ଖୋର୍ଦ୍ଧା: ସେପ୍ଟମ୍ବର ୨୦୨୦ରେ ଦେଶର ସଂସଦରେ ୩ଟି କୃଷି ଆଇନ ଗୃହୀତ ହୋଇଥିଲା। ତେବେ ଏହା ବିରୋଧରେ କଂଗ୍ରେସ, ବାମଦଳ, ବିଜେଡି, ସପା, ତୃଣମୂଳ କଂଗ୍ରେସ ସହ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏହି କ୍ରମରେ ରାଜ୍ୟ ରାଜଧାନୀ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଏହି ବିରୋଧରେ ପଛରେ ପଡ଼ିନଥିଲା। ଆହ୍ୱାନ ଦିଆଯାଇଥିବା ଭାରତବନ୍ଦ, ବିକ୍ଷୋଭ, ରାଲି ଆଦିରେ ସକ୍ରିୟ ଭାବେ ବାମଦଳ, କଂଗ୍ରେସ ଓ କେତେକ କୃଷକ ସଂଗଠନ ଭାଗ ନେଇଥିଲେ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିବା ପରେ ଖୋର୍ଦ୍ଧାର ବିଭିନ୍ନ ରାଜନୈତିକ ଦଳର ନେତା, କୃଷକ ସଂଗଠନ ଓ ବୁଦ୍ଧିଜୀବୀ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ଏହାକୁ ସ୍ୱାଗତ କରିଥିବା ବେଳେ କେତେକ ଏହା ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି ବୋଲି ମତ ଦେଇଛନ୍ତି। ଅଜିତ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଓ ହିନ୍ଦୁ ଜାଗରଣ ମଞ୍ଚ ରାଜ୍ୟ ସଭାପତି କହିଛନ୍ତି ଯେ, ଚଳିତବର୍ଷ ଜାନୁଆରୀ ମାସରେ ଉଚ୍ଚତମ ନ୍ୟାୟାଳୟ ନୂତନ କୃଷି ଆଇନର କାର୍ଯ୍ୟନ୍ୱୟନ ଉପରେ ରହିତାଦେଶ ଜାରି କରିଥିଲେ। ଏହାସତ୍ୱେ ମଧ୍ୟ କୃଷକଙ୍କ ଆନ୍ଦୋଳନ ଆଢ଼ୁଆଳରେ ଅନେକ ବିରୋଧୀ ତତ୍ୱ ଦେଶ ବିରୋଧୀ କାର୍ଯ୍ୟ ଜାରି ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମସ୍ତ ଦିଗକୁ ତର୍ଜମା କରି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ଶକ୍ତି ଶଙ୍କର ମିଶ୍ର, ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଖୋର୍ଦ୍ଧା ଓକିଲ ସଂଘ ସଭାପତି କହିଛନ୍ତି ଯେ, ଦେଶରେ କୃଷି ଆଇନକୁ ନେଇ ଅନେକ ବିଭ୍ରାନ୍ତିକର ଓ ବିଶୃଙ୍ଖଳା ସୃଷ୍ଟି କରାଯାଇଛି। ଦେଶରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଆଦିଙ୍କ ସ୍ୱାର୍ଥ ରକ୍ଷା ହେବା ଭଳି ଏକ ବଳିଷ୍ଠ ଆଇନ ଲାଗୁ ହେବା ଆବଶ୍ୟକ। ଶିଶିର ପରିଡ଼ା, ରାଜ୍ୟ କଂଗ୍ରେସ ସଦ୍ୟସ ଓ ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ, କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା ଆନ୍ଦୋଳନରେ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଛି, କଂଗ୍ରେସ ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଛି। ଦୀର୍ଘ ଏକବର୍ଷ ପରେ ଏହାକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି, ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। କିନ୍ତୁ ଏହା ବହୁ ପୂର୍ବରୁ ପ୍ରତ୍ୟାହାର କରିବାର ଆବଶ୍ୟକତା ଥିଲା। ଅଶୋକ ସାହୁ, ଏସ୍‌ୟୁସିଆଇ, ଖୋର୍ଦ୍ଧା ଆଞ୍ଚଳିକ କମିଟି ସମ୍ପାଦକ କହିଛନ୍ତି ଯେ, ସରକାର ଗଣତନ୍ତ୍ର ଆଗରେ ମୁଣ୍ଡ ନୁଆଁଇଲେ। ଏହା ଗଣତନ୍ତ୍ରର ବିଜୟ। ତେବେ ସଂସଦରେ ପ୍ରତ୍ୟାହାର ନେଇ ବିଲ୍ ପାସ୍ ହେବା ଯାଏଁ ଏହି ଆନ୍ଦୋଳନ ଚାଲିବ। କେବଳ ୩ କୃଷି ବିଲ୍ ପ୍ରତ୍ୟାହାର ପାଇଁ ଆନ୍ଦୋଳନ ହୋଇନଥିଲା, ଏହାସହ ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟକୁ ନିଶ୍ଚିତ କରିବା, ଅନ୍ୟ ଅର୍ଥକାରୀ ଫସଲରେ ସହାୟକ ମୂଲ୍ୟ ଲାଗୁ କରିବା ଆଦି ନେଇ ମଧ୍ୟ ଦାବି ରହିଥିଲା। ଏହି ସମସ୍ତ ଦାବି ମଧ୍ୟ ପୂରଣ ହେବା ଆବଶ୍ୟକ।

