ପୁରୀ,୩/୧୧(ଇମିସ): ପୁରୀ ଜିଲ୍ଲାରେ ଭୁଶୁଡ଼ିବ ଶିକ୍ଷା ବ୍ୟବସ୍ଥା। ଉଜୁଡ଼ିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଏଭଳି କିଛି ପରିସ୍ଥିତି ଠିଆ କରିଛି ଜିଲ୍ଲା ଶିକ୍ଷା ବିଭାଗର ଆଦେଶନାମା। ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବଦଳି କ୍ଷେତ୍ରରେ ହୋଇଛି ପାତରଅନ୍ତର। ଏଠି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ପାଠପଢ଼ା ବଦଳରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଯେଉଁଥିପାଇଁ କେଉଁ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ତ କେଉଁ ବିଦ୍ୟାଳୟରେ ଆବଶ୍ୟକଠାରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ କାମ କରିବାକୁ ଯାଉଛନ୍ତି। ଫଳରେ ଅନେକ ବିଦ୍ୟାଳୟରେ ଆବଶ୍ୟକ ଥିଲେ ବି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପଦବି ଖାଲି ପଡ଼ିଛି। ଯାହା ଜିଲ୍ଲାର ପ୍ରାଥମିକ ଶିକ୍ଷା ଭିତ୍ତିଭୂମିକୁ ଦୋହଲାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଯଦି ଏ ଦିଗରେ ତ୍ବରିତ ପଦକ୍ଷେପ ନିଆ ନଯାଏ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବା ନେଇ ଆଶଙ୍କା ଜାତ ହୋଇଛି।
ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ସହ ବଦଳି ତାଲିକା ପ୍ରକାଶ ପାଇଛି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରେ ନଜର ପକ‌ାଇଲେ ୩୨୯ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ପଦବିକୁ ପଦୋନ୍ନତି ସହ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଇଛି। ଏ ମଧ୍ୟରେ ଅସ୍ତରଙ୍ଗ ବ୍ଲକ୍‌ର ୧୨ଜଣ, ବ୍ରହ୍ମଗିରି ବ୍ଲକ୍‌ର ୨୧ଜଣ, ଡେଲାଙ୍ଗ ବ୍ଲକ୍‌ର ୨୦ଜଣ, ଗୋପ ବ୍ଲକ୍‌ର ୫୨ଜଣ, କାକଟପୁର ବ୍ଲକ୍‌ର ୨୪ଜଣ, କଣାସ ବ୍ଲକ୍‌ର ୨୯ଜଣ, କୃଷ୍ଣପ୍ରସାଦ ବ୍ଲକ୍‌ର ୧୭ଜଣ, ନିମାପଡ଼ା ବ୍ଲକ୍‌ର ୩୪ଜଣ, ପିପିଲି ବ୍ଲକ୍‌ର ୨୪ଜଣ, ପୁରୀ ସଦର ବ୍ଲକ୍‌ ଓ ପୁରୀ ପୌରାଞ୍ଚଳକୁ ମିଶାଇ ସର୍ବାଧିକ ୬୯ଜଣ, ସତ୍ୟବାଦୀ ବ୍ଲକ୍‌ର ୨୮ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ରହିଛନ୍ତି। ସେହିଭଳି ପ୍ରାଥମିକ ବିଦ୍ୟାଳୟର ୩୫୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବିକୁ ‌ପଦୋନ୍ନତି ସହ ବଦଳି କରାଯାଇଛି। ଏ ମଧ୍ୟରେ ଅସ୍ତରଙ୍ଗ ବ୍ଲକ୍‌ର ୧୬ଜଣ, ବ୍ରହ୍ମଗିରି