
କଟକ : ସଚ୍ଚି ରାଉତରାୟ ବାମପନ୍ଥୀ ଚିନ୍ତାଧାରାର ଅନ୍ୟତମ ଶ୍ରେଷ୍ଠ କବି। ‘ବାଜି ରାଉତ ଓ ‘ଛୋଟ ମୋର ଗାଁ ଟି କବିତା ପାଇଁ ତାଙ୍କ ପ୍ରତିଭା ରାଜ୍ୟ, ଦେଶ ତଥା ଦେଶ ବାହାରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲା। ସେ ଅନ୍ତରରୁ କବିତା ସୃଷ୍ଟି କରୁଥିଲେ। ଆଉ ତାଙ୍କ କବିତାର ଭାଷା ସରଳ, ସାବଳୀଳ ଓ ସାଧାରଣ ଲୋକ ବୁଝିବା ଭଳି ରହିଥିଲା। ସେ ଥିଲେ ପ୍ରଚଣ୍ଡ ପ୍ରତିଭା ଓ ବିରାଟ ବ୍ୟକ୍ତିତ୍ବର ଅଧିକାରୀ। କବି ସଚ୍ଚି ରାଉତରାୟଙ୍କ ଉଦ୍ଦେଶ୍ୟରେ ଏପରି କହିଛନ୍ତି ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ବିପିନ ବହାରୀ ମିଶ୍ର। ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାରଳା ଭବନରେ ଆୟୋଜିତ ସଚ୍ଚି ରାଉତରାୟ ସ୍ମୃତି ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀ ମିଶ୍ର ଯୋଗଦେଇ ସଚ୍ଚି ରାଉତରାୟଙ୍କ ବାର୍ତ୍ତା ପାଳନ କରିବାକୁ ଆଜିର ଯୁବ କବି ଓ ସାହିତ୍ୟିକଙ୍କୁ ଆହ୍ବାନ ଦେଇଥିଲେ।
ସମାରୋହକୁ ଉଦ୍ଘାଟନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିସନର ତଥା ଶାସନ ସଚିବ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ସଚ୍ଚି ରାଉତରାୟଙ୍କୁ ବିଂଶ ଶତାବ୍ବୀ ମହାକବି ଭାବେ ବର୍ଣ୍ଣନା କରିଥିଲେ। ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ବିଶିଷ୍ଟ କବି, ପ୍ରଶାସକ, ଶିକ୍ଷାବିତ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସଚ୍ଚି ରାଉତରାୟ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ତାଙ୍କୁ ୨୫ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭା ଡକ୍ଟର ପରିଚ୍ଛା ପଟ୍ଟନାୟକ କହିଲେ, ଲାଳିତ୍ୟ ଓ ଛନ୍ଦବୋଧ ପାଇଁ ସଚ୍ଚି ରାଉତରାୟଙ୍କ କବିତା ଥିଲା ଅନନ୍ୟ। ଓଡ଼ିଆ ସାହିତ୍ୟରେ ତାଙ୍କ ସମକକ୍ଷ କେହି ନାହାନ୍ତି ବୋଲି ଡକ୍ଟର ପରିଚ୍ଛା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ସମ୍ମାନ ପାଇଁ ସେ ଅନୁଷ୍ଠାନକୁ କୃତଜ୍ଞତା ଅର୍ପଣ କରିଥିଲେ।
ମୁଖ୍ୟବକ୍ତା ଭାେବ ପ୍ରଫେସର ବିଷ୍ଣୁପ୍ରିୟା ଓତା କହିଲେ ଯେ ସଚ୍ଚି ରାରତରାୟ ଥିଲେ ବାମପନ୍ଥୀ ଦର୍ଶର କାନ୍ତୀକାରୀ ସ୍ରଷ୍ଟା ତଥା ଆଧୁନିକ ଓଡ଼ିଆ ସାହିତ୍ୟର ମୁଖ୍ୟ ପୁରୋଧା। ତାଙ୍କ କବିତାରେ ମାଟି, ପାଣି, ପବନ, ଗାଁର ସରଳ ମଣିଷଙ୍କ କଥା ପ୍ରତିଫଳିତ ହୋଇଥାଏ। ସମ୍ମାନିତ ଅତିଥି ଭାବେ ‘ନାଇଜରର କୁଳସଚିବ ଡକ୍ଟର ଅଭୟ କୁମାର ନାୟକ, ସଚ୍ଚି ରାଉତରାୟଙ୍କୁ ମାଟିର ଦ୍ରୋଣାଚାର୍ଯ୍ୟ ଭାବେ ଅବିହିତ କରିଥିଲେ। ‘କୋଣାର୍କ କବିତାରେ ଚାରୁକଳା ଅପେକ୍ଷା ଏଥିରେ ନିଯୁକ୍ତି କାରିଗରିଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ସେ ନିଖୁଣ ଭାବେ ବର୍ଣ୍ଣନା କରିଥିଲେ ବୋଲି ଡକ୍ଟର ନାୟକ କହିଥିଲେ। ସଭାପତି ଡକ୍ଟର ସ୍ବାଇଁ, କବିଙ୍କୁ ବିଶ୍ବ ସାହିତ୍ୟର ଅନନ୍ୟ ସ୍ରଷ୍ଟା ବୋଲି କହିଥିଲେ। ସଚ୍ଚି ରାଉତରାୟଙ୍କ ‘ବାଜି ରାଉତ ହରିନ୍ଦ୍ରନାଥ ଚଟ୍ଟୋପଧ୍ୟାୟଙ୍କ ଦ୍ବାରା ଇଂରାଜୀରେ ଅନୁଦିତ ହୋଇ ବିଶ୍ବରେ ଆଲୋଡନ ସୃଷ୍ଟି କରିଛି ବୋଲି ସଭାପତି ଡକ୍ଟର ସ୍ବାଇଁ କହିଥିଲେ। ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ବିରଞ୍ଚି ନାରାୟଣ ସାହୁ ମାନପତ୍ର ପାଠ କରିଥିଲେ। କବିଙ୍କ ପୁତ୍ର ଶ୍ରୀହର୍ଷ ରାଉତରାୟ, ବୋହୂ ଉଷା ଦେବୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଶିକ୍ଷାବିତ କୈଳାସ ଚନ୍ଦ୍ର ବରାଳ ଧନ୍ୟବାଦ ଦେଇଥିଲେ। ଇଞ୍ଜିନିୟର ସୁଶାନ୍ତ ସେଠୀ, ହେମନ୍ତ ମହାରଣା, ମାନସ ସାହୁ, ହୃଷୀକେଶ ମହାନ୍ତି, ବିଭୁପ୍ରସାଦ ରାଉତ, ବ୍ରଜକିଶୋର ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
The post ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ‘ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ’ first appeared on Sambad.from ଜିଲ୍ଲା | Sambad https://ift.tt/3o3EBqR
0 Comments