ଅନନ୍ତ ମଂଗରାଜ, ବାମପନ୍ଥୀ ନେତା ସଂଯୁକ୍ତ କିଷାନ ମୋର୍ଚ୍ଚା, ଖୋର୍ଦ୍ଧା ଜିଲ୍ଲା ଆବାହକ କହିଛନ୍ତି ଯେ, କଳା କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି ତାହା ପୃଥିବୀର ଏକ ଦୀର୍ଘତମ ଆନ୍ଦୋଳନ। ବର୍ଷାଧିକ କାଳ ଏହି ଆନ୍ଦୋଳନ ଚାଲିଛି। କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି, ଏହା ଚାଷୀମାନଙ୍କ ବିଜୟ ନିଶ୍ଚୟ, କିନ୍ତୁ ଏହା ଯଥେଷ୍ଟ ନୁହେଁ। ଏହାକୁ ବିଧିବଦ୍ଧ ଭାବେ ସଂସଦରେ ପ୍ରତ୍ୟାହାର କରିବା ସହ ଦାବି ମୁତାବକ ଏମ୍ଏସ୍‌ପି ନେଇ ଆଇନ ଆଣନ୍ତୁ। ବିଭୂଦେନ୍ଦ୍ର ବିଦ୍ୟାଧର, ଜୈବିକ କୃଷି ସଂଗଠକ ଓ ପ୍ରଶିକ୍ଷକ କହିଛନ୍ତି ଯେ, ଏଭଳି ଘୋଷଣା କୃଷି କିମ୍ବା କୃଷକଙ୍କ ହିତରେ ନାହିଁ। ଏହାଦ୍ୱାରା କୃଷକ ମାନେ ଅନେକ କ୍ଷତିର ସମ୍ମୁଖୀନ ହେବେ। ତେବେ ନିକଟରେ ଉପନିର୍ବାଚନରେ ବିଜେପିର ପରାଜୟ ଏବଂ ଆଗାମୀ ଉତ୍ତର ପ୍ରଦେଶ ଓ ପଂଜାବ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଭଳି ଲାଗୁଛି। ବୈକୁଣ୍ଠନାଥ ମହାପାତ୍ର, ଭାରତୀୟ କିଷାନ ସଂଗଠନ, ଖୋର୍ଦ୍ଧା ଜିଲ୍ଲା ସଭାପତି କହିଛନ୍ତି ଯେ, କୃଷି ଓ କୃଷକଙ୍କ ହିତ ଦୃଷ୍ଟିରୁ କୃଷି ଆଇନ ଲାଗୁ କରାଯାଇଥିଲା। କିନ୍ତୁ ଏହାକୁ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ବିରୋଧ କଲେ, ସେମାନେ ଚାହୁଁ ନଥିଲେ ଏହାର ଶ୍ରେୟ ବିଜେପି କିମ୍ବା ନରେନ୍ଦ୍ର ମୋଦୀ ନିଅନ୍ତୁ। ଏହାକୁ ନେଇ ଦେଶରେ ଅରାଜକତା ଓ ବିଶୃଙ୍ଖଳା କଲେ। ଆଗକୁ ନିର୍ବାଚନ ରହିଛି, ଦେଶରେ ଯେପରି ଶାନ୍ତି ଶୃଙ୍ଖଳା ରହିବ ତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

The post ବହୁତ ପୂର୍ବରୁ ୩ କୃଷି ଆଇନ ପ୍ରତ୍ୟାହାର କରିବାର ଆବଶ୍ୟକ ଥିଲା: ବୁଦ୍ଧିଜୀବୀ first appeared on Sambad.

from ଜିଲ୍ଲା | Sambad https://ift.tt/3Cu3ZeB