ସ୍ମାର୍ଟକାର୍ଡ ମନ୍ତ୍ରୀମାନଙ୍କ ଉପସ୍ଥିତରେ ବଣ୍ଟାଯିବ।
ଏହାସହ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍ରେ ଜିଲ୍ଲାର ବିକାଶ ପାଇଁ ୪୭୯ କୋଟି ୮୯ ଲକ୍ଷ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ଅଭିନେତା କୁନା ତ୍ରିପାଠୀ, ସୁଲତା ଦେଓ ପରିଚାଳନା କରିଥିଲେ।ଏଥିରେ ନୂଆପଡ଼ା ଜିଲ୍ଲାପାଳଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ୩ଦିନ ଧରି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ନୂଆପଡ଼ା ବ୍ଲକ୍ରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସେହିପରି ସିନାପାଲି ବ୍ଲକ୍ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବୋଡ଼େନ ବ୍ଲକ୍ରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, କୋମନା ବ୍ଲକ୍ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଖଡ଼ିଆଳ ଏନ୍ଏସିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଖରିଆର ରୋଡ୍ ଏନ୍ଏସିରେ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ନୂଆପଡ଼ା ଏନ୍ଏସିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ ଉପସ୍ଥିତ ରହି ସ୍ମାର୍ଟକାର୍ଡ ବିତରଣ କରିବାର କାର୍ଯ୍ୟକ୍ରମ ରହିଛି।
The post ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ନୂଆ ଅଧ୍ୟାୟ ସୃଷ୍ଟି କରିଛି: ମୁଖ୍ୟମନ୍ତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3EVCrjN
0 Comments