
ବଲାଙ୍ଗୀର: ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଆହ୍ୱାନକ୍ରମେ ଓଡ଼ିଶାର ୧୭ ଜିଲ୍ଲାର କାର୍ଯ୍ୟରତ ୪୩୫ ଶାଖାର କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବ୍ୟାଙ୍କ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେଉରାଙ୍କ ମନମୁଖି କାର୍ଯ୍ୟକୁ ନେଇ ପ୍ରତିବାଦ କରିଛନ୍ତି। ଶୁକ୍ରବାର କର୍ମଚାରୀମାନେ ସ୍ଥାନୀୟ କୋଶଳ କଳାମଣ୍ଡଳରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରି ସାରିବା ପରେ ବ୍ୟାଙ୍କର ମୁଖ୍ୟାଳୟକୁ ପହଞ୍ଚିଥିଲା।
ଶହ ଶହ କର୍ମଚାରୀ ମୁଖ୍ୟାଳୟ ଆଗରେ ଧାରଣାରେ ବସିଥିଲେ। କର୍ମଚାରୀଙ୍କ ଏହି ଆନ୍ଦୋଳନରେ ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, ୟୁଟିୟୁବି ସଂଯୋଜକ ବିଭୁଦତ୍ତ ମିଶ୍ର ସାମିଲ ହୋଇ ଅଧ୍ୟକ୍ଷଙ୍କ ମନମୁଖି ବଦଳି, ଶାଖା ବନ୍ଦ କରିବା ନିଷ୍ପତ୍ତି, ଉତ୍ତମ ଗ୍ରାହକ ସେବା ଯୋଗାଇବା ଉପରେ ବିଫଳତା, ଅସ୍ଥାୟୀ କର୍ମଚାରୀଙ୍କ ନ୍ୟାଯ୍ୟ ଦାବି ଉପରେ ନିଷ୍କ୍ରିୟତାକୁ ତୀବ୍ର ନିନ୍ଦା କରିଥିଲେ। ଅଧ୍ୟକ୍ଷ ଶ୍ରୀ ବେଉରା ସଂଘର ୬ ଜଣ ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିଲେ। କିନ୍ତୁ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିନଥିବା ସାଧାରଣ ସଂପାଦକ ପୁଲିନ ମିଶ୍ର କହିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଲଢ଼େଇ ଜାରି ରଖିବା ସହିତ ଆସନ୍ତା ୨୯ରୁ ସମସ୍ତ କର୍ମଚାରୀ ଛୁଟିରେ ଯିବେ ଏବଂ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ କହିଛନ୍ତି। ଆଜିର ଶୋଭାଯାତ୍ରାରେ ସାଧାରଣ ସଂପାଦକ ଶ୍ରୀ ମିଶ୍ରଙ୍କ ସହ ପ୍ରତାପ ଦାସ, ପାର୍ଥସାରଥୀ ପଟ୍ଟନାୟକ, ସୁଧାଂଶୁ ପୁରୋହିତ, ହୃଷୀକେଶ ପାତ୍ର, ବେଣୁଧର ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।
The post ବ୍ୟାଙ୍କ ଅଧ୍ୟକ୍ଷଙ୍କ ମନମାନିକୁ ନେଇ ବିଶାଳ ଶୋଭାଯାତ୍ରା first appeared on Sambad.from ଜିଲ୍ଲା | Sambad https://ift.tt/3nUr8CM
0 Comments