
ସମ୍ବଲପୁର : ପରିଶେଷରେ ହୀରାକୁଦ ଜଳଭଣ୍ଡାରରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ବାଟ ଫିଟିଛି। ବହୁ ମାସ ପର୍ଯ୍ୟନ୍ତ ନାଲିଫିତା ତଳେ ଚାପି ହୋଇ ରହିଥିବା ଏହି ଫାଇଲ ଖୋଲିଛି। ରାଜ୍ୟ ସରକାର ଓଡ଼ିଶା କନ୍ଷ୍ଟ୍ରକ୍ସନ କର୍ପୋରେସନ୍(ଓସିସି)କୁ ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ କାର୍ଯ୍ୟ ହସ୍ତାନ୍ତର କରିଛନ୍ତି।
ସୂଚନାଯୋଗ୍ୟ ଯେ ୧୯୯୭ କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ସରାକର ମିଳିତ ଭାବେ ସାମ୍ଭାବ୍ୟ ସର୍ବାଧିକ ବନ୍ୟା(ପିଏମ୍ଏଫ୍) ସଂପର୍କରେ ଆକଳନ କରିଥିଲେ। ଏଥିରେ ୨୪.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସିବା ଆଶଙ୍କା ଥିବା ଏହି ଆକଳନରୁ ଜଣାପଡ଼ିଥିଲା। ବର୍ତ୍ତମାନର ବ୍ୟବସ୍ଥାରେ ଏକ ସ˚ଗରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୧୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହୋଇପାରିବ। ଛତିଶଗଡ଼ ସରକାର ଅନେକ ବ୍ୟାରେଜ ନିର୍ମାଣ କରିବା ସହିତ ନିଜ ସୁରକ୍ଷା ପାଇଁ ମନଇଚ୍ଛା ବର୍ଷାଜଳ ନିଷ୍କାସନ କରୁଛନ୍ତି। ହୀରାକୁଦ ଜଳଭଣ୍ଡାର ପାଇଁ ବିପଦ ଥିବା ଦୃଷ୍ଟିରେ ରଖି କେନ୍ଦ୍ର ଜଳ ଆୟୋଗ ଓ ବିଶ୍ବବ୍ୟାଙ୍କ ସହଯୋଗରେ ହୀରାକୁଦ ପଟେ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ୨୦୧୮ ମସିହାରେ ଏଥିପାଇଁ ନୂଆ କରି ସ୍ପିଲ୍ୱେ ଡିଭିଜନ ଖୋଲିବା ପରେ ଟେଣ୍ତର ପାଇଥିବା ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ ସହ ଚୁକ୍ତି ହୋଇଥିଲା। ସ୍ପିଲ୍ୱେ ନିର୍ମାଣରେ ଅଭିଜ୍ଞତା ଥିବା ଇରାନ୍ର ‘ଏଜ୍’ କଂପାନି ସହଯୋଗରେ ଟାଟା ଅତିରିକ୍ତ ୫ଟି ସ୍ପିଲ୍ୱେ ନିର୍ମାଣ କରିବାକୁ ସ୍ଥିର କରିଥିଲା। ପ୍ରାୟ ୩୮୦ କୋଟି ଟଙ୍କାରେ ଟେଣ୍ଡର ହାତେଇଥିବା ଏହି ଠିକା ସଂସ୍ଥା ମାତ୍ର ୧୨ କୋଟି ଟଙ୍କାର କାମ କରିବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ହୋଇଥିବା ଆଳ ଦେଖାଇ ୨୦୨୦ରେ ଏହି ପ୍ରକଳ୍ପରୁ ଓହରିଯାଇଥିଲା।
କେବଳ ସେତିକି ନୁହେଁ, ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କୁ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲକୁ ବି ଟାଣିଥିଲା। ଟିବ୍ର୍ୟୁନାଲ ଅତିରିକ୍ତ ସ୍ପିଲ ୱେ ନିର୍ମାଣ ପାଇଁ ସବୁଜ ସଂକେତ ଦେବା ପରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଗତ ଜୁନ୍ ମାସରେ ଟେଣ୍ଡର ଆହ୍ବାନ ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ପ୍ରସଂଗରେ ସ୍ପଷ୍ଟୀକରଣ ବି ଦିଆଯାଇଥିଲା। ଟେଣ୍ଡର ଆହ୍ବାନରେ ବିଳମ୍ବ ନେଇ ବାରଂବାର ଖବରକାଗଜରେ ଖବର ପ୍ରକାଶନ ପରେ ସରକାର ତତ୍ପରତା ଦେଖାଇ ଥିଲେ। ଜଳ ସଂପଦ ସିଧାସଲଖ ଟେଣ୍ଡର ନଡାକି ଓସିସିକୁ ହସ୍ତାନ୍ତର କରିଥିଲା। ଓସିସି ଶୀଘ୍ର ଟେଣ୍ଡର ଆହ୍ବାନ କରିବ। ଠିକା ସଂସ୍ଥା ଜରିଆରେ ଏହି କାମ ହେଲେ ବି ଜଳ ସଂପଦ ବିଭାଗ ତଦାରଖ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
The post ଓସିସି ହାତକୁ ଗଲା ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦାୟିତ୍ୱ first appeared on Sambad.from ଜିଲ୍ଲା | Sambad https://ift.tt/3cTy113
0 Comments