ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ପରମେଶ୍ୱର ମନ୍ଦିରରେ କାର୍ଯ୍ୟରତ ଜଣେ ସେବାୟତ ରବିବାର ଦିନ ପତାକା ଲଗାଉଥିବାବେଳେ ଫାଟକରୁ ପଡ଼ି ପ୍ରାଣ ହରାଇଥିଲେ। କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ସୋମବାର ଦିନ ମନ୍ଦିର ଫାଟକ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଛନ୍ତି।

ସୂଚନାଯୋଗ୍ୟ, ପାଟଣା ପରମେଶ୍ୱର ମନ୍ଦିରର ସେବାୟତ ଥିବା କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଭୁଦବାହାଳି ଗ୍ରାମର ସନ୍ତୋଷ ମହାନ୍ତ (୪୬) ଗତକାଲି କାର୍ତ୍ତିକପୂର୍ଣ୍ଣିମା ପାଇଁ ମନ୍ଦିର ସମ୍ମୁଖରେ ଥିବା ଫାଟକ ଉପରେ ଚଢ଼ି ପତାକା ଲଗାଉଥିଲେ। ଅସାବଧାନତା ଯୋଗୁଁ ତଳକୁ ଖସି ପଡ଼ିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ କଟକ ବଡ଼ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସନ୍ତୋଷ ବହୁବର୍ଷ ଧରି ପରମେଶ୍ବର ମନ୍ଦିରରେ ସେବାୟତ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟସ୍ଥଳରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବାରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଓ ପରିବାର ଲୋକେ ଦାବି କରିଥିଲେ। ଧାରଣାସ୍ଥଳରେ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ପହଞ୍ଚି ବୁଝାସୁଝା କରିବା ସହ ମୃତଦେହକୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

The post ଫାଟକରୁ ପଡ଼ି ସେବାୟତଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ଶବ ରଖି ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3wMCf3z