ବ୍ଲକ୍‌ର ୩୩ଜଣ, ଡେଲାଙ୍ଗ ବ୍ଲକ୍‌ର ୨୩ଜଣ, ଗୋପ ବ୍ଲକ୍‌ର ୪୧ଜଣ, କାକଟପୁର ବ୍ଲକ୍‌ର ୨୩ଜଣ, କଣାସ ବ୍ଲକ୍‌ର ୧୬ଜଣ, କୃଷ୍ଣପ୍ରସାଦ ବ୍ଲକ୍‌ର ୩ଜଣ, ନିମାପଡ଼ା ବ୍ଲକ୍‌ର ୪୮ଜଣ, ପିପିଲି ବ୍ଲକ୍‌ର ୪୩ଜଣ, ପୁରୀ ସଦର ବ୍ଲକ୍‌ ଓ ପୁରୀ ପୌରାଞ୍ଚଳକୁ ମିଶାଇ ସର୍ବାଧିକ ୪୭ଜଣ, ସତ୍ୟବାଦୀ ବ୍ଲକ୍‌ର ସର୍ବାଧିକ ୫୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ରହିଛନ୍ତି। ଜିଲ୍ଲାସ୍ତରୀୟ ପଦୋନ୍ନତି କମିଟି ଓ ଶିକ୍ଷା ବିଭାଗର ଅନୁମୋଦନକ୍ରମେ ଗତ ୧ ତାରିଖରେ ଏହି ତାଲିକା ପ୍ରକାଶ ପାଇଛି। କିନ୍ତୁ ଦେଖିବାକୁ ମିଳିଛି ଯେ ଏଭଳି ପଦୋନ୍ନତି ଓ ବଦଳି କରି ଅନେକ ବିଦ୍ୟାଳୟକୁ ଶିକ୍ଷକ, ଶିକ୍ଷୟିତ୍ରୀ ଶୂନ୍ୟ କରି ଦିଆଯାଇଛି। କମିଟିରେ ଯେଉଁମାନେ ରହିଛନ୍ତି, ସେମାନେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇନାହାନ୍ତି। ପରିଚିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ପସନ୍ଦ ମୁତାବକ ବିଦ୍ୟାଳୟ ଦେଇଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ପୁରୀ ସଦର ଓ ପୌରାଞ୍ଚଳ। ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ପୁରୀ ସଦର ବ୍ଲକ୍‌ର ଦୂରଦୂରାନ୍ତର ବିଦ୍ୟାଳୟ ଆଣି ପୁରୀ ପୌରାଞ୍ଚଳ ଅବା ସହରତଳି ଅଞ୍ଚଳରେ ଥଇଥାନ କରାଯାଇଛି। ଯେଉଁଥିପାଇଁ ଅନେକ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ପଦବି ଖାଲି ପଡ଼ିବା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବାକୁ ଯାଉଛି।

ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଥଇଥାନ ଅଭିଯୋଗ
କୋଉଠି ଅଧିକ, କୋଉଠି ଅଭାବ

ପ୍ରତାପରାମଚନ୍ଦ୍ର ବିଦ୍ୟାଳୟ ୨୧୬ ଛାତ୍ରଛାତ୍ରୀଙ୍କୁ ୩ ଶିକ୍ଷକ
ପୁରୀ ଜିଲ୍ଲାରେ ଉଜୁଡ଼ା ଶିକ୍ଷା ବ୍ୟବସ୍ଥାର ଜ୍ବଳନ୍ତ ଉଦାହରଣ ପାଲଟିଛି ପୁରୀ ସଦର ବ୍ଲକ୍‌ ପ୍ରତାପରାମଚନ୍ଦ୍ରପୁର ନୋଡାଲ୍‌ ଉଚ୍ଚପ୍ରାଥମିକ ବିଦ୍ୟାଳୟ। ଏଠାରେ ୨୧୬ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ରହିଛନ୍ତି ମାତ୍ର ୩ଜଣ ଶିକ୍ଷକ। ସେପଟେ ଜିଲ୍ଲା ଶିକ୍ଷା ବିଭାଗ ଏଠାରେ ଅଧିକ ଶିକ୍ଷକ ଦେବା ବଦଳରେ ୨୦୧୮ ମସିହାଠାରୁ କ୍ରମାଗତ ଭାବେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବଦଳି କରିବାରେ ଲାଗିଛି। ଯାହା ଶିକ୍ଷା ଅଧିକାର ନିୟମକୁ ଖୋଲା ଉଲ୍ଲଂଘନ କରୁଥିବାବେଳେ ଛାତ୍ରଛାତ୍ରୀଙ୍କ ଭବି‌ଷ୍ୟତକୁ ବି ଅନ୍ଧାର