କୋରାପୁଟ: ଆନ୍ଧ୍ର ପ୍ରଦେଶରେ ୪ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ଉତ୍ତରାଞ୍ଚଳରେ ପ୍ରଭୂତ କ୍ଷତି ହୋଇଥିବାବେଳେ ପୂର୍ବାଞ୍ଚଳରେ ସେଭଳି କିଛି କ୍ଷତି ହୋଇନାହିଁ। କିନ୍ତୁ ଚାରିଆଡ଼େ ଜଳାର୍ଣ୍ଣବ ପରିସ୍ଥିତିରୁ ସବୁ ଜିଲ୍ଲାର ଲୋକେ ପ୍ରାୟତଃ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡିଛନ୍ତି। ଏମାନଙ୍କୁ ଅଣଦେଖା କରି ବିଜୟନଗରମ୍ ଜିଲ୍ଲା ପ୍ରଶାସନର ଓଡ଼ିଶାର ଦେଓମାଳିରେ ମଉଜ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଅଜାଣତରେ ଏହା ଅସମ୍ଭବ ବୋଲି କୁହାଯାଉଥିବାବେଳେ ସୀମା ବିବାଦ ସୃଷ୍ଟି କରିବାରେ ସେଠାକାର ସରକାର ଆଗ୍ରହୀ ଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜଗନଙ୍କ ରାଜ୍ୟ ସେବାକୁ ନେଇ ପ୍ରଶ୍ନ ଉଠିଛି।

ରବିବାର ବିଜୟନଗରମ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର ଦେଓମାଳିରେ ପ୍ରବେଶ କରିବାର ଦିନଟିଏ ବିତିଛି। ସେମାନଙ୍କ ଅନଧିକାର ପ୍ରବେଶକୁ ନେଇ ସବୁଠି ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଜଣେ ନୁହେଁ କି ଦି ଜଣ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ୬ ଆଇଏଏସ ଓ ୨୨ ଲାଇନ ଡିପାର୍ଟମେଣ୍ଟର ୫୭ ଅଧିକାରୀଙ୍କ ପ୍ରବେଶ ସ୍ଥାନୀୟ ପ୍ରଶାସନର ଚିନ୍ତାର କାରଣ ହୋଇଛି। ପ୍ରଥମତଃ ଆନ୍ଧ୍ର ବର୍ତ୍ତମାନ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି। ଦ୍ବିତୀୟତଃ ସରକାରୀ ଗାଡ଼ିରେ ଅଧିକାରୀମାନେ ବିନା ଅନୁମତିରେ ଓଡ଼ିଶାରେ ପ୍ରବେଶ କରି ଦେଓମାଳିରେ ଭୋଜିଭାତ କରିବା ସହ ଗାଲିଗବଦ୍ଦର ପରିଦର୍ଶନ କରିବା ହିଁ ଚିନ୍ତାକୁ ବଢ଼ାଇଛି। ଅନ୍ୟପକ୍ଷରେ ଓଡ଼ିଶା ପୁଲିସ ସହ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଗାଡିରେ ଲାଗିଥିବା ନମ୍ବରପ୍ଲେଟକୁ ତରବର ଭାବେ ଘୋଡ଼ାଇବା ସେଠାକାର ଅଧିକାରୀମାନେ କୌଣସି ଏକ ଷଡ଼ଯନ୍ତ୍ର ପାଇଁ ଆସିଥିବା ଅନୁମାନ କରାଯାଉଛି। ଏଣେ ସେମାନଙ୍କ ସହିତ କୋଟିଆରେ ଥିବା ଆନ୍ଧ୍ର ଏଜେଣ୍ଟମାନଙ୍କ ଉପସ୍ଥିତି ପୁଣି ଏକ ବିବାଦ ସୃଷ୍ଟି କରିବାର ଆଭାସ ମିଳୁଛି।

