ସମ୍ବଲପୁର : ଭିମ୍‌ସାର୍‌ରେ ନିରାମୟ ଯୋଜନାରେ ରୋଗୀଙ୍କୁ ଦିଆ ଯାଉଥିବା ଜରୁରୀ ଔଷଧ ଓ ଚିକିତ୍ସା ଉପକରଣର ଅଭାବ ସୃଷ୍ଟି ହୋଇଛି। ଏହା ଫଳରେ ଡାକ୍ତରମାନେ କିଛି ସାଧାରଣ ଔଷଧ ଓ ଉପକରଣ କିଣି ଆଣିବା ପାଇଁ‌ ଲେଖିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ଗରିବ ରୋଗୀ ମୁଣ୍ଡରେ ଆର୍ଥିକ ବୋଝ ପଡ଼ିବା ସହ ଅନେକ ସମୟରେ ଡାକ୍ତର, କନିଷ୍ଠ ଡାକ୍ତର, କର୍ମଚାରୀ, ରୋଗୀ ଓ ପରିଜନଙ୍କ ମଧ୍ୟରେ ବୁଝାମଣାର ସଂକଟ ମଧ୍ୟ ସୃଷ୍ଟି ହେଉଛି। ଭିମସାର୍‌ ଭଳି ବଡ଼ ଡାକ୍ତରଖାନାକୁ ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ୍‌) ଔଷଧ ଓ ସବୁ ପ୍ରକାର ଚିକିତ୍ସା ଉପକରଣ ଯୋଗାଇ ଥାଏ। ତେବେ ଔଷଧ ନିଗମ ପକ୍ଷରେ ସବୁବେଳେ ଡାକ୍ତରଖାନାର ସଂପୂର୍ଣ୍ଣ ଆବଶ୍ୟକତା ପୂରଣ କରିବା ସମ୍ଭବ ହୋଇ ନଥାଏ। ଏହା ଆବଶ୍ୟକତାର ପ୍ରାୟ ୮୦% ସାମଗ୍ରୀ ଯୋଗାଇଥାଏ। ବାକି ୨୦% ଡାକ୍ତରଖାନା କର୍ତ୍ତୃପକ୍ଷ ଟେଣ୍ଡର୍‌ ଡାକି କିଣିଥାଆନ୍ତି। ଏହା ସତ୍ତ୍ବେ ବି ସବୁ ଆବଶ୍ୟକତା ପୂରା ହୋଇ ପାରେ ନାହିଁ।

ଅନେକ ସମୟରେ ବିଭିନ୍ନ ସାମଗ୍ରୀର ତତ୍କାଳ ଓ ଜରୁରୀ ଆବଶ୍ୟକତା ପଡ଼ିଥାଏ ଯାହା କିଛି ସ୍ଥାନୀୟ ପେନାଲ୍‌ଭୁକ୍ତ ଭେଣ୍ଡର୍‌ଙ୍କଠାରୁ କିଣାଯାଏ। ଡାକ୍ତରଖାନାର ଜରୁରୀ ଆବଶ୍ୟକତା ପୂରା କରିବାରେ ଏହି ଭେଣ୍ଡର୍‌ ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି, ଯଦିଓ ଏମାନଙ୍କ ଦର ଓଏସ୍‌ଏମ୍‌ସିଏଲ୍‌ ଓ ଟେଣ୍ଡର୍‌ ଜରିଆରେ ସାମଗ୍ରୀ ଯୋଗାଉ ଥିବା ଭେଣ୍ଡର୍‌ଙ୍କଠାରୁ ଅଧିକ ରହିଥାଏ। ଏମାନଙ୍କ ଉପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅନେକ ସମୟରେ ନିର୍ଭରଶୀଳ ହୁଅନ୍ତି। ତେବେ ବର୍ତ୍ତମାନ ରାଜ୍ୟ ସରକାର ଔଷଧ ନିଗମ ଭଳି ସରକାରୀ ସଂସ୍ଥା ଥାଉଥାଉ ଏଭଳି ଘରୋଇ ଯୋଗାଣକାରୀଙ୍କ ଉପରେ ଅଧିକ ନିର୍ଭର କରିବାକୁ ନା’ ପସନ୍ଦ କରିଛନ୍ତି। ଯଦିଓ ଅତି ଜରୁରୀ ଆବଶ୍ୟକତା ଥିଲେ ପେନାଲ୍‌ଭୁକ୍ତ ଭେଣ୍ଡର୍‌ଙ୍କଠାରୁ ଔଷଧ ଓ ଚିକିତ୍ସା ସମାଗ୍ରୀ କିଣିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସରକାରଙ୍କ ଆଭିମୁଖ୍ୟକୁ ଧ୍ୟାନରେ ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ଆଉ ସ୍ଥାନୀୟ ଭେଣ୍ଡର୍‌ଙ୍କଠାରୁ କିଛି କିଣିବାକୁ ସାହସ କୁଳାଉ ନାହାନ୍ତି। ଏହାଛଡ଼ା ଭିମସାର୍‌ କର୍ତ୍ତୃପକ୍ଷ ଏହି ସ୍ଥାନୀୟ ଭେଣ୍ଡର୍‌ ମାନଙ୍କ ବହୁ କୋଟି ଟଙ୍କାର ବକେୟା ଶୁଝିବାକୁ ସମର୍ଥ ହେଉ ନଥିବାରୁ ସେମାନେ ମଧ୍ୟ ଅଧିକ ସାମଗ୍ରୀ ଦେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି।

