
ବାଲେଶ୍ବର: କ୍ରାଇମ୍ବ୍ରାଞ୍ଚ୍ର ଏସ୍ଟିଏଫ୍ ଟିମ୍ ଗତକାଲି ସହଦେବଖୁଣ୍ଟା ଥାନା ନୂଆବଜାରରେ ଚଢ଼ଉ କରି ଜଣେ ପରିବା ବ୍ୟବସାୟୀଙ୍କଠାରୁ ୧ କେଜି ୫୬ ଗ୍ରାମ(ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା)ର ବ୍ରାଉନସୁଗାର ଜବତ କରିଛି। ଏଥିସହ ସମ୍ପୃକ୍ତ ବ୍ୟବସାୟୀ ଏବଂ ଅନ୍ୟ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ, ପରିବା ବ୍ୟବସାୟୀ ବାପି ଓରଫ୍ ଅଶୋକ ବେହେରା(୩୮) ଏବଂ ବିଜୟ ଯାଦବ(୩୩। ବିଜୟ ବାଲେଶ୍ବର-ଭଦ୍ରକ ସେଣ୍ଟ୍ରାଲ କୋପରେଟିଭ୍ ବ୍ୟାଙ୍କର ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟରତ। ଏହି କାରବାରରେ ଅନ୍ୟତମ ଅଭିଯୁକ୍ତ ଫେରାର ଥିବା ଏସ୍ଟିଏଫ୍ ପକ୍ଷରୁ ଜଣାଯାଇଛି।
ସୂଚନାଯୋଗ୍ୟ, ପରିବା ବ୍ୟବସାୟୀ ଅଶୋକ ବେହେରା ନାଁରେ ପୂର୍ବରୁ ନିଶା କାରବାର ଜନିତ ମାମଲା ରହିଛି। ସେ ଏଥିପାଇଁ ଜେଲ୍ ବି ଯାଇଥିଲା। ସେହିପରି ବିବିସିସି ବ୍ୟାଙ୍କରେ ଡ୍ରାଇଭର ଥିବା ବିଜୟ ଯାଦବର ଘର ବିହାରରେ। ସେ ରାଣୀପାଟଣା ଅଞ୍ଚଳରେ ଘର ଭଡ଼ାନେଇ ରହୁଛି। ଏ ଦୁହେଁ ନିଶା ମାଫିଆଙ୍କ ସହ ସାମିଲ ହୋଇ ଲଗାତାର ନିଶା କାରବାର ଚଳାଇଥିବା ବିଶ୍ବସ୍ତ ସୂତ୍ରରୁ ଏସ୍ଟିଏଫ୍କୁ ଖବର ମିଳିଥିଲା। ତେବେ ପଶ୍ଚିମବଙ୍ଗର ପ୍ରାୟ ପନିପରିବା ଉପରେ ବାଲେଶ୍ବର ନିର୍ଭର କରୁଥିବା ବେଳେ ନିଶା ମାଫିଆମାନେ ପରିବା ବ୍ୟବସାୟୀଙ୍କୁ ହାତ କରି ନିଶା କାରବାରର ଚେର ଓଡ଼ିଶାକୁ ଲମ୍ବାଇଛନ୍ତି। ଏଥିରେ ବ୍ୟାଙ୍କର ଡ୍ରାଇଭର ବିଜୟ ବ୍ରାଉନସୁଗାର ନେଇ ଗ୍ରାହକଙ୍କ ନିକଟରେ ପହଞ୍ଚାଉଥିବା କୁହାଯାଇଛି। ତେବେ ସୋମବାର ଅପରାହ୍ନରେ ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ ବାଲେଶ୍ବର ଆସି ସିଧା ନୂଆବଜାର ପରିବା ମାର୍କେଟ୍ ଉପରେ ଚଢ଼ଉ କରିଥିଲା। ଅଶୋକ ବ୍ରାଉନସୁଗାର ପ୍ୟାକେଟ୍କୁ ବିଜୟକୁ ଦେଉଥିବା ବେଳେ ଏସ୍ଟିଏଫ୍ ଟିମ୍ ଉଭୟଙ୍କୁ କାବୁ କରି ନେଇଥିଲା।
The post କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ବ୍ୟାଙ୍କ ଡ୍ରାଇଭର ସହ ପରିବା ବ୍ୟବସାୟୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3ohQfOX
0 Comments