
କଟକ/ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଆଦିତ୍ୟ କୁମାର ମହାପାତ୍ର। ୨୦୨୧, ସେପ୍ଟେମ୍ବର ୨୯ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ରଙ୍କ ନାଁ ସୁପାରିସ କରିଥିଲା। ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଶ୍ରୀ ମହାପାତ୍ର ପ୍ରତିଷ୍ଠିତ ପବ୍ଲିକେସନ୍ ହାଉସ ‘ଗ୍ରନ୍ଥ ମନ୍ଦିର’ର ପ୍ରତିଷ୍ଠାତା ତଥା ବିଶିଷ୍ଟ ପ୍ରକାଶକ ସ୍ବର୍ଗତ ଶ୍ରୀଧର ମହାପାତ୍ରଙ୍କ ନାତି, ପ୍ରକାଶକ ସ୍ବର୍ଗତ ଅଭିରାମ ମହାପାତ୍ରଙ୍କ ପୁଅ ତଥା ବ୍ରହ୍ମପୁରର ପରିଚିତ ବୁଦ୍ଧିଜୀବୀ ଶିବରାମ ମହାପାତ୍ରଙ୍କ ପୁତୁରା। ସେ ୧୯୬୯, ଫେବ୍ରୁଆରି ୨୬ରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୪ରେ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ମଧୁସୂଦନ ଆଇନ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ୧୯୯୫ରେ ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ଜଷ୍ଟିସ୍ ପି.କେ.ମିଶ୍ରଙ୍କ ସହଯୋଗୀ ଭାବେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ଭାରତର ନିର୍ବାଚନ କମିସନ୍, ରାଜ୍ୟ ମାନବାଧିକାର କମିସନ୍, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ହାଇକୋର୍ଟରେ ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଥିଲେ। ଦୀର୍ଘ ୨୬ ବର୍ଷ ଭିତରେ ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସାରାରାଜ୍ୟରେ ସୁନାମ ଅର୍ଜନ କରିଥିଲେ। ସେ ଖୁବ୍ଶୀଘ୍ର ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଶ୍ରୀ ମହାପାତ୍ରଙ୍କ ନିଯୁକ୍ତି ସହିତ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ରେ ପହଞ୍ଚିଛି।
The post ଆଦିତ୍ୟ ମହାପାତ୍ର ହାଇକୋର୍ଟର ନୂଆ ବିଚାରପତି first appeared on Sambad.from ଜିଲ୍ଲା | Sambad https://ift.tt/3EHD8NE
0 Comments