କାଳିଆପାଣି : ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଆଜି କଲେଜ୍ ବସ୍‌ ଦାବିରେ ଟାଟା କମ୍ପାନି ମୁଖ୍ୟ ଫାଟକ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। ସୁକିନ୍ଦା କଲେଜ୍, ଭୁବନ କଲେଜ୍ ଓ ଇଚ୍ଛାପୁର ଇମ୍ଫା ବିଆଇପିଏଫ୍‌ ଆଇଟିଆଇରେ ପଢ଼ୁଥିବା ୫୦ ରୁ ଅଧିକ ଛାତ୍ରଛାତ୍ରୀ ଟିଏସ୍‌ଏମ୍‌ଏଲ୍‌ କମ୍ପାନିରୁ ମାଗଣା ବସ୍‌ ସେବା ଦାବିକରି ଟମକା-ମଙ୍ଗଳପୁରଟମକା-ମଙ୍ଗଳପୁର ଖଣିଅଞ୍ଚଳ ମୁଖ୍ୟରାସ୍ତା ଉପରେ ଅ‌ଢ଼େଇ ଘଣ୍ଟା ଧରି ବସି ରହିଥିଲେ। ”ବସ ନାହିଁ ତ” ଟ୍ରକ୍‌ ନାହିଁ” ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ସଡ଼କର ଉଭୟ ପାର୍ଶ୍ବରେ ଶହଶହ କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌ ଓ ସାଧାରଣ ଟ୍ରକ୍ ଅଟକି ରହିଥିଲା। ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଦୁଇଘଣ୍ଟା ଧରି ଘଟଣାସ୍ଥଳରେ ରହିବା ସହ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ବି ସେମାନେ ଆନ୍ଦୋଳନରୁ ଓହରି ନଥିଲେ। ଟାଟା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ବିନା ଆ‌ନ୍ଦୋଳନରୁ ହଟିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଜଣାଇ ଦେଇଥିଲେ।

ସୁକିନ୍ଦା ତହସିଲଦାର କାବେରୀ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସୁଫଳ ମିଳି ନଥିଲା। ଶେଷରେ ବିଧାୟକଙ୍କ ହସ୍ତକ୍ଷେପରୁ ଟିଏସ୍‌ଏମ୍‌ଏଲ୍‌ କମ୍ପାନି କର୍ତ୍ତୃପକ୍ଷ ଦ୍ବିପାକ୍ଷିକ ଆଲୋଚନା ପାଇଁ ରାଜି ହୋଇଥିଲେ। ଟାଟା ମୁଖ୍ୟ ଫାଟକରେ ତହସିଲଦାରଙ୍କ ଉପସ୍ଥିତିରେ ଟିଏସ୍‌ଏମ୍‌ଏଲ୍‌ ଏଜିଏମ୍‌ (ପ୍ରଶାସନ) ଗୌତମ ଚକ୍ରବର୍ତ୍ତୀ ଓ ସଞ୍ଜୀବ କୁମାର ସାହୁ ଏବଂ ଛାତ୍ର ପ୍ରତିନିଧି ଶକ୍ତିମାନ ପାତ୍ର, ନିରୁପମା ବାହାଦୁର, ଦମୟନ୍ତୀ ପଣ୍ଡା ଓ ସୀମା ପୂର୍ତ୍ତିଙ୍କ ମଧ୍ୟରେ ଆଲୋଚନା ‌ହୋଇଥିଲା। ଖୁବ୍‌ଶୀଘ୍ର କମ୍ପାନି ପକ୍ଷରୁ କଲେଜ୍ ପିଲାଙ୍କ ପାଇଁ ଏକ ବସ୍‌ ଯୋଗାଇ ଦିଆଯିବ ବୋଲି ଶ୍ରୀ ଚକ୍ରକର୍ତ୍ତୀ ପ୍ରତିଶ୍ରୁତି ଦେଇଥିଲେ। ଆଜି କାଳିଆପାଣି ଗସ୍ତରେ ଥିବା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ତୁରନ୍ତ ଟିଏସ୍‌ଏମ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ଡକାଇ ସେ ସେମାନଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଟାଟା କମ୍ପାନି ପକ୍ଷରୁ ବସ ସେବା ଚାଲୁ ହେବା ପର୍ଯ୍ୟନ୍ତ ତାଙ୍କ ନିଜସ୍ବ ଅନୁଦାନ ଓ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ପକ୍ଷରୁ ଆସନ୍ତାକାଲିଠାରୁ ଖଣିଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପୂର୍ବବତ୍ କାଳିଆପାଣିରୁ ସୁକିନ୍ଦା କଲେଜ ପର୍ଯ୍ୟନ୍ତ ମାଗଣା ବସ୍‌ ସେବା ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ଘଡ଼ାଇ ଘୋଷଣା କରିଥିଲେ। ବୈଠକରେ ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର ଉପସ୍ଥିତ ଥିଲେ।

The post ବସ୍‌ ଦାବିରେ କଲେଜ୍ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ first appeared on Sambad.

from ଜିଲ୍ଲା | Sambad https://ift.tt/3Hmb0Sr