
ଜୟପୁର: ଜୟପୁର ବ୍ଲକରେ ପାଣି ଟାଙ୍କିଗୁଡିକରେ ଚାଲିଥିବା ରଙ୍ଗ ଦିଆକାମରେ ବ୍ୟାପକ ଚଂଚକତା ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଭଳିକି କନିଷ୍ଠ ଯନ୍ତ୍ରୀମାନଙ୍କ ଇଷ୍ଟିମେଟ ନଥାଉଣୁ, ବିନା ଟେଣ୍ଡର ଓ ୱାର୍କ ଅର୍ଡରରେ ରଙ୍ଗ ଦିଆ କାମ ଚାଲିଛି । ଜୟପୁରର ୨୨ଟି ପଂଚାୟତ ପାଇଁ ରହିଥିବା ଦୁଇ ଜଣ କନିଷ୍ଠ ଯନ୍ତ୍ରୀ କିଏ ଏହି ରଙ୍ଗ ଦିଆ କାମ କରୁଛି ତାଙ୍କ ନିକଟରେ ୱାର୍କ ଅର୍ଡର ରହିଛି କି ନାହିଁ ଜାଣି ନଥିବା ଅଭିଯୋଗରେ ସତ୍ୟତା ଅଛି ବୋଲି ଉଭୟ କନିଷ୍ଠ ଯନ୍ତ୍ରୀ କହିଛନ୍ତି। ସୂଚନା ଅନୁଯାୟୀ ଜୟପୁର ବ୍ଲକର ୨୨ଟି ପଞ୍ଚାୟତରେ ୪୮ଟି ପାଣି ଟାଙ୍କି ରହିଛି। ପ୍ରତ୍ୟେକ ପାଣି ଟାଙ୍କିରେ ରଙ୍ଗ ଦେଇ ପରିସରକୁ ସଫାସୁତରା କରିବା ପାଇଁ ଗୋଟାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ରହିଛି। ତେବେ ଯେ କୌଣସି କାମ କରିବା ପୂର୍ବରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେତେ ଟଙ୍କାର ଖର୍ଚ୍ଚ ଆସିବ ତାହାର ଏଷ୍ଟିମେଟ୍ କରିବେ। ଏଷ୍ଟିମେଟକୁ ସେ ଏସଡିଓଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇବେ।
ଏସଡିଓ ଏହାକୁ ଅନୁମୋଦନ କରି ବିଡିଓଙ୍କ ଅନୁମୋଦନ ନେଇ ଡିଭିଜନର ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରିବେ। ସେ ଏହା ପରେ ଟେଣ୍ଡର ଆହ୍ବାନ କରିବା ସହ ଟେଣ୍ଡର ପାଇଥିବା ଠିକାଦାରଙ୍କୁ କାମ କରିବାକୁ ୱାର୍କ ଅର୍ଡର ଦେବେ। ତେବେ ଏହା ସବୁ ନଥାଉଣୁ କେହି ଜଣେ ଆସି ବିଭାଗର ବିନା ଏଷ୍ଟିମେଟ, ଟେଣ୍ଡର ଓ ୱାର୍କ ଅର୍ଡରରେ କିଭଳି ରଙ୍ଗ ଦେବା କାମ କରୁଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାରେ ଗ୍ରାମ୍ୟ ଜଳଯୋଗାଣ ଓ ପଂଚାୟତିରାଜ ବିଭାଗ ଅଧିନରେ ଶହେରୁ ଉର୍ଦ୍ଧ୍ବ ଶିକ୍ଷିତ ବେକାର ଯୁବକମାନେ ଠିକାଦାରି କରୁଛନ୍ତି। ତେବେ ଜିଲ୍ଲାର ଠିକାଦାରଙ୍କୁ ବାଦ୍ ଦେଇ କାହାକୁ ଏହି ରଙ୍ଗ ଦିଆ କାମ ବିନା ଟେଣ୍ଡର, ୱାର୍କ ଅର୍ଡରରେ କିଭଳି ଦିଆଗଲା ବୋଲି ଯୁବ ଠିକାଦାର କୃଷ୍ଣ ଗୌଡ଼, ରଇଲୁ ପୁଜାରୀ, ସନ୍ତୋଷ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି।
ଜୟପୁର ବ୍ଲକର ୨୨ଟି ପଂଚାୟତରେ କାହାରିକୁ ଟେଣ୍ଡର ମିଳିଥିବା କିମ୍ବା ୱାର୍କ ଅର୍ଡର ସେମାନେ କିମ୍ବା ବିଭାଗ ଦେଇଥିବା ଜାଣି ନଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ଇଂ ଭରତ ଭୁଷଣ ସ୍ବାଇଁ ଓ ଇଂ. ରଂଜିତା ରାଣୀ ପଣ୍ଡା। ଏପରିକି ଉଭୟ କନିଷ୍ଠ ଯନ୍ତ୍ରୀ ଏଷ୍ଟିମେଟ ଦେଇ ନଥିବା କହିଛନ୍ତି। କିଏ ରଙ୍ଗ ଦେବା କାମ କରୁଛି ତଥା କାହା ନିର୍ଦ୍ଦେଶରେ ଚାଲିଛି ତାହା ଭଗବାନ ହିଁ ଜାଣନ୍ତି ବୋଲି କହିଛନ୍ତି ଏସଡିଓ ହରି ନାରାୟଣ ରଥ। ଏହାର ଭିଜିଲାନସ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମାନବାଧିକାର କର୍ମୀ ଅନୁପ ପାତ୍ର।
The post ପାଣି ଟାଙ୍କି ରଙ୍ଗ ଦିଆ କାମରେ ଚଂଚକତା ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3DLu3mP
0 Comments