ଜୟପୁର : ଜୟପୁର ବ୍ଲକର କଙ୍ଗାପଂଚାୟତର ରାଉଳିଗୁଡ଼ା ଗାଁରେ ପୁରୁଣା ପୋଖରୀର ପୁନଃରୁଦ୍ଧାର କାମ ଏଜିନରେଗାରେ ମିଳିଥିବା ଅନୁଦାନରୁ ସିଂହଭାଗ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ‘ସମ୍ବାଦ’ ଓ କନକଟିଭିରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ଜୟପୁର ଭିଜିଲାନସ୍ ଏସପିଙ୍କ ନିର୍ଦେଶକ୍ରମେ ଆଜି ଗୋଟିଏ ବୈଷୟିକ ଟିମକୁ ନେଇ ଭିଜିଲାନସର ବରିଷ୍ଠ ଅଧିକାରୀ ମାନେ ଏହି ପୋଖରୀ କାମର ଯାଂଚ ଆରମ୍ଭ କରିଥିବା କହିଛନ୍ତି ଡିଏସପି ସୁଶାନ୍ତ ବିଶ୍ବାଳ, ତଦନ୍ତକାରୀ ଅଧିକାରୀ ଇନିସପେକ୍ଟର ବଙ୍କମ୍ ବବାଲି।

ମିଳିଥିବା ସୂଚନା ଅନୁଯା‌ୟୀ, କଙ୍ଗା ପଂଚାୟତର ପାକୁଳୁଗୁଡ଼ା ନିକଟସ୍ଥ ରାଉଳିଗୁଡ଼ା ଗାଁ ନିକଟରେ ଥିବା ପୁରୁଣା ପୋଖରୀର ପୁନଃରୁଦ୍ଧାର ପାଇଁ ୨୦୧୮-୧୯ଆର୍ଥିକ ବର୍ଷରେ ୮ଲକ୍ଷ ୯୬ହଜାର ଟଙ୍କାରେ କରାଯିବା ଯୋଜନା କରାଯାଇଥିଲା। ତେବେ ଏହି ପୋଖରୀର ଉପର ଭାଗରେ ଅଳ୍ପ କିଛି କାମ କରି  ମିଛ ‌ଫଟୋ ଅପଲୋଡ଼ କରି ୬ଲକ୍ଷ ୮୮ହଜାରଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଆଜି ଭିଜିଲାନସ ପକ୍ଷରୁ ବୈଷୟିକ ଟିମ୍‌ରେ ପୌରପାଳିକା ଓପୁର୍ତ୍ତବିଭାଗର ଜଣେ ଲେଖାଏଁ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ରାଉଳିଗୁଡ଼ା ଗାଁକୁ ଯାଇ ‌ପୋଖରୀର ପୁଙ୍ଖାନୁପୁଙ୍ଖ ଯାଂଚ କରିଥିଲେ। ପୋଖରୀରେ ଅଳ୍ପ କିଛି କାମ କରି ବଳକା ଟଙ୍କା ହଡ଼ପ ହୋଇଥିବା ଭିଜିଲାନସକୁ ତଦନ୍ତ ବେଳେ ସୂଚନା ମିଳିଛି।  ବୈଷୟିକ ଟିମ ଓ ତଦନ୍ତକାରୀ ଦଳର ସମ୍ମିଳିତ ରିପୋର୍ଟ ଏସପିଙ୍କ ନିକଟରେ ଦାଖଲ କରାଯିବ ବୋଲି ତଦନ୍ତକାରୀ ଇନିସପେକ୍ଟର କହିଛନ୍ତି। ସେଭଳି ଆସନ୍ତା ୨୮ତାରିଖ ଦିନ ଏହାର ଯାଂଚ କରିବାପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ  ସଂସ୍ଥା ଓ ବ୍ଲକ ପକ୍ଷରୁ ଏକ ଟିମ୍ ଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏହି ପଂଚାୟତରେ ଅନ୍ୟାନ୍ୟ ଉନ୍ନୟନମୂଳକ କାମରେ ବି ଏଭଳି ବ୍ୟାପକ ଅନିମିୟତତା ହୋଇଥିବା ଅଭିଯୋଗ ହୋଇଛି।

 

The post ସମ୍ବାଦ ପ୍ରଭାବ: ଜୟପୁର ବ୍ଲକରେ ମନରେଗା ଦୁର୍ନୀତିର ଭିଜିଲାନସ୍ ଯାଞ୍ଚ ଆରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/3xvcghw