ଭୁବନେଶ୍ବର,: ଗତ ୫ ତାରିଖ ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୯-୨୦ ବର୍ଷ ପାଇଁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଥିଲା। ୨୭ ବିଭାଗରେ ପ୍ରଦାନ କରାଯାଇଥିବା ରାଜ୍ୟ ପୁରସ୍କାରର ନି‌ରପେକ୍ଷତା ଓ ଚୟନ ପ୍ରକ୍ରିୟା ଉପରେ ଗତ କାଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସ୍‌ଲାମ୍‌ ପ୍ରଶ୍ନ ଉଠାଇଥିବା ବେଳେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ଏଭଳି ଚଳଚ୍ଚିତ୍ର ପୁରସ୍କାର ଚୟନ ମୋତେ ବିସ୍ମିତ ଓ ଚକିତ କରିଛି। ‘କାଲିର ଅତୀତ’ ଓ ‘ଶଳା ବୁଢ଼ାର ବଦଲା’ ଉଭୟ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଥିଲା। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ‘କାଲିର ଅତୀତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଅଭିହିତ କରାଯାଇଛି। ଏହା ମଧ୍ୟ ସ୍ବାଗତଯୋଗ୍ୟ। ଉଭୟ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିବା‌ ବେଳେ ହୁଏତ ‘କାଲିର ଅତୀତ’ ବିଚାରକ ମଣ୍ଡଳୀକୁ ଅଧିକ ଭଲ ଲାଗି ଥାଇପାରେ। କିନ୍ତୁ ‘ଶଳା ବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ରକୁ ଯେତିକି ସମ୍ମାନ ମିଳିବା କଥା ସେତିକି ମିଳିନାହିଁ। ସାନ୍ତ୍ବନାମୂଳକ ଭାବେ କିଛି ଛୋଟ ‌ଛୋଟ ପୁରସ୍କାର ଦେଇ ଚଳଚ୍ଚିତ୍ରକୁ କୋଣଠେସା କରିଦିଆଯାଇଛି।

‘ଶଳା ବୁଢ଼ାର ବଦ୍‌ଲା’ ଏକ ଭିନ୍ନ ସ୍ବାଦର ଚଳଚ୍ଚିତ୍ର। ଏହାକୁ ଜଣେ ଯୁବ ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ନିର୍ମାଣ କରିଥିଲେ। ଓଡ଼ିଶାର ଯୁବପିଢ଼ି ଅଧିକରୁ ଅଧିକ ଗୁଣାତ୍ମକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଗଭର ହେବା ମୋର ଏକ ସ୍ବପ୍ନ। ଏହି ଚଳଚ୍ଚିତ୍ର ଶେଷ ହେବା ବେଳକୁ ଚଳଚ୍ଚିତ୍ରର ନାୟକ ଅଟଳ ବିହାରୀ ପଣ୍ଡା ପ୍ରାଣତ୍ୟାଗ କରିସାରିଥିଲେ। ଏହାର ଲେଖକ କପିଳେଶ୍ବର ପ୍ରସାଦ ମହାପାତ୍ର ମଧ୍ୟ ଏହି ସମୟରେ ପ୍ରାଣତ୍ୟାଗ କରିଥିଲେ। ଏଣୁ ଏହା ପ୍ରତି ମୋର ଦୁର୍ବଳତା ଭିନ୍ନ ପ୍ରକାର ଥିଲା। ଏହାକୁ ଅଧିକ ଗୁଣାତ୍ମକ କରିବାକୁ ମୁଁ ପ୍ରେରଣା ପାଇଥିଲି। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ଚଳଚ୍ଚିତ୍ର ଗାନ୍ଧୀ ଜୟନ୍ତୀର ୧୫୦ ବର୍ଷ ପୂର୍ତି ଅବସରରେ ନିର୍ମିତ ହୋଇଥିଲା। ଆଦିବାସୀମାନଙ୍କ ଜୀବନଶୈଳୀକୁ ପ୍ରତିଫଳିତ କରୁଥିବା ଏହି ଚଳଚ୍ଚିତ୍ରର କାହାଣୀକୁ ଅଧିକ ଆକର୍ଷଣୀୟ ଓ ବାସ୍ତବିକ ଦେଖାଇବା ପାଇଁ ଚଳଚ୍ଚିତ୍ରରେ ୮ଟି ଗୀତ ରହିଛି। ଆଦିବାସୀମାନଙ୍କ ଜୀବନ ଗୀତ ନାଚରେ ସବୁବେଳେ ପରିପୂର୍ଣ୍ଣ ହୋଇଥିବାରୁ ଚଳଚ୍ଚିତ୍ରରେ ଗୀତ ନାଚ ପ୍ରତି ଅଧିକ ଗୁରୁତ୍ବ ବି ଦିଆଯାଇଛି। ଚଳଚ୍ଚିତ୍ର ମୁକ୍ତିଲାଭ କଲା ପରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଥିଲା। ଦୁବାଇରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିବା ବେଳେ ଦର୍ଶକମାନେ ଠିଆ ହୋଇ କରତାଳି ମଧ୍ୟ ଦେଇଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚଳଚ୍ଚିତ୍ର ଏତେ ପ୍ରଶଂସିତ ହେବା ପରେ ରାଜ୍ୟରେ ତଥା ନିଜ ମାଟିରେ ଚଳଚ୍ଚିତ୍ରକୁ ସମ୍ମାନ ମିଳିବା ନେଇ ବହୁ ଆଶା ରହିଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଓଡ଼ିଆ ଚଳଚ୍ଚିତ୍ରର ଅଧୋଗତି ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଯଦି ଭଲ ଚଳଚ୍ଚିତ୍ର ନିର୍ମାଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଉଚିତ ସମ୍ମାନ ନ ମିଳେ; ତେବେ ସେମାନେ ଭଲ ଚଳଚ୍ଚିତ୍ର ନିର୍ମାଣରୁ ନିବୃତ୍ତ ରହିବେ।

The post ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନକୁ ନେଇ ବିବାଦ ଜାରି, ଅସନ୍ତୋଷ ଜାହିର କଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3F2dSBS