ଦଶରଥପୁର : ଦଶରଥପୁର ବ୍ଲକ୍‌ର ପ୍ରମୁଖ ବାଣିଜ୍ୟିକ ବଜାର ମଙ୍ଗଳପୁର ବଜାରରେ ଟ୍ରାଫିକ୍ ସମସ୍ୟା ଦିନକୁଦିନ ଗୁରୁତର ଆକାର ଧାରଣ କରୁଛି। ହେଲେ ମଙ୍ଗଳପୁରର ନିର୍ମାଣାଧୀନ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନାଁ ଧରୁନି। ମଙ୍ଗଳପୁର ବଜାର ଦଶରଥପୁର ବ୍ଲକ୍‌ର ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଏହି ବଜାର ଉପରେ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ବଜାରକୁ ଲାଗି ମହତାବ ସରକାରୀ ଉଚ୍ଚବିଦ୍ୟାଳୟ, ବାଳିକା ଉଚ୍ଚବିଦ୍ୟାଳୟ, ମଙ୍ଗଳପୁର ମହିଳା ମହାବିଦ୍ୟାଳୟ, ଡାକ ଘର, ୪ଟି ବ୍ୟାଙ୍କ ସହ ଏଠାରେ ଏକ ବିଜୁ ଗ୍ରାମୀଣ ବଜାର ଓ ବିଜୁ କଲ୍ୟାଣ ମଣ୍ଡପ ରହିଛି। ଏହି ବଜାରର ଉଭୟପାର୍ଶ୍ବରେ ଶତାଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ବେଳେ କେତେକ ଦୋକାନୀ ଓ ଗ୍ରାହକ କିଣାବିକା ସମୟରେ ମୁଖ୍ୟ ରାସ୍ତାକୁ ମାଡ଼ିବସି ଦୁଇଚକିଆ ଓ ଚାରିଚକିଆ ଯାନ ରଖିଥାନ୍ତି। ଅନ୍ୟପକ୍ଷରେ ଏହି ବଜାରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗହଳି ଲାଗିରହିଥାଏ।

ଗତ ସୋମବାର ମଧ୍ୟାହ୍ନ ସମୟରେ ହଠାତ୍ ଏକ କ୍ରେନ୍ ବଜାର ମଧ୍ୟରେ ପଶିଥିବା ବେଳେ ରାସ୍ତାର ଉଭୟପାର୍ଶ୍ବରେ ନାହିଁନଥିବା ଭିଡ଼ ହୋଇଥିଲା। ଶହଶହ ବାଇକ୍‌, ସାଇକଲ ସାଙ୍ଗକୁ ଟ୍ରକ୍ ଓ କାର୍ ଏହି ଟ୍ରାଫିକ୍ ଜାମ୍‌ରେ ଅଟକି ରହିଥିଲେ। ଦେଢ଼ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରାସ୍ତାରେ ଚଳାଚଳ ଠପ୍ ହୋଇଯାଇଥିଲା। ଭିଡ଼ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ରୋଗୀ ଫସିରହିଥିଲେ। ଏହି ସମୟରେ ଭିଡ଼ ଲାଗିରହିଥିବା ବେଳେ ପୁଲିସର ଦେଖା ମିଳିନଥିଲା। ଶେଷରେ କିଛି ସ୍ୱେଚ୍ଛାସେବୀ ଭିଡ଼ ହଟାଇବା ପାଇଁ ଉଦ୍ୟମ କରିଥିଲେ। ବଜାରରେ ଟ୍ରାଫିକ ସମସ୍ୟା ଏପରି ହେଉଥିବା ବେଳେ ଗତ ୩ ବର୍ଷ ତଳୁ କନିକାପଡ଼ା ପଞ୍ଚାୟତ ଅଫିସ୍‌ରୁ ଥାଲକୁଡ଼ି ନିକଟରେ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବାଇପାସ୍ ରାସ୍ତାକାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି। ତୁରନ୍ତ ଏହି ବାଇପାସ୍ ରାସ୍ତା ସମ୍ପୂର୍ଣ୍ଣ କରିବା ପାଇଁ ମଙ୍ଗଳପୁର ଅଞ୍ଚଳର ଲୋକମାନେ ପୂର୍ତ୍ତ ବିଭାଗ ନିକଟରେ ଦାବି କରିଛନ୍ତି।

The post ମଙ୍ଗଳପୁର ବଜାରରେ ଟ୍ରାଫିକ୍ ସମସ୍ୟା ବୃଦ୍ଧି, ନିର୍ମାଣାଧୀନ ବାଇପାସ୍ ରାସ୍ତା ସମ୍ପୂର୍ଣ୍ଣ କେବେ? first appeared on Sambad.

from ଜିଲ୍ଲା | Sambad https://ift.tt/30AaUWk