ଭିତରକୁ ଠେଲି ଦେଇଛି। ସରକାରଙ୍କ ଶିକ୍ଷା ଅଧିକାର ନିୟମ କହୁଛି ଯେ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରତି ୩୫ଜଣ ଛାତ୍ରଛାତ୍ରୀରେ ଜଣେ ଶିକ୍ଷକ ଶିକ୍ଷକ ରହିବେ। ପ୍ରତାପରାମଚନ୍ଦ୍ରପୁର ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରେ ନଜର ପକାଇଲେ, ଏଠାରେ ୧୦୧ଜଣ ଛାତ୍ରୀ ଓ ୧୧୫ଜଣ ଛାତ୍ର ପାଠ ପଢ଼ୁଛନ୍ତି। ପ୍ରଥମ ଶ୍ରେଣୀରେ ୧୦ଜଣ, ଦ୍ବିତୀୟ ଶ୍ରେଣୀରେ ୭ଜଣ, ତୃତୀୟ ଶ୍ରେଣୀରେ ୧୪ଜଣ, ଚତୁର୍ଥ ଶ୍ରେଣୀରେ ୧୦ଜଣ, ପଞ୍ଚମ ଶ୍ରେଣୀରେ ୨୨ଜଣ, ଷଷ୍ଠ ଶ୍ରେଣୀରେ ୬୮ଜଣ ଓ ସପ୍ତମ ଶ୍ରେଣୀରେ ୮୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଶିକ୍ଷା ଅଧିକାର ନିୟମ ଅନୁସାରେ ପ୍ରାଥମିକ ବିଦ୍ୟାଳୟରେ ୩ଜଣ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୫ଜଣ ଶିକ୍ଷକ ରହିବା କଥା। ଏପରି ୮ଜଣ ଶିକ୍ଷକ ଓ ଜଣେ ପ୍ରଧାନଶିକ୍ଷକ ରହିବା କଥା। କିନ୍ତୁ ଆବଶ୍ୟକ ଶିକ୍ଷକର ଅଧା ଶିକ୍ଷକ ବି ଏଠାରେ ନାହାନ୍ତି। ପ୍ରଧାନଶିକ୍ଷକ ପବଦି ବହୁଦିନରୁ ଖାଲି ପଡ଼ିଛି। ଅତୀତର ପରୀକ୍ଷା ଫଳାଫଳ ଦେଖିଲେ, ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବି କ୍ରମାଗତ ଭଲ ପ୍ରଦର୍ଶନ କରି ଆସିଛନ୍ତି। ଭଲ ପ୍ରଦର୍ଶନ ଯୋଗୁଁ ଏକାଧିକ ପଞ୍ଚାୟତର ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢ଼ୁଛନ୍ତି। କିନ୍ତୁ ଏହି ବିଦ୍ୟାଳୟର ଶିକ୍ଷା ଭିତ୍ତିଭୂମିକୁ ସତେ ଯେପରି ଦୁର୍ବଳ କରିଦେବାକୁ ବସିଛି। ୨୦୧୮ ମସିହା ପରଠାରୁ ଏହି ବିଦ୍ୟାଳୟକୁ ଅବହେଳା କରାଯାଉଛି। ୨୦୧୮ ମସିହାରେ ଏହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଜିରାକନ୍ଦି ବିଦ୍ୟାଳୟକୁ ଡେପୁଟେସନ୍‌ରେ ପଠାଯାଇଥିଲା। ୩ ବର୍ଷ ପରେ ବି ସେ ଡେପୁଟେସନ୍‌ରେ ଅଛନ୍ତି। ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକଙ୍କୁ ନିକଟରେ ପଦୋନ୍ନତି ପରେ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଇଛି। ଏହି ବିଦ୍ୟାଳୟ କ୍ଲଷ୍ଟର ବିଦ୍ୟାଳୟ ହୋଇଥିବାବେଳେ ପାଠପଢ଼ା କ୍ଷେତ୍ରରେ ଏଭଳି ଅବହେଳାକୁ ପଞ୍ଚାୟତବାସୀ ଦୃଢ଼ ବିରୋଧ କରିଛନ୍ତି।

The post ପୁରୀ ଜିଲ୍ଲାରେ ଭୁଶୁଡ଼ିବ ଶିକ୍ଷା ବ୍ୟବସ୍ଥା: ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଥଇଥାନ ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3k79klL