ଜିଲ୍ଲାବ୍ୟାପୀ ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ ଓ କଳାପତାକା ପ୍ରଦର୍ଶନ
କର୍ଲାମୁଣ୍ଡାରେ ମନ୍ତ୍ରୀଙ୍କୁ ୪ଘଣ୍ଟା ଧରି ତାଲା ପକାଇଲେ

ଭବାନୀପାଟଣା/କେସିଙ୍ଗା/ଜୟପାଟଣା/ନର୍ଲା/ରୁପ୍ରା/କର୍ଲାମୁଣ୍ଡା : କଂଗ୍ରେସ ଓ ବିଜେପିର ବିରୋଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୋମବାର କଳାହାଣ୍ଡି ଗସ୍ତରେ ଆସିଥିଲେ। କଂଗ୍ରେସ ପକ୍ଷରୁ ଜନତା କର୍ଫ୍ୟୁ ଆହ୍ବାନ ଦିଆଯାଇଥିଲା। ବିଜେପି ପକ୍ଷରୁ କଳାପତାକା ଦେଖାଇ ତୀବ୍ର ବିରୋଧ କରିବା ପାଇଁ ଚେତାବନୀ ଦିଆଯାଇଥିଲା। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଇସ୍ତଫା ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପସ୍ଥିତିକୁ ନେଇ କଳାହାଣ୍ଡି ଜିଲ୍ଲାରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭବାନୀପାଟଣା ସମେତ ଜିଲ୍ଲାବ୍ୟାପୀ ଦୁଇ ବିରୋଧୀ ଦଳ ତୀବ୍ର ବିରୋଧ କରିଛନ୍ତି। ଜିଲ୍ଲା ବିଭିନ୍ନ ଅଂଚଳରେ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରାଯାଇଛି।

ଦକ୍ଷତା ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କୁ କର୍ଲାମୁଣ୍ଡା ବ୍ଲକ ଅଫିସ ମଧ୍ୟରେ ବିଜେପି ପକ୍ଷରୁ ୪ ଘଣ୍ଟା ଅଟକ ରଖାଯାଇଥିଲା। ପରେ ପୁଲିସ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା। କେସିଙ୍ଗାରେ ବ୍ଲକ୍‌ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଉତ୍ସବରେ ଯୋଗ ଦେଇଥିବା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କଂଗ୍ରେସ ଓ ବିଜେପିର ପକ୍ଷରୁ ବିରୋଧ କରାଯାଇଥିଲା।

ଉଭୟ ବିରୋଧୀ ଦଳ ସଭା ସ୍ଥଳରେ ଅଣ୍ଡା ମାଡ଼, କଳାପତାକା ପ୍ରଦର୍ଶନ କରିଛନ୍ତି। ଦୁଇ ଦଳର ନେତୃବୃନ୍ଦ ବ୍ଲକ୍‌ ଅଫିସ ନିକଟରେ ଥିବା ଖବର ପାଇ ବିଡିଓଙ୍କ ଗାଡ଼ିରେ ମନ୍ତ୍ରୀ ସଭାସ୍ଥଳକୁ ଯାଇଥିଲେ। ବିରୋଧୀ ପୁଣି ଏକ ରାଲିରେ ସଭାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କରିଥିଲେ। ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ବିରୋଧୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ସେହିପରି ଜୟପାଟଣାରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ିକୁ ଅଣ୍ଡା ‌ମାଡ଼ ହୋଇଥିଲା। ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଉପସ୍ଥିତିରେ ଜୟପାଟଣା ବ୍ଲକ୍‌ର ୩୩୬୧୧ ପରିବାର ପାଇଁ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିଥିଲେ। ମଂଚରେ କୃଷି ଭିତ୍ତିକ ପ୍ରଗତି ସଂସ୍କାର ଅଧ୍ୟକ୍ଷ ପ୍ରଭାଦିତ୍ୟ ମିଶ୍ର, ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ନାରାୟଣ ସିଂହଦେଓ, ବ୍ଲକ୍‌ ଅଧ୍ୟାକ୍ଷା ନୌକେଶୀ ରାଉତ, ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ, ଜୟପାଟଣା ସରପଞ୍ଚ ଦିଲ୍ଲୀପ ରାଉତ ମଞ୍ଚାସୀନ ଥିଲେ। ମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଭୋଜନ ପାଇଁ ମୂଖିଗୁଡ଼ା ଯିବା ବାଟରେ ତାଙ୍କୁ ଓ ସହଯୋଗୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିଲେ।

ନର୍ଲାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଓ ବିଧାୟକ ଭୂପିନ୍ଦର ସିଂହଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ବ୍ଲକଠାରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଆସିବାରେ ବିଳମ୍ବ ହେବାରୁ ଅତିଥି ବିନୟ ଟପୋ, ନର୍ଲା ତହସିଲଦାର ତଥା ବିଡିଓ ମାନସ ରଞ୍ଜନ ତ୍ରିପାଠୀ ଓ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ପ୍ରମୁଖ କାର୍ଡ ବଣ୍ଟିଥିଲେ। ନର୍ଲା ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଧରି ବ୍ଲକ୍ ସମ୍ମୁଖରେ ପହଞ୍ଚିଥିଲେ। ବ୍ଲକ୍‌ ସମ୍ମୁଖରେ ବିଜେଡି କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣାରୁ ମନ୍ତ୍ରୀ ଟୁକୁନୀ ସାହୁ ଓ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗଦେବା ପାଇଁ ଆସୁଥିବା ବେଳେ ନର୍ଲା ବିଜେପି ତରଫରୁ ବଜାର ପାଖରେ ଓ କଂଗ୍ରେସ ଦଳ ତରଫରୁ ନର୍ଲା ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହେବା ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରରେ ବିଜେପିର ୧୦୦ ଜଣ ଏବଂ କଂଗ୍ରେସର ୨୦ ଜଣଙ୍କୁ ପୁଲିସ ବାରାକ୍‌ରେ ଅଟକ ରଖାଯାଇଥିଲା।

The post ମଞ୍ଚରେ ଦିବ୍ୟଶଙ୍କର, ବିରୋଧୀଙ୍କ ବିରୋଧ first appeared on Sambad.

from ଜିଲ୍ଲା | Sambad https://ift.tt/3wrJrlr