
ଭଦ୍ରକ : ଭଦ୍ରକ ସହରର ମଧ୍ୟ ସ୍ଥଳରେ ସାଳନ୍ଦୀ ନଦୀ ଉପରେ ସାଳନ୍ଦୀ ସଂସ୍କାର ଯୋଜନାରେ ନିର୍ମାଣ କରାଯାଇଥିବା ଅର୍ଜୁନ ସେତୁକୁ ଭାଙ୍ଗି ଦିଆଯାଇ ଏହା ଏଠାରେ ନୂତନ ସେତୁ ନିର୍ମାଣ କରିବା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାତ୍ର ଏଇ ସେତୁ ଭଙ୍ଗା ଯାଇଥିଲେ ମଧ୍ୟ ଏହାର ନୂତନ ସେତୁ ନିର୍ମାଣରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେତୁ ନିର୍ମାଣର ବିଳମ୍ବ ହେଉଥିବାରୁ ସହରର ଲୋକମାନେ ଯାତାୟାତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଭଦ୍ରକର ଟାଉନ ଥାନ ଛକରୁ କୁଆଁଶ ଆଡକୁ ଯିବାକୁ ଯିବାକୁ ହେଲେ ସାଳନ୍ଦୀ ନଦୀ ପାର ହେବାକୁ ପଡୁଥିଲା। ଏଇ ନଦୀ ଉପରେ ବହୁ ପୂର୍ବରୁ ଏକ ପଟା ପୋଲ ରହିଥିଲା। ଏଇ ପଟା ପୋଲ ଉପରେ ଲୋକେ ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଥିଲେ। ଭଦ୍ରକ ଜନସାଧାରଣଙ୍କ ଦାବି ପରେ ତତ୍କାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଏଠାରେ ଏକ ସ୍ଥାୟୀ ପକ୍କା ପୋଲ ନିର୍ମାଣ କରିବା ପାଇଁ ଅର୍ଥ ମଂଜୁରୀ ଦେଇଥିଲେ। ଏଇ ଅର୍ଥରେ ସାଳନ୍ଦୀ ନଦୀ ଉପରେ ସେତୁ ନିର୍ମାଣ କରାଯାଇଥିଲା। ଯେଉଁ ସେତୁର ନାମ ଅର୍ଜୁନ ସେତୁ ରଖାଯାଇଥିଲା। ଅର୍ଜୁନ ସେତୁ ନିର୍ମାଣ ହେବାପରେ ସହରବାସୀଙ୍କର ଗମନା ଗମନ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ସମାଧାନ ହୋଇଥିଲା। ଏଇ ସେତୁ ଦେଇ ଭଦ୍ରକ ସହରର ଲୋକାମାନେ ସହଜରେ କୁଆଁଶ, ଚନ୍ଦନବଜାର, ପୁରୁଣାବଜାର, ବାଙ୍କାବଜାର, ଭଦ୍ରକାଳୀ ପୀଠକୁ ଯାତାୟାତ କରି ପାରୁଥିଲେ। ଏଇ ସେତୁ ଦେଇ ରାତି ପାହିଲେ ଶହ ଶହ ସଂଖ୍ୟାରେ ଗାଡି ମଟର ଯାତାୟାତ ହେଉଥିଲା। ନଦୀ ସେପାରିର ସ୍କୁଲ କଲେଜ ପିଲାମାନଙ୍କ ପାଇଁ ଯାତାୟାତର ସୁବିଧା ହୋଇଥିଲା। ଗତ କିଛି ମାସ ହେଲା ଅର୍ଜୁନ ସେତୁକୁ ଡୋଜର ମାରି ଭାଙ୍ଗି ଦିଆଯାଇଛି। ଏଠାରେ ଜଳ ସଂପଦ ବଭାଗ ପକ୍ଷରୁ ନୂତନ ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାତ୍ର ଏଇ ସେତୁ ନିର୍ମାଣ ଅହେତୁକ ଭାବେ ବିଳମ୍ବ ହୋଇଥିବାରୁ ସ୍ଥାନୀୟ ଲୋକମାନଙ୍କର ଗମନା ଗମନରେ ଘୋର ଅସୁବିଧା ହେଉଛି। କୁଆଁଶ, ଚନ୍ଦନବଜାର, ପୁରୁଣାବଜାର, ଭଦ୍ରକାଳୀ ସାହିକୁ ଯିବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ସେତୁ ଭଙ୍ଗା ଯାଇଥିବାରୁ ନଦୀ ସେପାରିର ଲୋକମାନଙ୍କୁ ଗୋଶାଳାଛକ ଦେଇ ବହୁ ରାସ୍ତା ବୁଲି ସହର ଭିତରକୁ ଆସିବାକୁ ପଡୁଛି। ବିଶେଷ କରି ଭଦ୍ରକ ମେଡିକାଲକୁ ରୋଗୀ ଆସିବାରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସ୍କୁଲ କଲେଜ ପିଲାମାନଙ୍କ ପାଇଁ ଅଧିକ ବାଟ ବୁଲି ଆସିବାକୁ ପଡୁଛି। ସେହିପରି କୁଆଁଶରେ ଥିବା ପିପି ସେଣ୍ଟର ( ଟୀକାଦାନ କେନ୍ଦ୍ର)କୁ ଯିବା ପାଇଁ ଲୋକଙ୍କୁ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। କେବେ ଏଇନୂତନ ସେତୁ ନିର୍ମାଣ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ କୁଆଁଶ ଅଞ୍ଚଳର ଲୋକମାନେ ଏଇ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ନେଇ ଜନସାଧାରଣ ଦାବି କରିଛନ୍ତି।
The post ସାଳନ୍ଦୀ ନଦୀ ଉପରେ ଅର୍ଜୁନ ସେତୁ ନିର୍ମାଣର ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ first appeared on Sambad.from ଜିଲ୍ଲା | Sambad https://ift.tt/3D7qMgi
0 Comments