ଯାଜପୁର ସଦର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଥିଲା। ଆଜି କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ବୈତରଣୀ ନଦୀର ଅପରପାର୍ଶ୍ବରେ ବରାହ ମନ୍ଦିର ଥିବା ବେଳେ ଦଶାଶ୍ବମେଧ ଘାଟର ବିପରୀତ ପାର୍ଶ୍ବ ରହିଛି। ଜଗନ୍ନାଥ ମନ୍ଦିର ଓ ଦଶାଶ୍ବମେଧ ଘାଟରେ କୌଣସି ଶ୍ରଦ୍ଧାଳୁଙ୍କୁ ଡଙ୍ଗା ଭସାଇବା କିମ୍ବା ଜଗନ୍ନାଥଙ୍କ ଦର୍ଶନ ପାଇଁ ବାରଣ କରାଯାଇଥିଲା। ପୂରା ଅଞ୍ଚଳ ଜନଶୂନ୍ୟ ଓ ଖାଁଖାଁ ରହିଥିଲା।

ନଦୀର ଅପରପାର୍ଶ୍ବରେ କୌଣସି କଟକଣା ନଥିଲା। ବରାହ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। ପୂଜାର୍ଚ୍ଚନା ମଧ୍ୟ କରାଯାଉଥିଲା। ଶହଶହ ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସି ଫେରି ଯାଇଥିବା ବେଳେ ପ୍ରଶାସନିକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଯଦି ଜିଲ୍ଲା ପ୍ରଶାସନ କୋଭିଡ୍‌ ସଂକ୍ରମଣ ଭୟରେ ୧୪୪ ଜାରି କରୁଛନ୍ତି ତାହା ଗୋଟିଏ ସ୍ଥାନରେ ଭିନ୍ନଭିନ୍ନ ନିୟମ କିପରି ହେଉଛି ବୋଲି ପ୍ରଶ୍ନ କରିଥିଲେ। ଦୂରଦୂରାନ୍ତରୁ ଆସିଥିବା ଭକ୍ତ ନିରାଶ ହେବା ଘଟଣାରେ ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟ ଜିଲ୍ଲାଗୁଡିକରେ ନଦୀନାଳରେ ଡଙ୍ଗା ଭସା ସହ ଦେବଦେବୀ ପୀଠରେ ଦର୍ଶନ ପାଇଁ ଅନୁମତି ଥିବାବେଳେ ଯାଜପୁର ଜିଲ୍ଲା ପ୍ରଶାସନର କଟକଣା ଭେଳିକିକୁ ନାପସନ୍ଦ କରାଯାଇଛି।

The post ବରାହ ମନ୍ଦିର ଲୋକାରଣ୍ୟ, ଦଶାଶ୍ବମେଧ ଘାଟ ଜନଶୂନ୍ୟ first appeared on Sambad.

from ଜିଲ୍ଲା | Sambad https://ift.tt/3oMDQm9