କଥା ଉଠୁଛି ଯେ, ପୁରା ଆନ୍ଧ୍ର ଏବଂ ପଡୋଶୀ ତେଲେଙ୍ଗାନାରେ ଏତେ ପିକ୍‌ନିକ ସ୍ପଷ୍ଟ ଥିବାବେଳେ ସେମାନେ ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳୀକୁ ଭୋଜିଭାତ କରିବା ପାଇଁ କାହିଁକି ବାଛିଲେ। ଯଦି ସେମାନେ ଆସିଲେ ବ୍ୟକ୍ତିଗତ ଗାଡିରେ ଆସିବାର ଥିଲା। କୋରାପୁଟ ଜିଲ୍ଲା ପ୍ରଶାସନର ଅନୁମତି ମାଗି ପାରିଥାନ୍ତେ। ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆତିଥେୟତା ମିଳିପାରିଥାନ୍ତା। ଏତେ ସବୁ ନକରି ଲୁକ୍କାୟିତ ଭାବେ ଆସିବା, ସେଠାକାର ପୁଲିସ ଅଧିକାରୀମାନେ ସାଦା ପୋଷାକରେ ପ୍ରତି ଛକରେ ପଇଁତରା ମାରିବାକୁ ନେଇ କୋଟିଆ ବିବାଦ ଭଳି ଦେଓମାଳିରେ ବି ବିବାଦ ସୃଷ୍ଟି କରିବାର ସନ୍ଦେହକୁ ଦୃଢ଼ୀଭୂତ କରିଛି। ଭୋଜି ବାହାନାରେ କୋଟିଆରେ ଥିବା ଆନ୍ଧ୍ର ଏଜେଣ୍ଟଙ୍କ ଜରିଆରେ ଖଣିଜ ସମ୍ପଦରେ ଭରପୁର ସୁଉଚ୍ଚ ଦେଓମାଳିର ସବୁଜିମାଭରା ପରିବେଶକୁ ଉପଭୋଗ କରିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସହ୍ୟ ଭାବ ସୃଷ୍ଟି କରିଛି।

ଅମରାବତୀର ପାଣିପାଗ ବିଭାଗ  ଆନ୍ଧ୍ର ପ୍ରଦେଶର ୧୪ ଜିଲ୍ଲାକୁ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ବନ୍ୟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପ୍ରବଳ ବର୍ଷାରେ ଅନେକ ଅଞ୍ଚଳର ଲୋକେ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡିଛନ୍ତି। ଏଭଳି ସ୍ଥିତିରେ ଦୁର୍ଦ୍ଦଶାଗ୍ରସ୍ତଙ୍କୁ ଅଣଦେଖା କରି ସରକାରୀ ଗାଡିରେ ଜଗନ ସରକାରଙ୍କ ବିଜୟନଗର ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଜିଲ୍ଲାର କଥା ନବୁଝି ବିବାଦୀୟ ଅଞ୍ଚଳରେ ପ୍ରବେଶ କରି ସୌନ୍ଦର୍ଯ୍ୟ ପ୍ରବଣ ହେବା ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଏନେଇ ଆମେ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କୁ ଭେଟିଥିଲୁ। ତାଙ୍କ କହିବାନୁସାରେ ସେମାନେ ପରିବାର ସହ ପିକ୍‌ନିକ୍ କରିବାକୁ ଆସିଥିଲେ । ଏଥିରେ କୌଣସି ସୀମା ବିବାଦ ନାହିଁ । ଅଯଥା ଏହାକୁ ନେଇ ଟଣାଓଟରା କରା ନ ଯାଉ ବୋଲି ସେ କହିଛନ୍ତି ।

The post ଦୁର୍ଦ୍ଦଶାଗ୍ରସ୍ତଙ୍କୁ ଅଣଦେଖା କରି ଦେଓମାଳିରେ ମଉଜ first appeared on Sambad.

from ଜିଲ୍ଲା | Sambad https://ift.tt/3FUk6Er