ଯୁଯୁମୁରା : ପଡ଼ିଆବାହାଲ ରେଞ୍ଜ ମେଘପାଳ ସେକ୍‌ସନ୍‌ ଅନ୍ତର୍ଗତ ମେଘପାଳ ସଂରକ୍ଷିତ ଜଙ୍ଗଲ ପରସାଲିଖମନ ସଂରକ୍ଷିତ ଜଙ୍ଗଲ ନିକଟରେ ଗଛ କାଟିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ଶନିବାର ୬ ଜଣଙ୍କୁ ଗିରଫ କରାଯାଇଛି। ‌ମେଘପାଳ ଫରେଷ୍ଟର୍‌ ହିମାଂଶୁ ସେଠଙ୍କ ନେତୃତ୍ବରେ ପଡ଼ିଆବାହାଲ ବନ ବିଭାଗ ଅଧିକାରୀ ଚଢ଼ଉ କରିବା ସମୟରେ ସେଠାରେ କିଛି ଲୋକ ଗଛ କାଟୁଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ଶାଳ, ବିଜା, ଅସନ, ଜାମୁ, କୁମ୍ଭୀ ଏବଂ ‌ରୋହିଣୀ ଗଛ କଟାଯାଇଥିବା ଦେଖାଯାଇଥିଲା। କଟାଯାଇଥିବା ଗଛର ମୂଲ୍ୟ ଲକ୍ଷେ ୧୩ ହଜାର ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ଏହି ଘଟଣାରେ ବନ ବିଭାଗ ଯୁଯୁମୁରା ଥାନା ବଞ୍ଜାରିଟିକିରାର ଉପେନ୍ଦ୍ର ମିର୍ଦ୍ଧା (୬୦), ସେହି ଗ୍ରାମର ଶ୍ରୀରାମ ମିର୍ଦ୍ଧା (୬୧), କିସିଣ୍ଡା ଥାନା ମାଛୋଡିହିର ଅଲେଖ ମିର୍ଦ୍ଧା (୩୮), ଯୁଯୁମୁରା ଥାନା ଘୁସୁରିଆବାହାଲର ସନ୍ତୋଷ ମିର୍ଦ୍ଧା (୫୫), ଯୁଯୁମୁରା ଥାନା ଟପୋପଡ଼ାର ବିରଞ୍ଚି ମିର୍ଦ୍ଧା (୩୮) ଓ ହିରୋର ଫୁଲଜେସ୍‌ କିଡୋ (୪୭)ଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗଛ କଟାରେ ବ୍ୟବହାର ହୋଇଥିବା କୁରାଢ଼ି, ଅନ୍ୟ ସାମଗ୍ରୀ ଓ କଟାଯାଇଥିବା ଗଛ ଜବତ କରାଯାଇଛି। ଜବତ ଗଛକୁ ମେଘପାଳ ବିଟ୍‌ରେ ରଖାଯାଇଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସୁଚନାଯୋଗ୍ୟ ଯେ ଏବେ ସ୍ଥାନୀୟ ଅଞ୍ଚଳରେ ଧୀରେ ଧୀରେ ଜଙ୍ଗଲ ସଂକୁଚିତ ହେବାରେ ଲାଗିଛି। ଲୋକମାନେ ଜଙ୍ଗଲ କାଟି ଚାଷ ଜମି ପ୍ରସ୍ତୁତ ହେଉଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ନୂଆ ଜଙ୍ଗଲ ଅାଇନ୍‌ ଆସିବା ପରେ ଗତ କିଛି ବର୍ଷ ହେଲା ଏପରି ଧାରା ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଲୋକ ଏବଂ ଅନୁପ୍ରବେଶକାରୀ ସଂରକ୍ଷିତ ଜଙ୍ଗଲରେ ଗଛ କାଟି ପଦା କରି ଦେଉଛନ୍ତି। ନୂଆ ଜଙ୍ଗଲ ଆଇନ୍‌ ଅନୁଯାୟୀ ଯେଉଁ ଜଙ୍ଗଲ ଜମିରେ ହିତାଧିକାରୀ ୨୦ ବର୍ଷ ଧରି ବାସ କରିଥିବେ କିମ୍ବା ଚାଷ କରିଥିବେ ଉକ୍ତ ଜମିର ପଟ୍ଟା ସେମାନଙ୍କ ନାମରେ ହୋଇ ପାରିବ। ଏହି ଆଇନ୍‌ ଆସିବା ପରେ ଜଙ୍ଗଲରେ ଗଛ କଟା ବଢ଼ିଯାଇଥିବା ପରିବେଶ ପ୍ରେମୀମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଜଙ୍ଗଲରେ ଗଛ କଟା ହେଉଥିବାରୁ ବନ୍ୟ ଜୀବଜନ୍ତୁ ଓ ହାତୀ ଗାଁମୁହାଁ ହେଉଛନ୍ତି। ଅନ୍ୟପକ୍ଷରେ ଯୁଯୁମୁରା ବ୍ଲକ୍‌ ଅଞ୍ଚଳରେ ହଜାର ହଜାର ଏକର ଡିପିଏଫ୍‌ (ଡିମାର୍କେଟେଡ୍‌ ପ୍ରୋଟେକ୍ଟ ଫରେଷ୍ଟ) ରହିଛି। ଡିଏଫ୍‌ଓ ଚାହିଁଲେ ଏହି ଜଙ୍ଗଲକୁ ସଂରକ୍ଷିତ ଜମିରେ ରୂପାନ୍ତରିତ କରିଦେଲେ ଜଙ୍ଗଲର ସୁରକ୍ଷା ହୋଇ ପାରନ୍ତା। ମାତ୍ର ବନ ବିଭାଗ ଅଧିକାରୀ ଏ ବାବଦରେ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି। ବନ ବଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ଜଙ୍ଗଲ ଧ୍ବଂସ ପାଇବା ସହିତ ଜୀବଜନ୍ତୁ ଜୀବନ ପ୍ରତି ବିପଦ ସୃଷ୍ଟି ହେବ।

The post ମେଘପାଳ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ୬ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3qeFXlb