ସମ୍ବଲପୁର : ରାଜ୍ୟର ନୂଆ ଶିଳ୍ପୀଗ୍ରାମ ଭାବେ ବିକଶିତ ହୋଇଥିବା ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍‌ର କର୍‌ଡୋଲା ଗାଁରେ ୪ ହଜାର ବର୍ଗଫୁଟ୍‌ର ଓପନ୍‌ ଏୟାର୍‌ ଗ୍ୟାଲେରିକୁ ରବିବାର ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଲଳିତ କଳା ଏକାଡେମିର ଚିତ୍ରକର ମାନଙ୍କ ଦ୍ବାରା କରାଯାଇଥିବା କାନ୍ଥ ଚିତ୍ର ସବୁ ଏହି ଗ୍ୟାଲେରିରେ ସ୍ଥାନ ପାଇଛି। ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହା ସମ୍ବଲପୁରୀ ବାନ୍ଧ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ବହୁ ସଂଖ୍ୟାରେ ସ୍ଥାନୀୟ ଓ ବାହାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ବାନ୍ଧ ଶିଳ୍ପ ଓ ଚିତ୍ରକଳାର ମିଳିତ ଶିବିର ଆୟୋଜନ ପାଇଁ ସେ ଲଳିତ କଳା ଏକାଡେମି ଓ ସମ୍ବଲପୁର ଜିଲ୍ଲା ପ୍ରଶାସନର ପ୍ରଶଂସା କରିଥିଲେ।

ଚାରି ଦିନ ଧରି ଚାଲିଥିବା ବାନ୍ଧ ଓ ଚିତ୍ରକଳାର ଏହି ଯୁଗଳବନ୍ଦୀ ଶିବିରରେ କର୍‌ଡୋଲାର ସମ୍ବଲପୁରୀ ବୁଣାକାରମାନେ ପାରଂପରିକ ସୂତା ଶାଢ଼ି ବୁଣିଥିବାବେଳେ ଚିତ୍ରକରମାନେ ସେହି ଶାଢ଼ି ଗୁଡ଼ିକର ସମ୍ବଲପୁରୀ ଡିଜାଇନ୍‌କୁ ରଂଗତୁଳୀ ସହାୟତାରେ ଅବିକଳ କାନ୍ଥରେ ଉତାରିଥିଲେ। ଏକାଡେମିର ଆମନ୍ତ୍ରିତ ଚିତ୍ରଶିଳ୍ପୀ ମାନେ ବୁଣାକାର ମାନଙ୍କ ଘର କାନ୍ଥରେ ଅତି ସୁନ୍ଦର ଭାବେ ବାନ୍ଧ ଚିତ୍ର ଗୁଡ଼ିକୁ ଆଙ୍କି ଥିଲେ। ଲଳିତ କଳା ଏକାଡେମି ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଶିବିରରେ ୪୭ ବୁଣାକାର ଏବଂ ୪୨ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ। ରବିବାର ଶିବିର ଉଦ୍‌ଯାପିତ ହୋଇଥିଲାବେଳେ ଚିତ୍ର ଗୁଡ଼ିକ ଲୋକାର୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ନିର୍ଦ୍ଦେଶକ ରଂଜନ କୁମାର ଦାସ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ତଥା ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍‌ସେନା, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ବଳ ଏବଂ ଧନକଉଡ଼ା ବିଡିଓ ବସନ୍ତ କୁମାର ହାତୀ ପ୍ରମୁଖ ଉପସ୍ଥିତ ଥିଲେ।

ଶାଢ଼ିଟିଏ କେତେ କଷ୍ଟରେ ତିଆରି ହୁଏ ସମସ୍ତେ ଜାଣିବା ଦରକାର: ସୁଦର୍ଶନ
ସମ୍ବଲପୁର : ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ତଥା ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୪ ଦିନ ଧରି କର୍‌ଡୋଲା ଗାଁରେ ଡେରା ପକାଇବା ସହ ଉଭୟ ବାନ୍ଧ ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ। ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଲେ, ଏହା ଏକ ଅଭିନବ କାର୍ଯ୍ୟକ୍ରମ ଥିଲା। ସମ୍ବଲପୁରୀ ଶାଢ଼ି ଓଡ଼ିଶା କଣ ସାରା ବିଶ୍ବର ଲୋକ ପିନ୍ଧୁଛନ୍ତି। କିନ୍ତୁ ଏହା କେମିତି ତିଆରି ହେଉଛି ସେ ସଂପର୍କରେ କାହାରି ଧାରଣା ନାହିଁ। ବୁଣାକାରଟି‌ଏ କେତେ କଷ୍ଟ କରି କେତେ ଯତ୍ନରେ ଶାଢ଼ି ଖଣ୍ଡେ ତିଆରି କରେ ତାହା କର୍‌ଡୋଲାରେ ରହଣି ବେଳେ ମୁଁ ନିଜେ ଅନୁଭବ କଲି। ଏପରିକି ଗୋଟିଏ ଗୋଟିଏ ଶାଢ଼ି ପାଇଁ ପୂରା ପରିବାରକୁ ମାସେ କାଳ ବି ପରିଶ୍ରମ କରିବାକୁ ହୁଏ। ପ୍ରତ୍ୟେକ ଲୋକ ଏହା ଜାଣିବା ଦରକାର। ତେଣୁ ବାହାରୁ ଆସୁଥିବା ପର୍ଯ୍ୟଟକ ଗାଁକୁ ଯାଇ ସିଧାସଳଖ ତନ୍ତଶାଳରୁ ନିଜ ପସନ୍ଦର ଶାଢ଼ି ସଂଗ୍ରହ କରିବା ଓ ପାରଂପରିକ ସମ୍ବଲପୁରୀ ବୟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆମେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ ଯାହା ସଂପୂର୍ଣ୍ଣ ସଫଳ ହୋଇଛି। ବାନ୍ଧକଳା ସହ ଚିତ୍ରକଳାକୁ ଯୋଡ଼ିବା ଦ୍ବାରା ଏହାର ସୌନ୍ଦର୍ଯ୍ୟ ଓ ଆକର୍ଷଣ ବୃଦ୍ଧି ପାଇଛି। ଉଭୟ ବାନ୍ଧ ଓ ଚିତ୍ରଶିଳ୍ପୀ ମାନେ ବି ଏଥିରେ ସାମିଲ ହୋଇ ବହୁତ ଆନନ୍ଦ ଅନୁଭବ କରିଛନ୍ତି। ଏହି ଶିବିର ଆୟୋଜନରେ କର୍‌ଡୋଲା ଗ୍ରାମବାସୀଙ୍କ ସହଯୋଗ ସବୁଦିନ ସ୍ମରଣୀୟ ହୋଇ ରହିବ। ଆଗକୁ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଲଳିତ କଳା ଏକାଡେମି ପକ୍ଷରୁ ଏଭଳି ଅଭିନବ କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

The post ଶିଳ୍ପୀ ଗ୍ରାମ କର୍‌ଡୋଲାରେ ଲୋକାର୍ପିତ ହେଲା ସମ୍ବଲପୁରୀ କାନ୍ଥଚିତ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3nAAOSQ