ଭବାନୀପାଟଣା : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଦୁଇଦିନ ଧରି ନିଜ ସ୍ବରକୁ ତୀବ୍ର କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ। ଗତକାଲି ଏକ ପ୍ରତିବାଦ ସଭାରେ ଶ୍ରୀ ଦାସ ସାଂଘାତିକ ଅଭିଯୋଗ ଆଣିଥିଲେ। ବୁଧବାର ଦିନ ପୁଣିଥରେ ପ୍ରଚାରପତ୍ର ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ୧୫ଟି ଦାବି ରଖିଛନ୍ତି। ଏଥିସହିତ ସେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛନ୍ତି। ଶ୍ରୀ ଦାସଙ୍କ ଏହି ଆକ୍ରମଣାତ୍ମକ ମନୋଭାବ କଳାହାଣ୍ଡି ରାଜନୀତିକୁ ସରଗରମ କରିଦେଇଛି।

ହତ୍ୟାକାଣ୍ଡ ପ୍ରତିବାଦ ତଥା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଦାବିରେ ବୁଧବାର ଦିନ କଳାହାଣ୍ଡି ଜିଲ୍ଲାବ୍ୟାପୀ ଏକ ବାଇକ୍‌ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଯାହାର ନେତୃତ୍ବ ନେଇଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଦାସ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ୧୫ଟି ପ୍ରଶ୍ନ ପଚାରିଛନ୍ତି। ଯାହାକି, ପ୍ରଚାରପତ୍ର ମାଧ୍ୟମରେ ବଣ୍ଟାଯାଇଛି। ମମିତା ହତ୍ୟାକାଣ୍ଡ ପଛର ପ୍ରକୃତ ସତ୍ୟକୁ ତଦନ୍ତ ପରିସରକୁ ନିଆଯାଉ। ମହାଲିଙ୍ଗ କଲେଜ୍‌କୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିୟମିତ ବିଳମ୍ବିତ ରାତିରେ ଯିବା ଘଟଣାର ତଦନ୍ତ ହେଉ। ଅଭିଯୁକ୍ତ ଗୋବିନ୍ଦ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗତ ୩ ମାସର ମୋବାଇଲ୍‌ ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମମିତା ମେହେର ସହିତ ଗୋବିନ୍ଦ ସାହୁର ହୋଇଥିବା ବାର୍ତ୍ତାଳାପ, ସେପ୍ଟେମ୍ବର ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଗୋବିନ୍ଦ, ମନ୍ତ୍ରୀ ଓ ପୀଡ଼ିତା ରାୟପୁରରେ ଥିଲେ ନା ନାହିଁ, ଗତ ୮ ତାରିଖରେ ମମିତାଙ୍କୁ ହତ୍ୟା କରିବା ଯୋଜନା ପ୍ରସ୍ତୁତ ପୂର୍ବରୁ ୬ ତାରିଖ ଦିନ ଗୋବିନ୍ଦ ଭବାନୀପାଟଣା ଆସି କେଉଁମାନଙ୍କ ସହିତ ଯୋଗାଯୋଗ କରିଛି, ଖେଳପଡ଼ିଆରେ ଅକ୍ଟୋବର ୭ ତାରିଖ ଦିନ ଜେସିବି ଡ୍ରାଇଭରକୁ ଗାତ ଖୋଳିବା ପାଇଁ କହିବା ସହିତ କେଉଁ ଲୋକମାନଙ୍କ ସହିତ ଫୋନ୍‌କଲରେ କଥାହୋଇଛି, ତାହାକୁ ସାମ୍‌ନାକୁ ଅଣାଯାଉ। ଘଟଣାର ସମସ୍ତ ପ୍ରମାଣ ଓ ତଥ୍ୟ ନଷ୍ଟ ପାଇଁ କେଉଁ ବରିଷ୍ଠ ପୁଲିସ ଅଧିକାରୀ ମନ୍ତ୍ରୀ ଓ ଗୋବିନ୍ଦ ସହ ଯୋଗାଯୋଗରେ ଥିଲେ, ସେମାନଙ୍କ କଲ୍‌ ରେକର୍ଡ ବି ଯାଞ୍ଚ କରାଯାଉ। ପୁଲିସ କିଭଳି ଅକ୍ଟୋବର ୧୮ ତାରିଖ ଦିନ ମମିତାର ହତ୍ୟା ହୋଇଛି ଓ ମହାଲିଙ୍ଗ ଷ୍ଟାଡିୟମରେ ପୋତାଯାଇଛି ବୋଲି ଜାଣିପାରିଲା , ତାହାର ତଦନ୍ତ କରାଯାଉ।

ଶ୍ରୀ ଦାସ ଏହିଭଳି ୧୫ଟି ଦାବି ସହ ପ୍ରଶ୍ନ ପଚାରିଛନ୍ତି। ଆଗକୁ ଏହି ୧୫ଟି ପ୍ରଶ୍ନ ଉପରେ ରାଜ୍ୟ ସରକାର କ’ଣ ଉତ୍ତର ରଖୁଛନ୍ତି, ଏହା ଉପରେ ସଭିଙ୍କ ନଜର ରହିଛି।

The post ମମିତା ମେହେର ହତ୍ୟା ମାମଲା: ରାଜ୍ୟ ସରକାର ନିକଟରେ ଭକ୍ତଙ୍କ ୧୫ଟି ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3mHSOtV