ରାୟଗଡ଼ା: ‘ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ସେ ଚାଷୀ ହେଉ ଅବା ମୂଲିଆ ଓ ରିକ୍‌ସା ବାଲା। ଏହା ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ’ ଭର୍ଚୁଆଲ ମୋଡରେ ଆଜି ରାୟଗଡ଼ାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରି ଏହି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାର ୨ ଲକ୍ଷ ୫୨ ହଜାର ୧୯୧ ପରିବାରର ୮ ଲକ୍ଷ  ୩୪ ହଜାର ୫୭୦ ଲୋକ ଏବେ ହାତ ପାଆନ୍ତ‌ାରେ ଚିକିତ୍ସା ସୁବିଧା ପାଇବେ। ଏଥିସହିତ, ୮୭୦ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର , ଉଦ୍‌ଘାଟନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ। ଜନଜାତି ଭାଇ ଭଉଣୀଙ୍କ ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ଆଦିବାସୀ ନିଜ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିପାରିଛନ୍ତି। ଜିଲ୍ଲାରେ ମାଆମାନେ ୪୦୦୦ ମିସନ ଶକ୍ତି ଗ୍ରୁପରେ ସାମିଲ ହୋଇ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହ ନିଜକୁ ସକ୍ଷମ କରିପାରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ଜିଲ୍ଲା ପାଇଁ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିଛନ୍ତି। ରାୟଗଡ଼ାରେ ଜଳସେଚନର ସୁବିଧା ପାଇଁ ଦୁଇଟି ମେଗା ଲିଫ୍‌ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହାଦ୍ବାରା ଗୁଣପୁର ବ୍ଲକ୍‌ର ୧୦୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ରୂପାନ୍ତର ଆଣିବାରେ ସକ୍ଷମ  ହୋଇଛି ବୋଲି ମତ ପ୍ରକାଶ କରିଥିଲେ। ଭର୍ଚୁଆଲ୍ ମୋଡରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟାନ ପାଣ୍ଡିଆନ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

The post ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ଯୋଜନାରେ ସାମିଲ୍‌ ହେଲା ରାୟଗଡ଼ା: ୮୭୦ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର, ଉଦ୍‌ଘାଟନ first appeared on Sambad.

from ଜିଲ୍ଲା | Sambad https://ift.tt/3cHCxPR