
ରାୟଗଡ଼ା: ସ୍ବାଧୀନତାର ୭୪ ବର୍ଷ ପରେ ବି ଗାଁକୁ ନିର୍ମାଣ ହୋଇପାରିଲାନି ରାସ୍ତା ଓ ପୋଲ। ଫଳରେ ପାଦଚଲା ରାସ୍ତା ଓ ପଥୁରିଆ ନଦୀ ପଥ ପାଲଟିଛି ଯାତାୟାତର ମାଧ୍ୟମ। ବହୁ ଦାବି, ଗୁହାରି ସତ୍ତ୍ବେ ପୋଲ ଓ ରାସ୍ତା ନିର୍ମାଣ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଚାନ୍ଦା କରି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ। ଯାହା ସରକାରଙ୍କ ବିକାଶ ପ୍ରକ୍ରିୟା ପ୍ରତି ଉପହାସ ସଦୃଶ୍ୟ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ୨୦ କିମି ଦୂରରେ ରହିଛି କୁମ୍ଭିକୋଟା ପଞ୍ଚାୟତର ପୋଡ଼ମରା ଗ୍ରାମ। ଗ୍ରାମରେ ୫ ଶହରୁ ଉର୍ଧ୍ବ ଲୋକ ବାସବାସ କରୁଛନ୍ତି। ଅଧିକାଂଶ ଲୋକ ଗରିବ ଶ୍ରେଣୀର ହୋଇଥିବାରୁ ଜୀବିକା ନିର୍ବାହ ଲାଗି ପ୍ରତିଦିନ ରାୟଗଡ଼ାକୁ ଯାତାୟାତ କରିଥାନ୍ତି। ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟ କୁମ୍ଭିକୋଟାକୁ ସଂଯୋଗ ହୋଇଥିବା ରାସ୍ତାରେ ରହିଛି ଝଞ୍ଜାବତୀ ନଦୀ। ବର୍ଷା ତମାମ ନଦୀରେ ପାଣି ପ୍ରବାହିତ ହେଉଥିବା ବେଳେ ବର୍ଷା ଦିନେ ଜଳସ୍ତର ଉଚ୍ଚରେ ପ୍ରବାହିତ ହେଉଛି। ଯାହା ପୋଡ଼ମରା ଗ୍ରାମବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ନଦୀ ଉପରେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇନଥିବା ବେଳେ ଦୁଇ ପାର୍ଶ୍ବ ମଧ୍ୟ ତିଆରି ହୋଇନି। ପୂର୍ବ ପୁରୁଷରୁ ଏହି ଗ୍ରାମବାସୀ ପାଦଚଲା ରାସ୍ତା ଉପରେ ହିଁ ନିର୍ଭର କରି ଆସୁଛନ୍ତି। ସେହିପରି ନଦୀ ଉପରେ ହୋମ୍ ପାଇପ ଦ୍ବାରା ନିର୍ମିତ ଅସ୍ଥାୟୀ ପୋଲ ଦେଇ ନଦୀ ପାର ହୋଇଥାନ୍ତି।
ଗତ ଜୁଲାଇ ମାସ ବର୍ଷାରେ ନଦୀ ଜଳସ୍ତର ବଢ଼ିବା ପରେ ଅସ୍ଥାୟୀ ପୋଲ ଭାସି ଯାଇଥିଲା। ୭ ଦିନ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲେ। ନଦୀ ଜଳସ୍ତର କମିବା ପରେ ଗ୍ରାମବାସୀ ଚାନ୍ଦା କରି ଅସ୍ଥାୟୀ ପୋଲ ନିର୍ମାଣ କରିଥିଲେ। ଚଳିତ ସପ୍ତାହରେ ହୋଇଥିବା ଲଘୁଚାପ ବର୍ଷାରେ ପାଣି ବଢ଼ିବା ଯୋଗୁ ପୁଣି ଭାସି ଯାଇଛି ଅସ୍ଥାୟୀ ପୋଲ। ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିବା ଗ୍ରାମବାସୀ ହଜାର ହଜାର ଟଙ୍କା ସାରି ଅସ୍ଥାୟୀ ପୋଲ ନିର୍ମାଣ କରିବାରେ ଅକ୍ଷମ ଥିବାରୁ ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ସ୍ଥାୟୀ ପୋଲ ନିର୍ମାଣରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବାଧକ ସାଜିଥିବାରୁ ପ୍ରଶାସନ କିଛି କରିପାରିବନି ବୋଲ୍ ରୋକଠୋକ୍ ଶୁଣାଇ ଦେଇଥିଲା। ନିରୁପାୟ ଗ୍ରାମବାସୀ ପୁଣି ଚାନ୍ଦା କରି ଏବେ ପୋଲ ନିର୍ମାଣ କରିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।
ପୋଲ ଓ ରାସ୍ତା ନିର୍ମାଣରେ ପ୍ରଶାସନିକ ଅବହେଳା ସଂପର୍କରେ ରାୟଗଡ଼ା ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତଙ୍କୁ ପଚାରିବାରୁ ପୋଲ ସହ ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ବ୍ଲକ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। କିନ୍ତୁ ଆପ୍ରୋଚ୍ ରୋଡ୍ ହେବାକୁ ଥିବା ଜମି ଜଣେ ବେସରକାରୀ ଲୋକର ହୋଇଥିବାରୁ ଜାଗା ଛାଡ଼ିବାକୁ ରାଜି ହେଉନି ଜମି ମାଲିକ। ପ୍ରଶାସନର ବୁଝାଶୁଝା ସତ୍ତ୍ବେ ଜାଗା ଛାଡ଼ିବାକୁ ଜମି ମାଲିକ ନାରାଜ ହେବା ପରେ ପାହାଡ଼ କଡ ଦେଇ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଛନ୍ତି ବ୍ଲକ୍ କର୍ତ୍ତୃପକ୍ଷ। ପାହାଡ଼ କଡ ଦେଇ ନୂଆ ରାସ୍ତା ହେଲେ ଗ୍ରାମବାସୀଙ୍କୁ ଗାଁକୁ ଯିବା ପାଇଁ ୧ କିମି ଦୂର ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ପ୍ରଥମେ ବ୍ଲକ ପ୍ରଶାସନର ଏହି ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରୁଥିବା ବେଳେ ଏବେ ପ୍ରାଥମିକତା ଭିତ୍ତିରେ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରି ଆସୁଛନ୍ତି। କିନ୍ତୁ ବ୍ଲକ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
The post ପ୍ରଶାସନ ଶୁଣିଲାନି: ଚାନ୍ଦା କରି ତିଆରି କଲେ ଅସ୍ଥାୟୀ ପୋଲ first appeared on Sambad.from ଜିଲ୍ଲା | Sambad https://ift.tt/3CXcZcr
0 Comments