ଅତାବିରା : ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ୨୫ ତାରିଖରେ ଜିଲ୍ଲାର ସମସ୍ତ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନେଇଛି। ତେବେ ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ଅତାବିରାରେ ଅମଳ ହୋଇ ବିକ୍ରି ପାଇଁ ପ୍ରସ୍ତୁତ ଥିବା ଧାନକୁ ‌ଚାଷୀମାନେ ଶନିବାର ଜବରଦସ୍ତି ମଣ୍ଡିକୁ ପୂରାଇ ପ୍ରଶାସନକୁ ଖୋଲା ଚାଲେଞ୍ଜ କରିଛନ୍ତି। ପୂର୍ବରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ଅତାବିରା ନିୟନ୍ତ୍ରିତ ବଜାର କମିଟିର ସମସ୍ତ ମଣ୍ଡି ଖୋଲିଥାଏ। ଚଳିତବର୍ଷ ୨୫ ତାରିଖ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ ବହୁ ଚାଷୀଙ୍କ ଧାନ ଅମଳ ହୋଇଥିବା ବେଳେ ଚାଷୀଙ୍କ ପାଖରେ ଗୋଦାମ ଗୃହ, ଭିତ୍ତିଭୂମି ନ ଥିବାରୁ ମଣ୍ଡି ୨୦ ତାରିଖ ଖୋଲିବାକୁ ଜିଲ୍ଲା ପ୍ରଶାସନକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ଦାବି କରାଯାଇଥିଲା। ୧୨ ତାରିଖ ଗୋଡ଼ଭଗା ମଣ୍ଡିରେ ଏକ ବୈଠକରେ ୦ ତାରିଖରୁ ଚାଷୀ ମଣ୍ଡିରେ ଧାନ ପକାଇବ ବୋଲି ଚାଷୀମାନେ ନିଷ୍ପତ୍ତି ନେଇଥିଲେ।

ଶନିବାର ଦିନ ୧୧ଟାରେ କୃଷକ ସଂଗଠନର ବ୍ଳକ ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ବରେ ଚାଷୀମାନେ ଅତାବିରା ମୁଖ୍ୟ ବଜାର ପ୍ରାଙ୍ଗଣରେ ଧାନ ଗାଡ଼ି ସହ ଜମା ହୋଇଥିଲେ। ଆର୍‌ଏମ୍‌ସି ପକ୍ଷରୁ ସକାଳୁ ତାଲା ଦିଆଯାଇଥିଲା। ତାଲା ଖୋଲିବାକୁ ଚାଷୀମାନେ ଅନୁରୋଧ କରିଥିଲେ। ଶେଷରେ ଚାଷୀମାନେ ତାଲାଭାଂଗି ଭିତରକୁ ପ୍ରବେଶ କରିଥିଲେ। ପରେ ମଣ୍ଡିରେ ନଡ଼ିଆ ପିଟି ଅନୁକୂଳ କରି ଖରିଫ ଫସଲ ଧାନ ସଂଗ୍ରହକୁ ଚାଷୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଛି। ଅତାବିରା ମଣ୍ଡି ଅଧିନସ୍ଥ ବାବେବିରା କେନାଲର ରେଡ୍ଡି ଶ୍ରୀନିବାସଙ୍କ ୧୮୦ ପାକେଟ ଧାନ ମଣ୍ଡିରେ ପକାଇଥିଲେ। ପରେ କୃଷକ ସଂଗଠନ ସଭ୍ୟମାନେ ଯାଇ ଅନୁରୂପ ଭାବେ ଗୋଡ଼ଭଗା ମଣ୍ଡି ଗେଟ ଖୋଲି ମଣ୍ଡିରେ ଧାନ ପକାଇଥିଲେ। ଗୋଡ଼ଭଗାରେ କୁମେଲସିଂହର ଭି ଶ୍ରୀନିବାସଙ୍କ ଶହେ ପାକେଟ ଓ ଭି ରାଜୁଙ୍କ ୩୫ ପାକେଟ ଧାନ ପକାଇଥିଲେ। ବି

ଗତ ରବି ଫସଲରେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନର ମେଘୁଆ ପାଗ ଯୋଗୁଁ ଚାଷୀ ନିଜ କଷ୍ଟୋପାର୍ଜିତ ଧାନ ଚାଷୀର ନିଜସ୍ବ ଗୋଦାମ ଘର ନଥିବାରୁ ସୁରକ୍ଷିତ ଭାବେ ରଖି ଅସମର୍ଥ। ଏଣୁ ଚାଷୀ ଅମଳ ହେଲା ଧାନ ମଣ୍ଡିକୁ ନ ଆଣିଲେ କେଉଁଠି ନେବ ବୋଲି ଚାଷୀମାନେ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟ ଦିନରେ ମଣ୍ଡିର ମୁଖ୍ୟ ଗେଟ ଖୋଲା ରହୁଥିବା ବେଳେ ଚାଷୀର ଧାନ ପକାଇବା ନିଷ୍ପତ୍ତି ଜାଣି ଉଦ୍ଦେଶ୍ୟମୂଳକ ଭାବେ ଗେଟରେ ତାଲା ପକାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯାନରେ ଚାଷୀମାନଙ୍କ ମଧ୍ୟରେ ଟିକେଲାଲ ମିଶ୍ର, ଦଶରଥ ଭୋଇ, ଅରୁଣ ପ୍ରଧାନ, ହରିରାମ ସ୍ବାଇଁ, ସୀତାରାମ ସାହୁ, ଅଶ୍ବିନୀ ତ୍ରିପାଠୀ, ସୁରେନ୍ଦ୍ର ସ୍ବାଇଁ, ଜୟକୁମାର ସାହୁ, ଭୁବନ ପ୍ରଧାନ, ଶରତ ପ୍ରଧାନ, ଜଗଦୀଶ ପ୍ରମୁଖ ସାମିଲ ଥିଲେ।

The post ପ୍ରଶାସନ ଶୁଣିଲାନି, ମଣ୍ଡିରେ ଧାନ ପୂରାଇଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3oMJViz