କେନ୍ଦୁଝର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ଦାବିରେ ସୋମବାର ଦିନ ଏସ୍‌ପି ଅଫିସ ଘେରାଉ ଓ ବିକ୍ଷୋଭବେଳେ ପୁଲିସ-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଲାଠି ମାଡ଼ରେ ବହୁ ବିଜେପି କର୍ମୀ ଆହତ ହୋଇଥିବାବେଳେ ଜଣକର ମୁଣ୍ଡ ଫାଟିଛି।

ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ବରେ ଶହଶହ ବିଜେପି କର୍ମୀ ସଦର ମହକୁମା କାଳୀପଡ଼ିଆରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲା। ଆନ୍ଦୋଳନକାରୀ ସରକାର ବିରୋଧୀ ସ୍ଳୋଗାନ ଦେବା ସହିତ ତୁରନ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ସହିତ ଗିରଫ କରିବା ପାଇଁ ଦାବି କରିଥିଲେ। ଶହ ଶହ ବିଜେପି କର୍ମୀ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ସହିତ ଠେଲାପେଲା ହୋଇଥିଲେ। ପୁଲିସ ବ୍ୟାରିକେଡ ଭାଙ୍ଗି ‌ଧସେଇ ପଶିବାକୁ ଉଦ୍ୟମ ବେଳେ ପୁଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା। ଲାଠିମାଡ଼ରେ ଜଣଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟକିଛି କର୍ମୀ ଆହତ ହୋଇଛନ୍ତି।

ପୁଲିସ ଲାଠିମାଡରେ ଅର୍ଜୁନ ଠାକୁର, ନାଉତା ମୁଣ୍ଡା, ଦୀନବନ୍ଧୁ ଦେହୁରୀ, ଗଣେଶ୍ବର ମୁଣ୍ଡା, ବିଜୟ ମହାରଣା, ମନୋରଞ୍ଜନ ରାଉତ ପ୍ରମୁଖ ଆହତ ହୋଇଛନ୍ତି। ଠେଲାପେଲା ବେଳେ ପୁଲିସ ଉପରକୁ ଅଣ୍ଡାମାଡ଼ ହୋଇଥିଲା।

ଏହାପରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଦର ବିଧାୟକ ମୋହନ ଚରଣ ମାଝୀ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ଶର୍ମା, ଘଷିପୁରା ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର, ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ପାଟଣା ବିଧାୟକ ପ୍ରାର୍ଥୀ ଭବାନୀଶଙ୍କର ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପ୍ରତିବାଦ ସ୍ଥଳରୁ ୧୭ ଜଣ ବିଜେପି ନେତାଙ୍କୁ ପୁଲିସ ଗିରଫ କରିଥିଲା। ଅପରାହ୍ନ ପ୍ରାୟ ୪ଟାବେଳେ ଏହି ଗିରଫ ନେତାମାନଙ୍କୁ ପୁଲିସ ପିଆର ବଣ୍ଡ‌ରେ ଛାଡ଼ି ଦେଇଥିଲା।

ଘେରାଉ ସମୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୫ ପ୍ଲାଟୁନ ପୁଲିସ ଫୋର୍ସ, ୯୮ ପୁଲିସ ଅଫିସର, ୪ଜଣ ମାଜିଷ୍ଟ୍ରେଟ୍‌ ଏବଂ ଅନ୍ୟ କେତେକ ସାଦା ପୋଷାକଧାରୀ ପୁଲିସଙ୍କୁ ନିୟୋଜନ କରାଯାଇଥିଲା।

The post ମମିତା ମେହେର ହତ୍ୟା ଘଟଣା: ବିକ୍ଷୋଭବେଳେ ଧସ୍ତାଧସ୍ତି, ଲାଠିମାଡ଼ first appeared on Sambad.

from ଜିଲ୍ଲା | Sambad https://ift.tt/31rg1Zr