ବ୍ରହ୍ମପୁର: ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ(ବାଳକ)। ଏହି ବାଳ ସୁଧାର ଗୃହରୁ ରବିବାର ରାତିରେ ଝରକା ଗ୍ରିଲ୍‌ ତାଡ଼ି ୬ ଅନ୍ତେବାସୀ ଖସି ପଳାଇଛନ୍ତି। ଏ ନେଇ ବାଳ ସୁଧାର ଗୃହର ଅଧୀକ୍ଷକ ପି. ରମେଶ ରାଓ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅନ୍ତେବାସୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଚମ୍ପଟ ଅନ୍ତେବାସୀଙ୍କ ମଧ୍ୟରେ ଜଣେ ହତ୍ୟା ମାମଲାରେ ଜଡ଼ିତ ଥିବା ବେଳେ ଅନ୍ୟ ୫ଜଣ ଚୋରି ମାମଲାରେ ବିଚାରାଧୀନ ଥିଲେ ବୋଲି ଅଧୀକ୍ଷକ ରାଓ କହିଛନ୍ତି। ଗତବର୍ଷ ମଧ୍ୟ ଏଠାରୁ ୭ ଅନ୍ତେବାସୀ ଖସି ପଳାଇଥିଲେ। ବାରମ୍ବାର ଅନ୍ତେବାସୀ ଚମ୍ପଟ ମାରୁଥିବାରୁ ବାଳ ସୁଧାର ଗୃହର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଦକ୍ଷିଣ ଓଡ଼ିଶା ପାଇଁ ବ୍ରହ୍ମପୁରରେ ରହିଛି ବାଳ ସୁଧାର ଗୃହ। ଏଠାରେ ୧୧୬ ଅନ୍ତେବାସୀ ଥିଲେ। ପ୍ରତିଦିନ ଭଳି ରବିବର ରାତିରେ ଅନ୍ତେବାସୀମାନେ ଖାଇ ସାରି ୱାର୍ଡ଼ରେ ରହିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ସୁଧାର ଗୃହର କର୍ମଚାରୀମାନେ ଯାଞ୍ଚ କରିଥିଲେ। ଗୋଟିଏ ନିର୍ଦ୍ଦିଷ୍ଟ ୱାର୍ଡ଼ରେ ଅନ୍ତେବାସୀ ନଥିବା ଦେଖିବାକୁ ପାଇଥିଲେ। ଏ ନେଇ ହେଡ୍‌ ୱାର୍ଡ଼ର୍‌ ତୁରନ୍ତ ସୁଧାର ଗୃହର ଅଧୀକ୍ଷକଙ୍କୁ ଖବର କରିଥିଲେ। ଘଟଣାସ୍ଥଳକୁ ଯାଇ ଦେଖିବା ବେଳେ ସେହି ୱାର୍ଡ଼ରେ ରହୁଥିବା ୬ ଅନ୍ତେବାସୀ ନଥିଲେ। ଉକ୍ତ ୱାର୍ଡ଼ର ଝରକା ଗ୍ରିଲ୍‌ ତଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ସେଇ ରାସ୍ତା ଦେଇ ସେମାନେ ପାଚେରି ଡେଇଁ ଚମ୍ପଟ ମାରିଥିବା ଅନୁମାନ କରାଯାଉଛି। ପୁଲିସ ପ୍ରତ୍ୟେକ ଅନ୍ତେବାସୀଙ୍କ ଘର ଠିକଣା ନେଇ ତଦନ୍ତ ଜାରି ରଖିଛି। ଅନ୍ତେବାସୀଙ୍କୁ ଟ୍ରାକ୍‌ କରିବା ପାଇଁ ଉଦ୍ୟମ ଚାଲିଛି। ସେମାନଙ୍କୁ କିପରି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯିବ ସେ ଦିଗରେ ଉଦ୍ୟମ ଚାଲିଛି ବୋଲି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର କହିଛନ୍ତି।

ଚମ୍ପଟ ଅନ୍ତେବାସୀଙ୍କ ମଧ୍ୟରେ ବ୍ରହ୍ମପୁରର ଜଣେ ଥିବା ବେଳେ ଚମାଖଣ୍ଡୀର ଜଣେ, କୋରାପୁଟ ଜିଲ୍ଲାର ୨ଜଣ, ଗଜପତି ଜିଲ୍ଲାର ଜଣେ ଓ ପୁରୀର ଜଣେ ଅଛନ୍ତି। ଗତବର୍ଷ ମେ ମାସ ୧୯ତାରିଖରେ ୭ ଅନ୍ତେବାସୀ ସୁଧାର ଗୃହରୁ ଚମ୍ପଟ ମାରିଥିଲେ।

The post ଝରକା ଗ୍ରିଲ୍‌ ତାଡ଼ି ୬ ଅନ୍ତେବାସୀ ଚମ୍ପଟ first appeared on Sambad.

from ଜିଲ୍ଲା | Sambad https://ift.tt/3cCD6dJ