
ହରିଚନ୍ଦନପୁର : ପ୍ରଥମେ ଅଷ୍ଟମ ଏବଂ ଗତ ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିଛି। ପ୍ରାୟ ୨୦ ମାସ ପରେ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହୋଇଛି। ଆଗକୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ବୋଲି ସରକାର ଯୋଜନା କରୁଛନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ର ୪୦ଟି ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଥିବାରୁ ଏସବୁ ବିଦ୍ୟାଳୟରେ ପାଠପଢ଼ା କେମିତି ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ହରିଚନ୍ଦନପୁର ବ୍ଲକ୍ ଓସ୍ତିଆପଶି, ପିଟାଟାଙ୍ଗର, ସତ୍ୟପାଳ, ଲକ୍ଷ୍ମୀପୁର, ମକାଶୁଖିଲା, ଖରବା, ରମ୍ପାକୋଟ, ଖେଦାପଡ଼ା, ଧଗୋଠ, କୋୟ, ବଡ଼କମଣ୍ଡରା, ଖୁଣ୍ଟବନ୍ଧ, ଟାଙ୍କଯୋଡ଼ା, ଅଲଣାପଦା, ବରପଦା, ଝୁମୁକାପଶି, ତଅଁଳାହୋତା, ବାଇଜାପଡ଼ା, ଠାକୁର କାଳିମାଟି, କାବେରୀପଶି, ଦଣ୍ଡସେଣାପଶି, ସୁରିଆପଶି, ରଘୁନାଥପୁର, ଦଲକି, କପ୍ତିପଦା, ହାତୀଆନାଳୀ, କନ୍ତଳା, ତୋଟାସାହି, ହରିୟାମୁଣ୍ଡାସାହି, କଳିଆହୁଡ଼ି, ରାବଣଗାଡ଼ିଆ, ବଡ଼ଖମଣ, ବାଇଲୋବେଡ଼ା, ଟସରଅଡ଼ା, ବକଳାମୁଣ୍ଡା, ଆଖୁପାଳ, ଗେହ୍ଲାମୁଣ୍ଡା, ବାହୁଟିଆଶାଳ, ମହୁଲପଙ୍ଗା ଓ ଗୋଳାଗାଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଲେଖାଏଁ ଶିକ୍ଷକ ଅଛନ୍ତି।
ଏସବୁ ବିଦ୍ୟାଳୟରେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସରକାରୀ ନିୟମ ଅନୁସାରେ ପ୍ରତି ୩୦ ପିଲାରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା କଥା। ଅର୍ଥାତ ଦୁଇ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୮୦ଜଣ ଶିକ୍ଷକ ଆବଶ୍ୟକ। ନଚେତ ପ୍ରତି ପ୍ରାଥମିକ ବିଦ୍ୟାଳୟରେ ଅତିକମ୍ରେ ଦୁଇଜଣ ଏବଂ ଉପ୍ରା ସ୍କୁଲ୍ରେ ୪ଜଣ ଶିକ୍ଷକ ରହିବେ। ମାତ୍ର ୪୦ ସ୍କୁଲ୍ରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଥିବାରୁ ସ୍କୁଲ୍ ଖୋଲିଲେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କିପରି ଶିକ୍ଷାଦାନ କରାଯିବ ତାହା ଏବେ ବଡ଼ ସମସ୍ୟା ସୃଷ୍ଟି କରିବ।
ସେପ୍ଟେମ୍ବର ମାସରେ କିଛି ଶିକ୍ଷକ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଥିବାବେଳେ ଆଉ କିଛି ଶିକ୍ଷକ ଅବସର ଗ୍ରହଣ କରିଥିବାରୁ ଏସବୁ ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ଜଣେ ଶିକ୍ଷକ ଥିବା ସ୍କୁଲ୍ରେ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି। ଅନୁମତି ଆସିଲେ ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକଙ୍କୁ ଆଣି ଜଣେ ଲେଖାଏଁ ଶିକ୍ଷକ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ, ସମସ୍ତ ବିଇଓଙ୍କୁ ଡାକି ବୈଠକ କରାଯିବ। ଅଧିକ ଶିକ୍ଷକ ଥିବା ବିଦ୍ୟାଳୟରୁ ଶିକ୍ଷକ ଅଣାଯାଇ ଏସବୁ ବିଦ୍ୟାଳୟରେ ନିଯୁକ୍ତ କରାଯିବ। ବିଦ୍ୟାଳୟ ଖୋଲିବା ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀ ସେଠୀ କହିଛନ୍ତି।
The post ୪୦ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ, କେମିତି ହେବ ପ୍ରଥମରୁ ପଞ୍ଚମ ପାଠପଢ଼ା? first appeared on Sambad.from ଜିଲ୍ଲା | Sambad https://ift.tt/3qQIn9O
0 Comments