ବଲାଙ୍ଗୀର : ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା। ଏଥର କିଡ୍‌ନି ରୋଗୀଙ୍କ ସାଲାଇନ ଓ ଇଞ୍ଜେକ୍ସନ ପେଟବ୍ୟଥା ରୋଗୀଙ୍କୁ ଦେଇଦିଆଯାଇଛି। ତାହା ପୁଣି ସାଧାରଣ କୌଣସି ଇଞ୍ଜେକ୍ସନ ନୁହଁ, ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ସାଲାଇନରେ ମିଶାଇ ଦେଇଦିଆଯାଇଛି। ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି। ରୋଗୀ ସଂପର୍କୀୟ ଅସନ୍ତୋଷ ବ୍ୟକ୍ତ କରିବା ସହ ଯାହାର ଭୁଲ ପାଇଁ ଏଭଳି ହୋଇଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ୍‌ ଡୁମେରମୁଣ୍ଡା ଗାଁର ଖେଡୁ ସାମଲ(୬୭)ଙ୍କୁ ତାଙ୍କ ପରିବାରବର୍ଗ ଗତକାଲି ରାତିରେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ତାଙ୍କର ଗୁରୁତର ପେଟବ୍ୟଥା ସମସ୍ୟା ଥିଲା। ତାଙ୍କୁ ଆଜି ଅପରାହ୍ଣରେ ଏକ ସାଲାଇନ ଲଗାଇଦେଇଥିଲେ ଦାୟିତ୍ୱରେ ଥିବା ନର୍ସ। କିଛି ସମୟ ପରେ ତାଙ୍କ ପୁଅ ନୂଆଁଖାଉ ସାମଲ ଆସି ସାଲାଇନ ଲଗାଯାଇଥିବା ଦେଖିଥିଲେ। ଚିକିତ୍ସା ପ୍ରକ୍ରିୟା ଅନୁସାରେ ତାଙ୍କ ବାପାଙ୍କୁ ଏବେ କୌଣସି ଔଷଧ କିଂବା ଇଞ୍ଜେକ୍ସନ ଦେବାର ନଥିଲା। ତାଙ୍କୁ କେମିତି ଦିଆଯାଉଛି ବୋଲି ଡାକ୍ତରଙ୍କୁ ପଚାରିଥିଲେ ନୂଆଁଖାଉ। ତେବେ, ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଲଗାଯାଇଥିବା ତାଙ୍କୁ କହାଯାଇଥିଲା। ହେଲେ ସାଲାଇନ ଦେଖିବା ପରେ ପାଖ ରୋଗୀ ହରି ମହାନନ୍ଦଙ୍କ ନାମ ସେଥିରେ ଉଲ୍ଲେଖ ଥିଲା। ଏହାପରେ ସେ ପୁଣି ଯାଇ କହିଥିଲେ ବି କାହା କଥା ଶୁଣିନଥିଲେ ନର୍ସ କିଂବା ଡାକ୍ତର। ବାଧ୍ୟ ହୋଇ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଉପସ୍ଥିତ ଡାକ୍ତର ଯାଇ ଦେଖିଥିଲେ। ସାଲାଇନ ହରି ମହାନନ୍ଦଙ୍କ ବଦଳରେ ଖେଡୁ ସାମଲକୁ ଲଗାଯାଇଥିବା ଜଣାପଡ଼ିଥିଲା। ସେତିକି ବେଳକୁ ସାଲାଇନ ଇଞ୍ଜେକ୍ସନ ସରିବା ଉପରେ ଥିଲା। ଏହାକୁ ନେଇ ଡାକ୍ତରଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ ଚିହିଁକି ଉଠିଥିଲେ। ଦାୟିତ୍ୱରେ ଥିବା ନର୍ସ ଓ ଡାକ୍ତର ୱାର୍ଡରୁ ଚମ୍ପଟ ମାରିଥିଲେ। ପରେ ଡାକ୍ତରଖାନା ଅଧୀକ୍ଷକଙ୍କୁ ଗଣମାଧ୍ୟମ ପ୍ରତିନିଧି ଅବଗତ କରିବା ପରେ ଆଉ ଜଣେ ଡାକ୍ତର ଆସି ଦେଖିଥିଲେ। ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ଥିଲା ଓ ଅଦଳବଦଳ ହୋଇଥିବା କଥାକୁ ସେ ସ୍ୱୀକାର କରିଥିଲେ। କୌଣସି ଅସୁବିଧା ହେବନି ବୋଲି ସେ ପ୍ରତିକ୍ରିୟା ଦେଇଥିଲେ ବି ଏବେ ଖେଡୁ ସାମଲଙ୍କ ଅବସ୍ଥା ପୂର୍ବରୁ ଆହୁରି ଖରାପ ଅବସ୍ଥାକୁ ଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଦାୟିତ୍ୱରେ ଥିବା ଡାକ୍ତରେ ଓ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

The post ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା, ବଦଳିଗଲା ସାଲାଇନ ଓ ଇଞ୍ଜେକ୍ସନ first appeared on Sambad.

from ଜିଲ୍ଲା | Sambad https://ift.tt/3mxzsYv