
ଶ୍ୱଶୁର ଓ ଜ୍ୱାଇଁ ଘରେ ବି ଭିଜିଲାନ୍ସ ଟିମ୍ର ତନାଘନା
ଜମିବାଡ଼ି, ସଂପତ୍ତି ସହ ବ୍ୟାଙ୍କ ବାଲାଂଶର ଚାଲିଛି ଆକଳନ
ବାଲେଶ୍ବର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲା ବାରିପଦା ସମନ୍ବିତ ଆଦିବାସୀ କଲ୍ୟାଣ ସଂସ୍ଥା(ଆଇଟିଡିଏ)ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ସରକାରୀ କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛନ୍ତି। ବାଲେଶ୍ବର ଭିଜିଲାନ୍ସର ସହଯୋଗ ନେଇ କଟକ ଭିଜିଲାନ୍ସ ଟିମ୍ ଗୁରୁବାର ସକାଳୁ ଏହି ଚଢ଼ାଉ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ମୁତାବକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଶ୍ରୀ ଦାସଙ୍କର ବାରିପଦାରେ ଥିବା ସରକାରୀ କାର୍ଯ୍ୟାଳୟ ସମେତ ବାରିପଦା ଭଞ୍ଜପୁରରେ ଥିବା ତାଙ୍କ ଭଡ଼ାଘର, ବାଲେଶ୍ବର ସହର ବାଗବୃନ୍ଦାବନରେ ୧୬୯ ନମ୍ବର ପ୍ଲଟ ଉପରେ ଥିବା ଚାରି ମହଲା କୋଠା, ବାଲିଆପାଳ ବୁଢ଼ାପାଳରେ ପୈତୃକଘର, ବାଲେଶ୍ବରର ସଦର ପିଟିଣାରେ ଶ୍ବଶୁର ଘର, ବାଲେଶ୍ବର ସହର ଏଲ୍ଆଇସି କଲୋନି ନିକଟରେ ଥିବା ଜ୍ୱାଇଁଙ୍କ ଭଡ଼ାଘର, ବାଲିଆପାଳ ଦୁଡ଼ପାଳରେ ଥିବା ଜ୍ୱାଇଁଙ୍କ ପୈତୃକଘର, ମୟୂରଭଞ୍ଜର ବୈଶିଙ୍ଗାରେ ପୁଅର ଭଡା ଘରରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିବା ବେଳେ ଭୁବନେଶ୍ୱରରେ ପ୍ଲଟ ନମ୍ବର ୨୪୦୪/ ଇବି-୫୦୨ ଉପରେ ଅବସ୍ଥିତ ୪ ମହଲା କୋଠା ଫ୍ଲାଟ ନମ୍ବର ୧୦୫, ଶୈଳଶ୍ରୀ ବିହାର ବିଜୟ ଏନକ୍ଲେଭର ଫ୍ଲାଟ ନମ୍ବର ୧୦୫, ଏବଂ କଳିଙ୍ଗ ବିହାରରେ ନିର୍ମାଣାଧୀନ କୋଠାରେ ଭିଜିଲାନ୍ସ ଟିମ୍ ଛାନଭିନ୍ କରିଛନ୍ତି। କଟକ ଭିଜିଲାନ୍ସ ଡିଏସପି ପିକେ ଦ୍ବିବେଦୀଙ୍କ ସହ ୫ ଜଣ ଭିଜିଲାନ୍ସ କର୍ମଚାରୀ ବାଲିଆପାଳରେ ଚାଲିଥିବା ଚଢ଼ଉରେ ସାମିଲ ଅଛନ୍ତି। ଏଠାରେ ସହକାରୀ ଯନ୍ତ୍ରୀ ଶ୍ରୀ ଦାସଙ୍କ ବାପା କେବଳ ରହନ୍ତି। ଏଠାରେ ଶ୍ରୀ ଦାସଙ୍କର ଥିବା ଜମିବାଡ଼ି, ସଂପତ୍ତି ଏବଂ ବ୍ୟାଙ୍କ ବାଲାଂଶ ଆକଳନ କରାଯାଉଛି ଏବଂ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ତେବେ ସ୍ଥାନୀୟ ଅଞ୍ଚଳରେ ଏହା ଏକ ବଡ଼ ଧରଣର ଭିଜିଲାନ୍ସ ଚଢ଼ଉ ବୋଲି କୁହାଯାଉଛି। ସୂଚନା ଥାଉକି, ଏହି ଚଢ଼ାଉରେ ୧୦ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ୩୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।
The post ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୧୧ଟି ଜାଗାରେ ଚଢ଼ଉ first appeared on Sambad.from ଜିଲ୍ଲା | Sambad https://ift.tt/3l9dvOj
0 Comments