
ଲୋକ ଚରିତ୍ର ହିଁ ବିକାଶ: ପ୍ରଫେସର ମଧୁସୂଦନ ପତି
ଶପଥ ନେଇ ପରିବର୍ତ୍ତନ ଆଣିବାକୁ ପଡ଼ିବ: ସଂଗୀତା
ଏକତା ବଲାଙ୍ଗୀରକୁ ଆଗକୁ ନେଇପାରିବ: ନରସିଂହ
ବଲାଙ୍ଗୀର : ଧୀରେ ଧୀରେ ପ୍ରକୃତ ଶିକ୍ଷା ଅପସରି ଗଲାଣି। ପରିବେଶ ଧ୍ୱଂସ କରିଦେଲେ ଓ ଲୋକ ଚରିତ୍ର ନଷ୍ଟ କରିଦେଲେ ହେବନାହିଁ। ଲୋକ ଚରିତ୍ର ହିଁ ବିକାଶ। ବର୍ତ୍ତମାନର ଯୁବପିଢ଼ି ହିଁ ତାଙ୍କ ଭବିଷ୍ୟତ ପିଢ଼ି ପାଇଁ ଏସବୁ କରିପାରିବେ। ଏଥିପାଇଁ ଆମେ ସମସ୍ତେ ରାସ୍ତା ଦେଖାଇବାକୁ ପଡ଼ିବ ବୋଲି ଆଜି ‘ବଲାଙ୍ଗୀର ଦିନ୍’ ସାଂଧ୍ୟ ସଭାରେ ପ୍ରଫେସର ଡ. ମଧୁସୂଦନ ପତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଏହାସହ ସେ ବଲାଙ୍ଗୀର ବିକାଶ ପାଇଁ ଉପସ୍ଥିତ ସମସ୍ତକୁ ଶପଥପାଠ କରାଇଥିଲେ।
‘ବଲାଙ୍ଗୀର ଦିନ୍ ଆୟୋଜନ କମିଟି’ ପକ୍ଷରୁ ସ୍ଥାନୀୟ କୋଶଳ କଳାମଣ୍ଡଳଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ସଂଗୀତା ସିଂହଦେଓ କହିଥିଲେ, ‘ବଲାଙ୍ଗୀର ଦିନ୍’ରେ ଆମେ ବଲାଙ୍ଗୀରକୁ ନେଇ ଗର୍ବ କରିବା କଥା। ହେଲେ, ଗଣତନ୍ତ୍ର ଶାସନରେ ସ୍ୱାଧୀନତାର ୭୫ ବର୍ଷ ପରେ ଆମେ ଆକାଂକ୍ଷା ଜିଲ୍ଲା ତାଲିକାରେ ଅଛୁ। ଆମେ ସମସ୍ତେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଶପଥ ନେଇ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି କହିଥିଲେ।
ବିଧାୟକ ନରସିଂହ ମିଶ୍ର କହିଥିଲେ, ସମୟ ଅନୁସାରେ ପରିବର୍ତ୍ତନ ହୋଇଥାଏ। ୯୦୦ ବର୍ଷ ପୂର୍ବରୁ ଗଣତନ୍ତ୍ର ଶାସନ ଥିଲା। ତାପରେ ରାଜତନ୍ତ୍ର ଶାସନ ଆସିଥିଲା ଓ ପୁଣି ଏବେ ଗଣତନ୍ତ୍ର ଶାସନ ଚାଲିଛି। ସମୟକ୍ରମେ ପରିବର୍ତ୍ତନ ହୋଇଥାଏ। କିନ୍ତୁ ଆମେ ପଛୁଆ ବୋଲି ଭାବିଲେ ଚଳିବ ନାହିଁ। ଅନେକ ନାମକରା ଲୋକ ବଲାଙ୍ଗୀର ମାଟିରେ ଜନ୍ମ ନେଇଛନ୍ତି। ଏ ମାଟିର ଗୌରବ ବଢ଼ାଇଛନ୍ତି। ଆମେ ଆଶା ଯେତିକି କରୁଛୁ ସେତିକି ବିକାଶ ହୋଇନି ସତ। କିନ୍ତୁ ଦଳମତ ନିର୍ବିଶେଷରେ ଏକତା ହିଁ ବଲାଙ୍ଗୀରକୁ ଆଗକୁ ନେଇପାରିବ। ଅନ୍ୟମାନଙ୍କ ମଧ୍ୟରେ, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ଯୋଗଦେଇ ‘ବଲାଙ୍ଗୀର ଦିନ୍’ ପାଳନ କରିଥିବାରୁ ସେ ପ୍ରଶଂସା କରିଥିଲେ।
ଆୟୋଜନ କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ ମଂଚାସୀନ ରହିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଉପଦେଷ୍ଟା ପ୍ରଭାସ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ। ଆୟୋଜନ କମିଟିର ରତନ ମହାରଣା ‘ବଲାଙ୍ଗୀର ଦିନ୍’ ପାଳନ ସଫଳ ହୋଇଛି ବୋଲି ବକ୍ତବ୍ୟରେ କହିଥିଲେ।
The post ବଲାଙ୍ଗୀର ଦିନ୍ରେ ବିକାଶର ସଂକଳ୍ପ first appeared on Sambad.from ଜିଲ୍ଲା | Sambad https://ift.tt/2Y5aZjJ
0 Comments