ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନ‌ାରେ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ହାଟଡିହି ବ୍ଲକ୍‌ ବଣିଆପଙ୍କ ଗ୍ରାମର ଅଜୟ ମାଣିକଙ୍କ ପତ୍ନୀ ଋକ୍ମିଣୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ୧୯ ତାରିଖରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହଦିନ ସନ୍ଧ୍ୟାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଛୁଆଟି ମା’କ୍ଷୀର ନ ଖାଇବାରୁ ଗୁରୁତର ଅସୁସ୍ଥ ହୋଇଥିଲା। ଦୁଇଦିନ ମଧ୍ୟରେ ଶିଶୁର ଚିକିତ୍ସା କରିବାପାଇଁ କେହି ଡାକ୍ତର ଆସିଲେ ନାହିଁ ବୋଲି ଋକ୍ମିଣୀଙ୍କ ଭାଇ ଦୀନବନ୍ଧୁ ମାଣିକ ଅଭିଯେଗ କରିଛନ୍ତି। ଫଳରେ ଗତକାଲି ସଂଧ୍ୟାରେ ନବଜାତ ଶିଶୁର ମୃତ୍ୟୁ ଘଟିଥିଲା। ଶିଶୁଟିର ମୃତ୍ୟୁ ପରେ ତରବରିଆ ଭାବେ ମୃତ‌ଦେହକୁ ଘରକୁ ପଠାଇ ଦିଆଯାଇଥିଲା।

ସରକାର ମା’ ଓ ଶିଶୁଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବାକୁ ସ୍ବତନ୍ତ୍ର ୱାର୍ଡ ନିର୍ମାଣ କରିଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବ‌ହେଳା ଯୋଗୁଁ ବାରମ୍ବାର ଆନନ୍ଦପୁର ଡାକ୍ତରଖାନାରେ ଶିଶୁଙ୍କ ମୃତ୍ୟୁ ଘଟୁଛି। ଚିକିତ୍ସାରେ ତ୍ରୁଟି ଯୋଗୁଁ ଗତମାସରେ ସପ୍ତାହେ ମଧ୍ୟରେ ତିନିଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

The post ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ନବଜାତ ଶିଶୁର ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3DJwLJA