
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯବାନଙ୍କ ଅତର୍କିତ ଗୁଳି ଚାଳନା ଯୋଗୁ ୪ ଜଣ ସାଥୀ ଯବାନଙ୍କ ମୃତ୍ୟୁ ହୋଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ୧୩ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି। କେଉଁ ପରିସ୍ଥିତିରେ ଏତେ ବଡ଼ ଘଟଣା ଘଟିଲା ସ୍ପଷ୍ଟ ହୋଇପାରି ନାହିଁ। ପ୍ରାରମ୍ଭିକ ଅନୁସନ୍ଧାନ ପରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଥିବା କୁହାଯାଉଛି। ସ୍ଥାନୀୟ ପୁଲିସ ଦ୍ବାରା ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ, ନକ୍ସଲ ଦମନ ନିମନ୍ତେ ସୁକମା ଜିଲ୍ଲା ମରଇଗୁଡ଼ା ଥାନା ଅନ୍ତର୍ଗତ ଲିଙ୍ଗନପାଲୀ ଠାରେ ସିଆର୍ପିଏଫ୍ ୫୦ ବାଟାଲିୟନର କ୍ୟାମ୍ପ ରହିଛି। ଗତକାଲି ରାତିରେ କିଛି ଯବାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଯବାନ ରିତେଶ ରଂଜନ ବଚସା ଯୋଗୁ ଏତେ ମାତ୍ରାରେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ଯେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ନିଜ ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ଜୀବନ ବିକଳରେ ଦୌଡ଼ିଥିଲେ ବି ଧାନଜୀ, ରାଜୀବ ମଣ୍ଡଳ, ରାଜମଣି କୁମାର ଯାଦବ ଓ ଧର୍ମେନ୍ଦ୍ର କୁମାର ପ୍ରମୁଖଙ୍କୁ ଗୁଳି ବାଜିବାରୁ ଟଳି ପଡ଼ିଥିଲେ। ସେହିପରି ଧନଞ୍ଜୟ କୁମାର, ଧର୍ମାତ୍ମା କୁମାର ଏବଂ ମଳୟ ରଂଜନ ମହାରଣା ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ ୧୩ ଜଣ ବି ସାମାନ୍ୟ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ତେଲେଙ୍ଗାନାର ଭଦ୍ରାଚଲମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ୩ ଜଣ ଯବାନଙ୍କୁ ରାୟପୁର ଡାକ୍ତରଖାନାକୁ ଏୟାରଲିଫ୍ଟ କରାଯାଇଛି। ମୃତ୍ୟୁବରଣ କରିଥିବା ୪ ଯବାନଙ୍କ ମଧ୍ୟରୁ ୩ ଜଣ ବିହାରର ଏବଂ ଜଣେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।
ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଗୁଳି ଚଳାଇଥିବା ଯବାନ ରିତେଶ ରଂଜନଙ୍କୁ କାବୁ କରି ସିଆର୍ପିଏଫ୍ କ୍ୟାମ୍ପରେ ଅଟକ ରଖାଯାଇଛି। ଖବର ପାଇ ସିଆର୍ପିଏଫ୍ର ବରିଷ୍ଠ ଅଧିକାରୀଙ୍କ ସହ ପୁଲିସ ଅଧିକାରୀ ପହଞ୍ଚିଥିଲେ। ସୁକମା ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀ ବି କ୍ୟାମ୍ପକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁଳି ଫୁଟିବା ପୂର୍ବରୁ ବଚସା ହୋଇଥିବା କୁହାଯାଉଥିଲେ ବି କେଉଁ କାରଣରୁ ପାଟିତୁଣ୍ଡ ହୋଇଥିଲା ସ୍ପଷ୍ଟ ରୂପେ କେହି କିଛି କହିପାରୁ ନାହାନ୍ତି।
The post ସିଆର୍ପିଏଫ୍ କ୍ୟାମ୍ପରେ ଅଭାବନୀୟ ଘଟଣା: ସାଥୀ ଯବାନଙ୍କ ଗୁଳିରେ ଟଳିଲେ ୪ first appeared on Sambad.from ଜିଲ୍ଲା | Sambad https://ift.tt/3H4rk9V
0 Comments