vimsar.ac.in

ମିଳିଥିବା ସୂଚନା ଅନୁଯାୟୀ ଭିମ୍‌ସାର୍‌ ଉପରେ ଗତ ଜୁନ୍‌ ମାସ ସୁଦ୍ଧା ଏଭଳି ତାଲିକାଭୁକ୍ତ ଦୋକାନ ଗୁଡ଼ିକର ପ୍ରାୟ ୬ କୋଟି ଟଙ୍କା ବାକି ଥିବାବେଳେ ଏବେ ତାହା ବଢ଼ି ୧୦ କୋଟିରେ ପହଞ୍ଚିଛି। ବକେୟା ଶୁଝି ପାରୁ ନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ବି ସାମଗ୍ରୀ ଯୋଗାଣ ପାଇଁ ଉକ୍ତ ଦୋକାନ ଗୁଡ଼ିକ ଉପରେ ଚାପ ପକାଇ ପାରୁ ନାହାନ୍ତି। ଏଭଳି ସ୍ଥିତିରେ ସିଧାସଳଖ ଗରିବ ରୋଗୀ ଉପରେ ଆର୍ଥିକ ବୋଝ ପଡ଼ୁଛି। ସରକାରଙ୍କ ପକ୍ଷରୁ ସବୁ କିଛି ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ବି ରୋଗୀମାନେ ନାଚାର ହୋଇ ବିଭିନ୍ନ ଜରୁରୀ ଔଷଧ ଓ ଉପକରଣ ‌କିଣୁଛନ୍ତି।

ବର୍ତ୍ତମାନ ବୁର୍ଲା ବଡ଼ ଡାକ୍ତରଖାନାରେ ପ୍ରୋଟିନ୍ ଇଂଜେକ୍‌ସନ, ପିପ୍‌ଜୋ ଭଳି ବହୁଳ ବ୍ୟବହୃତ ହେଉଥିବା ଜରୁରୀ ଆଣ୍ଟିବାୟୋଟିକ୍, ଗ୍ଲୋବ୍‌ସ, ଅସ୍ତ୍ରୋପଚାର ଲାଗୁଥିବା ବିଭିନ୍ନ ଉପକରଣର ଅଭାବ ସୃଷ୍ଟି ହୋଇଛି। ଡାକ୍ତରମାନେ ରୋଗୀଙ୍କୁ ଏସବୁ କିଣି ଆଣିବା ପାଇଁ ପରାମର୍ଶ ଦେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ରୋଗୀ ପରିଜନଙ୍କ ମଧ୍ୟରେ ବି ଅସନ୍ତୋଷ ସୃଷ୍ଟି ହେଉଛି। ଏଥିରେ ମୁଖ୍ୟତଃ କନିଷ୍ଠ ଡାକ୍ତର ମାନେ ଅଧିକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏନେଇ ‌ଶଲ୍ୟ, ପ୍ରସୂତି ଓ ସ୍ତ୍ରୀ’ରୋଗ ଭଳି ବିଭାଗର ପିଜି ଛାତ୍ର ମାନେ ପ୍ରତିକ୍ରିୟାଶୀଳ ହୋଇ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଅସନ୍ତୋଷ ଜଣାଇଥିବା ଜଣା ପଡ଼ିଛି। ବର୍ତ୍ତମାନ ଭିମ୍‌ସାର୍‌ ବହିର୍ବିଭାଗକୁ ଦୈନିକ ହାରାହାରି ୨ ହଜାର ରୋଗୀ ଆସୁଥିବାବେଳେ ୨୦୦ରୁ ୫୦୦ ରୋଗୀ ଡାକ୍ତରଖାନା ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ଉପରୋକ୍ତ ସମସ୍ୟା ସଂପର୍କରେ ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେରଙ୍କୁ ପଚାରିବାରୁ କିଛି ଔଷଧ ଓ ଉପକରଣର ସାୟମିକ ଅଭାବ ସୃଷ୍ଟି ହୋଇଥିବା ସେ ସ୍ବୀକାର କରିଥିଲେ। ସ୍ଥାନୀୟ ଯୋଗାଣକାରୀଙ୍କ ଅର୍ଥ ବାକି ରହି ଯାଇଥିବାରୁ ସେମାନେ ସାମଗ୍ରୀ ଯୋଗାଇବାକୁ ଅମଙ୍ଗ ହେଉଥିବା କହିଥିଲେ। ତେବେ ଏହା ସାମୟିକ ସମସ୍ୟା। ଖୁବ୍‌ ଶୀଘ୍ର ତା’ର ସମାଧାନ ହୋଇଯିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଆଜି ବି ଓଏସ୍‌ଏମ୍‌ସିଏଲ୍‌ରୁ ଏକ ଗାଡ଼ି ଆସି ପହଞ୍ଚିବାର ଅଛି। ଏହାଦ୍ବାରା ବି ସ୍ଥିତି ସୁଧୁରିଯିବ ବୋଲି ଡା. ମେହେର କହିଥିଲେ।

The post ଭିମସାର୍‌ରେ ରୋଗୀଙ୍କ ଉପରେ ଔଷଧ ବୋଝ first appeared on Sambad.

from ଜିଲ୍ଲା | Sambad https://ift.tt/3H7EhAa