ସୁକିନ୍ଦା: ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି ( ନନ୍ଦ ସାର୍‌)ଙ୍କ ବଡ଼ପୁଅ ଗଣେଶ୍ବରଙ୍କୁ ପ୍ରାଣାନ୍ତକ ମାଡ ମରାଯାଇଛି। ତାଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କ ପିତାଙ୍କୁ ଆକ୍ରମଣ ଧମକ ମିଳିଛି। ଗଣେଶ୍ବରଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ନନ୍ଦ ଗୁରୁଜୀ ଅସୁସ୍ଥ ଥିବାରୁ ଶନିବାର ତାଙ୍କ ବଡ଼ପୁଅ ଗଣେଶ୍ବର ଔଷଧ କିଣିବାକୁ ଯାଉଥିଲେ। ଏହି ସମୟରେ କନ୍ତିରା ଗାଁ ମୁଣ୍ଡରେ ସେହି ଗ୍ରାମର ଲକ୍ଷ୍ମଣ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ଗଣେଶ୍ବରଙ୍କୁ ଭିଡ଼ିନେଇ ପ୍ରବଳ ପିଟିଥିଲେ। ଏହାପରେ ନନ୍ଦ ଗୁରୁଜୀଙ୍କ ପାଳି ବୋଲି ଧମକ୍‌ ଦେଇଥିଲେ। ଗଣେଶ୍ବରଙ୍କ ଚିତ୍କାର ଶୁଣି କିଛି ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ଦୁଇ ଅଭିଯୁକ୍ତ ଦୌଡ଼ି ପଳାଇ ଯାଇଥିଲେ। ଖବର ପାଇ ଗଣେଶ୍ବରଙ୍କ ପୁଅ ଓ ଭାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏକ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ନନ୍ଦ ଗୁରୁଜୀଙ୍କ ନାତି ସର୍ବେଶ୍ବର ପୃଷ୍ଟି କହିଛନ୍ତି।

ଆକ୍ରମଣକାରୀମାନେ ନନ୍ଦ ଗୁରୁଜୀଙ୍କର ଏକ ଜମିକୁ ଜବରଦଖଲ କରିଥିବା ବେଳେ ପୂର୍ବରୁ ତାଙ୍କ ପରିବାର ପକ୍ଷରୁ ଏନେଇ ମାମଲା ଦାୟର କରାଯାଇଥିଲା। ଏହି ମାମଲା ନନ୍ଦ ଗୁରୁଜୀଙ୍କ ପରିବାର ସପକ୍ଷରେ ଯିବା କାରଣରୁ ସେମାନେ ସହିନପାରି ଏଭଳି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି। ନନ୍ଦ ଗୁରୁଜୀଙ୍କ ପରିବାର ପକ୍ଷରୁ ଏ ସଂକାନ୍ତରେ ସୁକିନ୍ଦା ଥାନାରେ ଏତଲା ଦିଆଯାଇଥିଲା। ନଂ. ୨୪୩/୨୧ରେ ଏକ ମାମଲା ରୁଜୁ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ଆଇଆଇସି ଶିବଚରଣ ବେହେରା ସୂଚନା ଦେଇଛନ୍ତି।

The post ପୁଅକୁ ମାଡ ମାରି ପିତା ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟିଙ୍କୁ ଆକ୍ରମଣ ଧମକ first appeared on Sambad.

from ଜିଲ୍ଲା | Sambad https://ift.tt/3xtewFW