ଜୟପୁର: ସ୍ଥାନୀୟ ପ୍ରସାଦରାଓ ପେଟ୍ଟାର ଗରିବ ମେଧାବୀ ଛାତ୍ରୀ ବି. ନିକୀତାର ପାଠ ପଢ଼ାର ସମ୍ପୂର୍ଣ୍ଣ ଦାୟିତ୍ବ ନେଇଛନ୍ତି ‘ସାହାଯ୍ୟ’ ଦି ହେଲଫିଂ ହ୍ୟାଣ୍ଡ ଗୃପ। ନିକୀତା ଏହି ବର୍ଷ ମାଟ୍ରିକ ପରୀକ୍ଷାରେ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ପାଠ ପଢ଼ାରେ ଡୋରି ବାନ୍ଦିବାକୁ ଯୋଜନା କରିଥିଲେ। ବାପା ବି. ଶଙ୍କର ବଢ଼େଇ ଏବଂ ମା’ ଇଶ୍ବରୀ ଖଲି ତିଆରି ସ୍ଥାନରେ କାମ କରି ଦିନ ଗୁଜାରଣ ମେଣ୍ଟାଉଛନ୍ତି। ଘରେ ନିକୀତାଙ୍କ ସହ ଆଉ ଦୁଇ ଭଉଣୀ। ମହଙ୍ଗା ଯୁଗରେ ଏହି ପରିବାରର ଚଳିବା ମୁସ୍କିଲ ଥିଲା। ଏହି ସମ୍ପର୍କରେ ଜଣେ ଭଦ୍ର ମହିଳା ‘ସାହାଯ୍ୟ’ ଦି ହେଲଫିଂ ହ୍ୟାଣ୍ଡ ଗୃପକୁ ଅବଗତ କରାଇଥିଲେ। ଗୃପର ସଭ୍ୟ ମାନେ ନିକୀତାଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ତାଙ୍କର ସମ୍ପୂର୍ଣ୍ଣ ପାଠ ପଢ଼ାର ଦାୟିତ୍ବ ନେଇଛନ୍ତି।

ଆଜି ଏହି ଗୃପର ସଭ୍ୟ ମାନେ ନିକୀତାଙ୍କ ଘରକୁ ଯାଇ ଯୁକ୍ତ ଦୁଇ ବାଣିଜ୍ୟର ସବୁ ବହି, ଖାତା, ୟୁନିଫର୍ମ ଦେଇଛନ୍ତି। ଘରୋଇ ଟ୍ୟୁସନ ପଢ଼ିବା ପା‌ଇଁ ବି ଏହି ସଭ୍ୟ ମାନେ ସହଯୋଗ କରିବେ ବୋଲି କହିଛନ୍ତି। ଝିଅ ଟି ମେଧାବୀ ଛାତ୍ରୀ ହୋଇଥିବାରୁ ସେ କିପରି ଭଲ ପାଠ ପଢ଼ି ଆଗକୁ ନିଜେ ସକ୍ଷମ ହୋଇ ପରିବାର ପୋଷଣ କରିପାରିବ ସେଥି ପାଇଁ ତାହାର ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ଗୃପର କାର୍ତ୍ତିକ ରାଉତ, ପବିତ୍ର ପାତ୍ର, ଜୟନ୍ତ ଦାସ, ଶ୍ରୀକାନ୍ତ ଦାସ, ସୁଶାନ୍ତ ପଣ୍ଡା, ମୁରୁଲି ପଟ୍ଟନାୟକ, ଶୁଭ୍ରାଂଶୁ ନାୟକ। ଏହି ଗୃପର ଏହି ମହତ କାମକୁ ସାଧାରଣରେ ସ୍ବାଗତ କରାଯାଇଛି।

The post ଗରିବ ମେଧାବୀ ଛାତ୍ରୀର ପାଠପଢ଼ାର ସମ୍ପୂର୍ଣ୍ଣ ଦାୟିତ୍ବ ନେଲା ‘ସାହାଯ୍ୟ’ ଦି ହେଲପିଂ ହ୍ୟାଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3qUdeCF