
ବଲାଙ୍ଗୀର: ସଂଯୁକ୍ତ କିଷାନ ମୋର୍ଚ୍ଚାର ୩ କୃଷି ଆଇନକୁ ନେଇ ବର୍ଷେ ହେବ ଦିଲ୍ଲୀରେ ଲଢ଼େଇ ଜାରି ରହିଛି। ବଲାଙ୍ଗୀରରେ ମଧ୍ୟ ଜୟ କିଷାନ ଆନ୍ଦୋଳନ ସହିତ ଅନେକ କୃଷକ ସଂଗଠନ କିଷାନ ମୋର୍ଚ୍ଚା ଆନ୍ଦୋଳନରେ ସାମିଲ ହୋଇ କୃଷକର ଦାବିକୁ ରଖି ଆସୁଛନ୍ତି। ସଂଯୁକ୍ତ ମୋର୍ଚ୍ଚା ଆନ୍ଦୋଳନର ବର୍ଷପୂର୍ତ୍ତି ପାଳନ କରିବା ସହ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜୟକିଷାନ ଆନ୍ଦୋଳନ, ଏଆଇକେକେଏମ୍ଏସ୍, କୃଷକ ସଂଘର୍ଷ ଅଧିକାର ମଂଚ ଓ କୃଷକ ସେନା ପକ୍ଷରୁ ଧାରଣା ଦିଆଯାଇଥିଲା। ସହିଦ ହୋଇଥିବା ଚାଷୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।
ଧାରଣାସ୍ଥଳର ସଭାରେ ଜୟ କିଷାନ ଆନ୍ଦୋଳନର ଆବାହକ ସତ୍ୟ ବନଛୋର ଅଧ୍ୟକ୍ଷତା କରିଥିଲେ। ସଂସଦରେ କୃଷି ଆଇନ ଫେରେଇ ନେବାର ଆଇନ ପାରିତ ନ ହେବା ଯାଏ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ। ବିଦ୍ୟୁତ ସଂଶୋଧନ ବିଲ ୨୦୨୧ ପ୍ରତ୍ୟାହାର, ସହିଦ ପରିବାରକୁ କ୍ଷତିପୂରଣ, କୃଷକ ଆନ୍ଦୋଳନରେ ହୋଇଥିବା ମାମଲା ପ୍ରତ୍ୟାହାର, ଲଖିମପୁର ଖେରୀ ଘଟଣାରେ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ସହିତ ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ିଗ୍ରସ୍ତ ଘୋଷାଣାକୁ ନେଇ ଦାବି କରାଯାଇଛି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜୟ କିଷାନ ଆନ୍ଦୋଳନର ଆବାହକ ମଣ୍ଡଳୀର ବାଳକୃଷ୍ଣ ଷାଣ୍ଢ, ବ୍ୟାସଦେବ ଥନାପତି, ସୌରି କୁମାର ସାହୁ, ଜଗନ୍ନାଥ ମାହାଣା, ଏଆଇକେକେଏମ୍ଏସ୍ ସଭାପତି ସୁନୀଲ ଭୋଇ, ବିକାଶ ଜେନା, ଟୁନା ମିଶ୍ର, ଆଇନଜ୍ଞ ଅନନ୍ତ ବିଶ୍ୱାଲ, ରାଜେଶ ବଗର୍ତ୍ତୀ, କପିଳ କୁମ୍ଭାର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।
The post କୃଷକ ଆନ୍ଦୋଳନର ବର୍ଷ ପୂର୍ତ୍ତି: ବିଭିନ୍ନ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା first appeared on Sambad.from ଜିଲ୍ଲା | Sambad https://ift.tt/3nUmdBG
0 Comments