
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ୫-ଟି ଯୋଜନାରେ ରୂପାନ୍ତରୀକରଣ ହୋଇଥିବା ଆଉ ୮୩ଟି ସ୍ମାର୍ଟସ୍କୁଲ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ଼୍ରେ ଲୋକାର୍ପିତ କରିଛନ୍ତି। ଚକାଚକ୍ ସ୍ମାର୍ଟ୍ କ୍ଲାସରୁମ୍ ସାଙ୍ଗକୁ ଇ-ଲାଇବ୍ରେରି, ଆଧୁନିକ ବିଜ୍ଞାନଗାର, କମ୍ପୁଟର ଲ୍ୟାବ୍, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ଖେଳପଡ଼ିଆରେ ସଜେଇ ହୋଇଛି ବିଦ୍ୟାଳୟ ପରିସର। ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୩୩ଟି ସ୍କୁଲ୍ର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ପାଇଲଟ୍ ପ୍ରୋଜେକ୍ଟ୍ ଭାବେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ୫୦ଟି ବିଦ୍ୟାଳୟ ଲୋକାର୍ପିତ ହୋଇଥିଲା। ଅବଶିଷ୍ଟ ୮୩ଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି।
ଆସିକା ବ୍ଲକ୍ର ୫ଟି ସ୍କୁଲ୍, ବେଗୁନିଆପଡ଼ାର ୩, ବେଲଗୁଣ୍ଠାର ୩, ବ୍ରହ୍ମପୁରର ୪, ଭଞ୍ଜନଗରର ୩, ବୁଗୁଡ଼ାର ୩, ଛତ୍ରପୁରର ୩ ଅନୁଷ୍ଠାନ ଅନସ୍ଲୋ ହାଇସ୍କୁଲ୍, ନରେନ୍ଦ୍ରପୁର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚିକିଟିର ୩, ଧରାକୋଟର ୫, ଦିଗପହଣ୍ଡିର ୩, ଗଞ୍ଜାମର ୩, ହିଞ୍ଜିଳିର ୨, ଜଗନ୍ନାଥପ୍ରସାଦର ୩, କବିସୂର୍ଯ୍ୟନଗର ୩, ଖଲ୍ଲିକୋଟର ୩, କୁକୁଡ଼ାଖଣ୍ଡିର ୫, ପାତ୍ରପୁରର ୩, ପୋଲସରାର ୩, ପୁରୁଷୋତ୍ତମପୁରର ୩, ରଙ୍ଗେଇଲୁଣ୍ଡାର ୯, ସାନଖେମୁଣ୍ଡିର ୭, ଶେରଗଡ଼ର ଗୋଟିଏ ଓ ସୋରଡା ବ୍ଲକର ୩ଟି ହାଇସ୍କୁଲ୍ର ରୂପାନ୍ତରୀକରଣ ହୋଇଛି। ୨ୟ ପର୍ଯ୍ୟାୟରେ ଜିଲ୍ଲାରେ ଆଉ ୨୩୩ଟି ବିଦ୍ୟାଳୟକୁ ସ୍ମାର୍ଟସ୍କୁଲ୍ରେ ପରିଣତ କରାଯିବ। ଆସନ୍ତାବର୍ଷ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହାକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଗୁଣାତ୍ମକ ଶିକ୍ଷାର ବିକାଶ ସହ ପିଲାଙ୍କ ଭିତରେ ସ୍ବପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ଇଚ୍ଛାଶକ୍ତି ସୃଷ୍ଟି କରିବା ବିଦ୍ୟାଳୟ ରୂପାନ୍ତରୀକରଣର ମୁଖ୍ୟ ଲକ୍ଷ୍ୟ। ଏହି ଅଭିଯାନ ପ୍ରଥମେ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିଲା। ଫଳରେ ବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ସେହିପରି ସ୍ମାର୍ଟସ୍କୁଲ୍ ଦ୍ବାରା ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ସୃଜନାତ୍ମକ ଜ୍ଞାନର ବିକାଶ ହୋଇପାରିବ ଏବଂ ସେମାନେ ଯୁଗୋପଯୋଗୀ ହୋଇପାରିବେ ବୋଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି ।
ଛତ୍ରପୁରର ପୁରାତନ ଅନସ୍ଲୋ ସରକାରୀ ଉଚ୍ଚବିଦ୍ୟାଳୟଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍କୁଲ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଭାଗ୍ୟଲଷ୍ମୀ ପ୍ରଧାନ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତରୀକରଣ ସଂପର୍କରେ ନିଜର ମନ କଥା କହିଥିଲେ। ‘ଆଗ ଅପେକ୍ଷା ସ୍କୁଲ୍ ବହୁତ ଭଲ ଲାଗୁଛି। ଆମ ସ୍କୁଲ୍ ସବୁଠୁ ଭଲ। ଭଲ ପାଠ ପଢ଼ି ବୈଜ୍ଞାନିକ’ ହେବି ବୋଲି ଭାଗ୍ୟଲକ୍ଷ୍ମୀ କହିଥିଲେ।
୫-ଟି ସଚିବ ଭି.କେ.ପାଣ୍ଡିଆନ ପରିଚାଳନା ଓ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସଂଯୋଜନା କରିଥିଲେ। ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଚିକିଟି ବିଧାୟିକା ଉଷା ଦେବୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟାକ୍ଷା ସ୍ନେହଲତା ପଣ୍ଡା ଓ ଡିଆରଡ଼ିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ପ୍ରମୁଖ ମଞ୍ଚାସୀନ ଥିଲେ। ବିଏମସି କମିସନର ଡ.ସିଦ୍ଧଶ୍ୱେର ବଳିରାମ ବୋନ୍ଦାର୍, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଓ ଛତ୍ରପୁର ବିଇଓ ଅବିନାଶ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।
The post ଗଞ୍ଜାମ ଜିଲ୍ଲାର ଆଉ ୮୩ଟି ସ୍ମାର୍ଟସ୍କୁଲ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3cfjU5M
0 Comments