
ବୈପାରିଗୁଡା: କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଚିପାକୁର ପଞ୍ଚାୟତରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ସରକାରୀ ଗସ୍ତରେ ଯାଇ ପହଞ୍ଚିଥିଲେ। ଚିପାକୁର ପଞ୍ଚାୟତରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସଂଯୋଗ କରି ଅଧାପନ୍ତରିଆ ରାସ୍ତା ଗୁଡ଼ିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚିପାକୁର ଏବଂ କାଠପଡା ଦୁଇ ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତାରେ ତାଳପଦର ନିକଟରେ ନିର୍ମାଣ ହେଉଥିବା ପୋଲ କାମର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ସେହିପରି କୋଳଥଯୋଡି ଗ୍ରାମରେ ଥିବା ୪୦ ଆବାସ ଗୃହ ବିଶିଷ୍ଟ କ୍ଲଷ୍ଟରରେ ପାନୀୟ ଜଳର ସମସ୍ୟା ସହ ବିଜୁଳି ଆଲୁଅ ଯୋଗାଣ ଉପରେ ଗୁରୁତ୍ବ ଆରୋପ କରିବା ସହ ଏହି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ।
ସୁନ୍ଦରଯୋଡି ଠାରେ ପହଞ୍ଚି ସ୍କୁଲ ପରିଦର୍ଶନ କରି ଶିକ୍ଷାଦାନ ଏବଂ ମଧ୍ୟାହ୍ନ ଭୋଜନ ସଂପର୍କରେ ପଚାରି ବୁଝିବା ସହ ପାଚେରୀ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଚିପାକୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପାଇଁ ବିଜୁଳି ଆଲୁଅ ଯୋଗାଣ ବ୍ୟବସ୍ଥା କରିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅତିଶୀଘ୍ର ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ବୋଲି ପ୍ରକାଶ କରିଥିଲେ। ଆଜିର ଏହି ସରକାରୀ ଗସ୍ତ କାଳରେ ସହକାରୀ ଯନ୍ତ୍ରୀ କରୁଣାକର ବେହେରା, କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, ସ୍ଥାନୀୟ ସରପଞ୍ଚ ଭଗବତୀ ହନ୍ତାଳଙ୍କ ସମେତ ପିଇଓ ଏବଂ ଜିଆରଏସ୍ ମଧ୍ୟ ଉପସ୍ଥିତ ଥିଲେ।
The post ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ କୋରାପୁଟ ବିଧାୟକ, ବିକାଶମୂଳକ କାମ ଉପରେ କଲେ ସମୀକ୍ଷା first appeared on Sambad.from ଜିଲ୍ଲା | Sambad https://ift.tt/30yz7wt
0 Comments