
ଦଶରଥପୁର : ଦଶରଥପୁର ବ୍ଲକ୍ କଟିକଟାସ୍ଥିତ କେ.ସି. ନୋଡାଲ ବିଦ୍ୟାଳୟର ପାଚେରି ନିର୍ମାଣରେ ଦୁର୍ନୀତି ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକେ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ।
ଅଭିଯୋଗ ଅନୁଯାୟୀ, ୨.୫ ଲକ୍ଷ ଟଙ୍କାରେ ଉକ୍ତ ବିଦ୍ୟାଳୟର ପାଚେରି ନିର୍ମାଣ ପାଇଁ ପଞ୍ଚାୟତର ପିଇଓଙ୍କ ନାମରେ କାର୍ଯ୍ୟାଦେଶ ରହିଛି। ହେଲେ ଅନ୍ୟଜଣେ ସ୍ଥାନୀୟ ବ୍ୟକ୍ତି ଏହି କାମର ତତ୍ତ୍ୱାବଧାନ କରୁଛନ୍ତି। ହେଲେ କାମରେ ଅନିୟମିତତା କରାଯାଇ ଆକଳନରେ ଥିବା ଅନୁପାତରେ ସିମେଣ୍ଟ ଓ ଲୁହା ଛଡ ବ୍ୟବହାର କରାଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ପାଚେରି ନିର୍ମାଣରେ ନୂତନ ଇଟା ବଦଳରେ ପୁରୁଣା ଇଟା ବ୍ୟବହାର କରାଯାଉଛି। ପୂର୍ବରୁ ସ୍କୁଲ୍ରେ ଥିବା ପୁରୁଣା ଇଟା, ରଡ ଓ ପିଲରକୁ ବ୍ୟବହାର କରାଯାଉଛି। ର’ଠ’ କାମ କରି ଆସିଥିବା ଅଢ଼େଇ ଲକ୍ଷ ଟଙ୍କାକୁ ଚଳୁ କରିବାକୁ ମସୁଧା କରାଯାଉଛି। ସେହିପରି ଅତ୍ୟନ୍ତ ନିମ୍ନମାନର କାମ ହେଉଥିବାରୁ ପାଚେରିର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ଥାନୀୟଲୋକେ ଏସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଓ ସମ୍ପୃକ୍ତ ପିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏସମ୍ପର୍କରେ ପଞ୍ଚାୟତର ପିଇଓ ଉମାକାନ୍ତ ସାମଲଙ୍କୁ ପଚାରିବାରୁ ଆସନ୍ତାକାଲି ନିର୍ମାଣ ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ କୌଣସି ମତାମତ ଦେବେ ବୋଲି କହିଛନ୍ତି।
The post କଟିକଟାସ୍ଥିତ କେ.ସି. ନୋଡାଲ ବିଦ୍ୟାଳୟର ପାଚେରି ନିର୍ମାଣରେ ଅନିୟମିତତା ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/30JTwyS
0 Comments