
ଶେରଗଡ଼ : କୋଲକାତାରେ ଚାଲିଥିବା ଇଷ୍ଟର୍ଣ୍ଣ ମେନ୍ ଓ ଓମେନ୍ ପାୱାରଲିଫ୍ଟିଂ ଆଣ୍ଡ୍ ବେଞ୍ଚପ୍ରେସ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତା ସରିଛି। ଏଥିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ଗଦାଧର ସାହୁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ଏହି ସାଧାରଣବର୍ଗ ପ୍ରତିଯୋଗିତାର ୫୫ କେଜି ବର୍ଗରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ପାଇଛନ୍ତି। ଏହି ଜାତୀୟସ୍ତରୀୟ ଦେଶର ୧୦ଟି ରାଜ୍ୟର କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ତାଙ୍କର ଏହି ସଫଳତା ପରେ ନରେନ୍ଦ୍ରପୁର ଗ୍ରାମ ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।
ଗଦାଧର ପୂର୍ବରୁ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏବଂ ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିଗତାରେ ପ୍ରଥମ ହୋଇଥିଲେ। ସ୍ବର୍ଗତ ବଳରାମ ସାହୁଙ୍କ ସାନପୁଅ ଗଦାଧର ପିଲାବେଳେ ଟ୍ରେନ୍ ଦୁର୍ଘଟଣାରେ ଦୁଇଟି ଗୋଡ଼ ହରାଇଥିଲେ। ବଡ ହେବା ପରେ ମନୋବଳ ଦୃଢ଼ କରି ସ୍ବାବଲମ୍ବୀ ହେବା ସହ ବଳିଷ୍ଠ ସ୍ବାସ୍ଥ୍ୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଗତବର୍ଷ ବ୍ରହ୍ମପୁରରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଏକମାତ୍ର ଦିବ୍ୟାଙ୍ଗ ଭାବେ ଅଂଶଗ୍ରହଣ ସମ୍ମାନିତ ହୋଇଥିଲେ।
୨୦୧୬ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯାଇଥିଲେ। କିନ୍ତୁ ତାଙ୍କ ବର୍ଗର ପ୍ରତିଯୋଗିତା ଶେଷ ହୋଇଯାଇଥିଲା। ତଥାପି ନିଜର ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ କରି ଉପସ୍ଥିତ ବିଚାରକମଣ୍ଡଳୀଙ୍କୁ ପ୍ରଭାବିତ କରିଥିଲେ। ପ୍ରୋତ୍ସାହନ ମିଳିଲେ ସେ ଜାତୀୟ ତଥା ଅନ୍ତର୍ଜାତୀୟ ଏବଂ ପାରା ଅଲିମ୍ପିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ବାପାମାଆଙ୍କ ଦେହାନ୍ତ ପରେ ଗଦାଧର ନିଜ ବଡ଼ଭାଇ ମୁନା ସାହୁଙ୍କ ପିତ୍ତଳ ଛକ ଫାଷ୍ଟଫୁଡ୍ ଦୋକାନରେ ଭାଇଙ୍କୁ ସହଯୋଗ କରିଆସୁଛନ୍ତି। ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ତାଙ୍କର ରୁଚି ଥିବାରୁ ଜିମ୍ରେ ନିୟମିତ ଅଭ୍ୟାସ କରୁଛନ୍ତି। ପ୍ରତିଦିନ ଦୁଇବେଳା ଅଭ୍ୟାସ କରୁଛନ୍ତି।
The post ପାୱାର୍ଲିଫ୍ଟିଂ ଚାମ୍ପିଅନ୍ସିପ୍ରେ ଦିବ୍ୟାଙ୍ଗ ଗଦାଧରଙ୍କୁ ସ୍ବର୍ଣ୍ଣ first appeared on Sambad.from ଜିଲ୍ଲା | Sambad https://ift.tt/3DPZzAf
0 Comments